ପ୍ରଧାନମନ୍ତ୍ରୀଙ୍କ ‘ଦିଦି ଓ ଦିଦି’ ମନ୍ତବ୍ୟ ପରେ ସାଂସଦ ମହୁଆ ମୋଇତ୍ରୋ କହିଲେ- ‘ମୋଦୀ ଗୋ ମୋଦୀ’

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ବିଜେପି ଏବଂ ଟିଏମସି ମଧ୍ୟରେ ପ୍ରଚାର ଯୁଦ୍ଧ ଲାଗିରହିଛି। ଉଭୟ ଦଳ ପରସ୍ପରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି। ଗତ ବୁଧବାର ପଶ୍ଚିମବଙ୍ଗର କାନ୍ଥିରେ ଏକ ନିର୍ବାଚନୀ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଥିଲେ। ମୋଦୀ କହିଥିଲେ, ଯେତେବେଳେ ଆବଶ୍ୟକ ପଡ଼େ ସେତେବେଳେ ଦିଦିଙ୍କୁ ଦେଖିବାକୁ ମିଳେନାହିଁ। ଏହି ସମୟରେ ମୋଦୀ ମମତାଙ୍କୁ ‘ଦିଦି ଓ ଦିଦି’ କହି ସମ୍ବୋଧନ କରିଥିଲେ।

ମୋଦୀଙ୍କ ଏହି ସମ୍ବୋଧନ ପରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ର କଡ଼ା ଜବାବ ଦେଇଛନ୍ତି। ମୋଦୀଙ୍କ ‘ଦିଦି ଓ ଦିଦି’ ମନ୍ତବ୍ୟ ପରେ ମହୁଆ ତାତ୍ସଲ୍ୟ କରି କହିଛନ୍ତି, ‘ମୋଦୀ ଗୋ ମୋଦୀ’। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ୨୯୪ ଆସନରେ ୮ଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ। ଆସନ୍ତା ୨୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହା ପରେ ଏପ୍ରିଲ ୧ରେ ୨ୟ ପର୍ଯ୍ୟାୟ, ଏପ୍ରିଲ ୬ରେ ୩ୟ, ଏପ୍ରିଲ ୧୦ରେ ୪ର୍ଥ, ଏପ୍ରିଲ ୧୭ରେ ୫ମ, ଏପ୍ରିଲ ୨୨ରେ ୬ଷ୍ଠ, ଏପ୍ରିଲ ୨୬ରେ ୭ମ ଏବଂ ଏପ୍ରିଲ ୨୯ରେ ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ହେବ। ମେ ୨ରେ ଫଳାଫଳ ପ୍ରକାଶ ପାଇବ।

Comments are closed.