ଷଷ୍ଠ ପର୍ଯ୍ୟାୟ ନିର୍ବାଚନ : ଶୁକ୍ରବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର କାର୍ଯ୍ୟ

ନୂଆଦିଲ୍ଲୀ : ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶୁକ୍ରବାର (ଆସନ୍ତାକାଲି) ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ତେଣୁ ପ୍ରଚାର କାର୍ଯ୍ୟ ଏବେ ଚରମ ଶୀର୍ଷରେ ପହଞ୍ଚିଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ନିର୍ବାଚନ ମଣ୍ଡଳୀରେ ଆସନ୍ତା ରବିବାର ଦିନ ଭୋଟଗ୍ରହଣ ହେବ। ଉତ୍ତରପ୍ରଦେଶର ୧୪ଟି ଆସନ,  ହରିୟାଣାର ୧୦ଟି, ପଶ୍ଚିମବଙ୍ଗ, ବିହାର ଓ ମଧ୍ୟପଦେଶରେ ୮ଟି ଲେଖାଏଁ, ଦିଲ୍ଲୀର ୭ଟି ଏବଂ ଝାଡଖଣ୍ଡର ୪ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ ହେବ।

ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତା ଦେଶର ବିଭିନ୍ନ ଅଞ୍ଚଳରେ ସଭା, ଶୋଭାଯାତ୍ରା, ରାଲି ଓ ରୋଡ ଶୋ’ମାନ ଆୟୋଜନ କରି ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ମଳଡାଙ୍ଗଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରରେ ଏକ ଦୃଢ଼ ସରକାର ସପକ୍ଷରେ ଲୋକମାନେ ମତଦାନ କରୁଛନ୍ତି। ତୃଣମୂଳ କଂଗ୍ରେସ କର୍ମୀମାନଙ୍କର ଗୋଷ୍ଠୀଗତ ରାଜନୀତି ଯୋଗୁଁ କେନ୍ଦ୍ର ସରକାରଙ୍କର କଲ୍ୟାଣମୂଳକ ଯୋଜନା ଗୁଡ଼ିକର ସୁଫଳ ପଶ୍ଚିମବଙ୍ଗରେ ସାଧାରଣ ଲୋକମାନଙ୍କ ପାଖରେ ପହଞ୍ଚିପାରୁ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ରାଜ୍ୟର ଗରିବ ଲୋକମାନଙ୍କୁ ଚିକିତ୍ସା ସୁବିଧା ପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ମଧ୍ୟ ଦେଉନାହାନ୍ତି । ଶ୍ରୀ ମୋଦୀ ପୁରୁଲିଆ ଏବଂ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳରେ ଏକ ସାଧାରଣ ସଭାରେ ଆଜି ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।


ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦିଲ୍ଲୀ, ହରିୟାଣା ଓ ମଧ୍ୟପ୍ରଦେଶରେ ପ୍ରଚାର କରିଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା
ଗାନ୍ଧୀ ଉତ୍ତରପ୍ରଦେଶରେ ରାଲି ଓ ରୋଡ ଶୋ’ରେ ଯୋଗଦେଇଥିଲେ। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ଦୁମୁରିଆଗଞ୍ଜ ନିର୍ବାଚନ
ମଣ୍ଡଳୀର ସିଦ୍ଧାର୍ଥନଗରରେ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିଲେ।

ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ଆସନ୍ତା ୧୯ ତାରିଖରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୫୯ଟି ସଂସଦୀୟ କ୍ଷେତ୍ରରେ ଭୋଟ୍‍ ଗ୍ରହଣ ହେବ। ଆସନ୍ତା ୨୩ ତାରିଖରେ ଭୋଟ୍‍ଗଣତି ଓ ଫଳାଫଳ ଘୋଷଣା ହେବ।

Comments are closed.