ମହାରାଷ୍ଟ୍ର-ହରିୟାଣା ନିର୍ବାଚନ: ଆଜି ସରୁଛି ପ୍ରଚାର, ୨୧ରେ ଭୋଟ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏହା ବ୍ୟତୀତ ଉତ୍ତର ପ୍ରଦେଶର ୧୧, ହିମାଚଳ ପ୍ରଦେଶର ୨ଟି ସମେତ ଦେଶର ବିଭିନ୍ନ ରାଜ୍ୟର ୬୪ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ହେବ। ତେଣୁ ଏହାର ଦିନକ ପୂର୍ବରୁ ଅର୍ଥାତ ଶନିବାର ନିର୍ବାଚନ ପାଇଁ ପ୍ରଚାର ଶେଷ ହେଉଛି। ସନ୍ଧ୍ୟା ପରଠାରୁ ପ୍ରଚାର ବନ୍ଦ ରହିବ।

ଶନିବାର ଗୋଟିଏ ଦିନ ଥିବାରୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି। ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବରିଷ୍ଠ ନେତାମାନେ ଉଭୟ ରାଜ୍ୟରେ ପ୍ରଚାର ମଙ୍ଗ ଧରିଥିବାବେଳେ କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଦଳ ପାଇଁ ପ୍ରଚାର କରୁଛନ୍ତି।

ମହାରାଷ୍ଟ୍ରର ୨୮୮ ଏବଂ ହରିୟାଣାର ୯୦ ଆସନ ପାଇଁ ଭୋଟ ଗ୍ରହଣ ହେବ। ଉତ୍ତର ପ୍ରଦେଶର ୧୧ ଆସନରେ ହେବାକୁ ଥିବା ଉପନିର୍ବାଚନ ଲାଗି ୧୧୦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେପି ପ୍ରାର୍ଥୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ରଦେବ ସିଂହଙ୍କ ସମେତ ମନ୍ତ୍ରୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତ ବିଧାନସଭା କ୍ଷେତ୍ରରେ ୨୧ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।

Comments are closed.