ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ : ରବିବାର ମତଦାନ

ନୂଆଦିଲ୍ଲୀ : ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି । ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ନିର୍ବାଚନ ମଣ୍ଡଳୀରେ ଏହି ପର୍ଯ୍ୟାୟରେ ଭୋଟ୍‍ ଗ୍ରହଣ ହେବ। ଉତ୍ତର ପ୍ରଦେଶର ୧୩ଟି, ପଞ୍ଜାବର ସମସ୍ତ ୧୩ଟି, ପଶ୍ଚିମବଙ୍ଗର ୯ଟି, ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ, ହିମାଚଳ ପ୍ରଦେଶର ସମସ୍ତ ୪ଟି, ଝାଡ଼ଖଣ୍ଡର ୩ଟି ଓ ଚଣ୍ଡୀଗଡ଼ର ଏକମାତ୍ର ନିର୍ବାଚନ ମଣ୍ଡଳୀରେ ଭୋଟ୍‍ଗ୍ରହଣ ହେବ।

ମତଦାତାମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରର ଶେଷ ଦିନରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶରେ ପ୍ରଚାର କରିଛନ୍ତି। ଖରଗୋନ୍‍ଠାରେ ଉଦ୍‍ବୋଧନ ଦେଇ କୃଷକ, କ୍ଷୁଦ୍ର ବ୍ୟବସାୟୀ , କୃଷି ଶ୍ରମିକ ଏବଂ ୬୦ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିମାନଙ୍କୁ ନିୟମିତ ମାସିକିଆ ପେନସନ୍‍ ଯୋଗାଇ ଦେବାକୁ ସେ ତାଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଅଧୀନରେ ସବୁ କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୨୦୨୨ ମସିହା ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣା କରିବା ପାଇଁ ସରକାର କାମ କରୁଥିବା ସେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ଶାସନ କାଳରେ ବନବାସୀମାନଙ୍କ ଜମିକୁ କେହି ହେଲେ ହଡପ କରି ପାରିନାହାନ୍ତି।

Pic. Courtesy : Business Today

ଅନ୍ୟପକ୍ଷରେ ହିମାଚଳର ସୋଲାନ୍‍ଠାରେ ଉଦ୍‍ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିମୁଦ୍ରାୟନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତର ପ୍ରଦେଶର ମିର୍ଜାପୁର ଓ କୁଶିନଗରଠାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ରୋଡ୍‍ ଶୋ’ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୋରଖପୁରରେ ବାଇକ୍‍ ର‍୍ୟାଲି କରିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କର୍ଣ୍ଣେଲ୍‍ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ୍‍ ଓ ପିୟୂଷ ଗୋୟଲ୍‍ ପ୍ରଧାନମନ୍ତ୍ରୀ ଦ୍ୱିତୀୟଥର ପାଇଁ ନିର୍ବାଚନ ଲଢ଼ୁଥିବା ବାରାଣସୀରେ ମଧ୍ୟ ଆଜି ପ୍ରଚାର କରିଛନ୍ତି।

ଆସନ୍ତା ରବିବାର  ୫୯ ଲୋକସଭା ଆସନର ପ୍ରାୟ  ୬ କୋଟିରୁ ଅଧିକ ଭୋଟର୯୧୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ପର୍ଯ୍ୟାୟରେ  ୨୪ ଜଣ ସାଂସଦ ପୁଣି ଥରେ ନିର୍ବାଚନ ମୈଦାନରେ ଅଛନ୍ତି ।  ପ୍ରମୁଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାରାଣାସୀ  ଆସନରୁ ଏସ୍‌ପି-ବିଏସ୍‌ପି ମେଣ୍ଟର ସମାଜବାଦୀ ପାର୍ଟି ପ୍ରାର୍ଥୀ ଶାଳିନୀ ଯାଦବ, ଗାଜିପୁର ଆସନରୁ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ  ବିଏସ୍‌ପି ପ୍ରାର୍ଥୀ ଅଫଜଲ୍ ଅନସାରୀ । ସେହିପରି ଗୋରଖପୁରରୁ ଭୋଜପୁରୀ ଅଭିନେତା ରବି କିଷନ, ବିହାର ପାଟଳୀପୁତ୍ରରୁ ବିଜେପି ପ୍ରାର୍ଥୀ ରାମ କୃପାଲ ଯାଦବ, ସାସରାମ ଆସନରୁ କଂଗ୍ରେସ ପ୍ରାର୍ଥୀ ମୀରା କୁମାରଙ୍କ ଭାଗ୍ୟ ମଧ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରିତ ହେବ।   

ସେହିପରି ପଞ୍ଜାବର ଗୁରୁଦାସପୁରରୁ ଅଭିନେତା ସନ୍ନି ଦେଓଲ, ଚଣ୍ଡୀଗଡରୁ ଆସନରୁ ବିଜେପିର କିରନ ଖେର ଏବଂ କଂଗ୍ରେସର ପଓ୍ୱନ ବଂଶଲଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେଉଛି । ଆସନ୍ତା ୨୩ରେ  ଭୋଟ ଗଣନା ସହ ଫଳାପଳ ଘୋଷଣା କରାଯିବ। 

Comments are closed.