ପ୍ରଚାର ଶେଷ – ୨୦ରେ ଝାଡ଼ଖଣ୍ଡର ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ବୁଧବାର ପ୍ରଚାର ଶେଷ ହୋଇଛି। ସାନ୍ତାଳ ପ୍ରଗଣା ଅଞ୍ଚଳର ସାହେବଗଞ୍ଜ, ପାକୁର, ଡୁମକା, ଜାମତାଡ଼ା, ଦେଓଘର ଓ ଗୋଡ଼ା ଜିଲ୍ଲାର ୧୬ଟି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ଦିନ ଏହି ପର୍ଯ୍ୟାୟରେ ମତଦାନ ହେବ। ବିଜେପି, କଂଗ୍ରେସ, ଜେ.ଏମ୍‍.ଏମ୍‍., ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଓ ଏ.ଜେ.ଏସ୍‍.ୟୁ. ସମେତ ସବୁ ରାଜନୈତିକ ଦଳଗୁଡ଼ିକର ତୁଙ୍ଗନେତାମାନେ ଭୋଟରମାନଙ୍କୁ ଆତ୍କୃଷ୍ଟ କରିବା ପାଇଁ ଶେଷ ଉଦ୍ୟମ କରିଥିଲେ। ଦେଓଘରର ସାରଥଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗକୁ ମିଳୁଥିବା ସଂରକ୍ଷଣ ଉପରେ କୌଣସି ପ୍ରଭାବ ବିନା ଓ.ବି.ସି.ମାନଙ୍କୁ ଅତିରିକ୍ତ ସଂରକ୍ଷଣ ଯୋଗାଇବା ଲାଗି ଏକ କମିଟି ଗଠନ କରିବ।

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାକୁ ଫେରିଲେ ବିକାଶ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ। ଜେଏମ୍‍ଏମ୍‍. ଓ ଆରଜେଡି ନେତାମାନଙ୍କ ସହ ପାକୁରଠାରେ ଏକ ନିର୍ବାଚନ ସଭାରେ ଅଂଶଗ୍ରହଣ କରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ବାଡ୍ରା କହିଛନ୍ତି, ବିଜେପି ଝାଡ଼ଖଣ୍ଡର ଲୋକମାନଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି। ରଘୁବର ଦାସ ସରକାରଙ୍କର ସମାଲୋଚନା କରି ସେ କହିଛନ୍ତି, ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ଜମି ଉପରୁ ଅଧିକାର ହରାଇଛନ୍ତି। ମହାମେଣ୍ଟ ସପକ୍ଷରେ ମତଦାନ କରିବାକୁ ଭୋଟରମାନଙ୍କୁ ନିବେଦନ କରି ଜେଏମ୍‍ଏମ୍‍. ସଭାପତି ଶିବୁସୋରେନ କହିଛନ୍ତି, ବିଜେପି ଶାସନ କାଳରେ ଆଦିବାସୀ ସମ୍ପ୍ରଦାୟର ସ୍ୱାର୍ଥକୁ ଉପେକ୍ଷା କରାଯାଇଛି।

ଝାଡ଼ଖଣ୍ଡ ବିକାଶମୋର୍ଚ୍ଚା ସଭାପତି ବାବୁଲାଲ ମରାଣ୍ଡି ତାଙ୍କ ଦଳ କ୍ଷମତାକୁ ଆସିଲେ ଝାଡ଼ଖଣ୍ଡରେ ଶିଳ୍ପ ସଂସ୍ଥାମାନ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.