ଖର୍ଚ୍ଚ ହୋଇପାରୁନି କାମ୍ପା ଅର୍ଥ; ଫେରିଛି ୧୧.୮କୋଟି

କେନ୍ଦୁଝରଗଡ : ଖଣିଜ ସମ୍ପଦ ଉତ୍ତୋଳନ ପାଇଁ ଜଙ୍ଗଲ ସମ୍ପଦକୁ ନଷ୍ଟ କରିବାକୁ ପଡୁଥିବାରୁ ଏହାର ଭରଣା ପାଇଁ ବିଭିନ୍ନ ଖଣି ପକ୍ଷରୁ ସରକାରଙ୍କ ନିକଟରେ ଧାର୍ଯ୍ୟ ଅର୍ଥ ଜମା କରାଯାଇଥାଏ। ପରବର୍ତ୍ତୀ ସମୟରେ ଉକ୍ତ ଅର୍ଥକୁ କ୍ଷତିପୂରକ ବନୀକରଣ ପରିଚାଳନା ରାଶି (କାମ୍ପା) ଭାବେ ସମ୍ପୃକ୍ତ ବନବିଭାଗ କାର୍ଯ୍ୟାଳୟକୁ କେନ୍ଦ୍ର ସରକାର ଅନୁଦାନ ପ୍ରଦାନ ପରେ କ୍ଷତିପୂରକ ବନୀକରଣ ଯୋଜନାରେ ଚାରାରୋପଣ କରି ନୂତନ ବନୀକରଣ ସୃଷ୍ଟି କରାଯାଇଥାଏ।
୨୦୦୯-୧୦ ଆର୍ଥିକ ବର୍ଷରୁ ଏହି ଯୋଜନା ଆରମ୍ଭ ହୋଇ ବନ ବିଭାଗକୁ ଅନୁଦାନ ରାଶି ଯୋଗାଇ ଦିଆଯାଇଆସୁଛି। କେନ୍ଦୁଝର ଜିଲାରେ ମାତ୍ରାଧିକ ଖଣି ଉତ୍ତୋଳନ ଯୋଗୁଁ ବ୍ୟାପକ ଜଙ୍ଗଲସମ୍ପଦ ନଷ୍ଟ ହେଉଛି। ନୂତନ ବନୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ଆସୁଥିଲେ ହେଁ ରାଜ୍ୟ ସରକାରଙ୍କ ଏହି ଯୋଜନା କେନ୍ଦୁଝର ଜିଲାରେ ଫେଲ୍‌ ମାରିଛି। ୨୦୦୯-୧୦ରୁ ୨୦୧୯-୨୦ ଆର୍ଥିକ ବର୍ଷ ୧୦ ବର୍ଷରେ କାମ୍ପା ଯୋଜନାରେ କେନ୍ଦୁଝର ବନବିଭାଗକୁ ୯୭ କୋଟି ୯୭ ଲକ୍ଷ ୪୮ ହଜାର ୯୭୮ ଟଙ୍କା ଅନୁଦାନ ମିଳିଥିଲା। ସେଥିମଧ୍ୟରୁ ୮୬ କୋଟି ୮୯ ଲକ୍ଷ ୪୯ ହଜାର ୫୭୨ ଟଙ୍କା ୫୦ ପଇସା ଖର୍ଚ୍ଚ ହୋଇଥିବାବେଳେ ୧୧ କୋଟି ୭ଲକ୍ଷ ୯୯ ହଜାର ୪୦୫ ଟଙ୍କା ୫୦ ପଇସା ଖର୍ଚ୍ଚ ନହୋଇ ଫେରିଯିବା ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କାମ୍ପା ଯୋଜନାରେ ମିଳୁଥିବା ଅନୁଦାନ ରାଶି କେବଳ କ୍ଷତିପୂରକ ବନୀକରଣ ପାଇଁ ଖର୍ଚ୍ଚ ହେବା ନିୟମ ରହିଛି। ମାତ୍ର ଅନୁଦାନ ରାଶିରୁ ୨୦୧୦-୧୧ ଆର୍ଥିକ ବର୍ଷରେ ୫ ଲକ୍ଷ ୫୪ହଜାର ୩୬୮ଟଙ୍କାରେ
ଗୋଟିଏ ବୋଲେରୋ କ୍ୟାମ୍ପର ଓ ୬୦ ହଜାର ୫୯୮ଟଙ୍କା ବ୍ୟୟରେ ଗୋଟିଏ ବାଇକ ଏବଂ ୨୦୧୧-୧୨ ଆର୍ଥିକ ବର୍ଷରେ ୬ଲକ୍ଷ ୬୦ହଜାର ୨୨୬ଟଙ୍କା ବ୍ୟୟରେ ଗୋଟିଏ ଟାଟା-୨୦୭ ଓ ୩ଲକ୍ଷ ୪୮ହଜାର ୯୫ଟଙ୍କା ବ୍ୟୟରେ ୬ଟି ବାଇକ୍‍କୁ ମିଶାଇ ମୋଟ ୧୬ଲକ୍ଷ ୨୩ ହଜାର ୨୮୭ଟଙ୍କା ଜଙ୍ଗଲ ସୁରକ୍ଷା ପାଇଁ କର୍ମଚାରୀ ନିୟୋଜିତ ଲକ୍ଷ୍ୟରେ ଯାନ କ୍ରୟ କରାଯାଇଛି। ବନୀକରଣ ପାଇଁ ମିଳିଥିବା ଅନୁଦାନ ରାଶିରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୩କୋଟି ୯ଲକ୍ଷ ୯୭ହଜାର ୮୨୩ଟଙ୍କା ୯୦ପଇସା ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ୨କୋଟି ୮୬ଲକ୍ଷ ୮୧ହଜାର ୪୬୪ଟଙ୍କା ୨୦ପଇସା ଫେରି ଯାଇଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କାମ୍ପା ଯୋଜନାରେ କେନ୍ଦୁଝର ବନବିଭାଗକୁ ମଞ୍ଜୁର ୧୬କୋଟି ଟଙ୍କା ମଧ୍ୟରୁ ଅଦ୍ୟାବଧି ୯କୋଟି ୬୫ଲକ୍ଷ ୬୯ହଜାର ୮୧୫ଟଙ୍କା ଅନୁଦାନ ମିଳିସାରିଛି। ସେଥିମଧ୍ୟରୁ ମାତ୍ର ୪କୋଟି ୮୬ଲକ୍ଷ ୭୧ହଜାର ୭୫୮ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମଞ୍ଜୁର ରାଶିରୁ ୬କୋଟି ୩୦ଲକ୍ଷ ୧୮୫ଟଙ୍କା ଏପର୍ଯ୍ୟନ୍ତ ମିଳି ନାହିଁ।
କାମ୍ପା ଯୋଜନାରେ କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ୭ଟି ରେଞ୍ଜରେ ୨୦୧୦-୧୧ରୁ ୨୦୨୦-୨୧ ଆର୍ଥିକ ବର୍ଷ ସୁଦ୍ଧା ୧୨୨୭୯.୪୮୯୭ହେକ୍ଟର ଜମିରେ ୪୭୬୬୨୭୦ ଚାରାରୋପଣ କରାଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ଖଣିଜ ସମ୍ପଦ ଉତ୍ତୋଳନ ଯୋଗୁଁ ବ୍ୟାପକ ଜଙ୍ଗଲସମ୍ପଦ ନଷ୍ଟ ହେଉଥିବା ବଡବିଲ ଫରେଷ୍ଟ ରେଞ୍ଜରେ ସବୁଠାରୁ କମ୍‍ ୭୩୧.୪୨୯୬ ହେକ୍ଟର ଜମିରେ ୧୭୪୩୫୨ଟି ଚାରାରୋପଣ କରାଯାଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।
କାମ୍ପା ଅନୁଦାନ ରାଶିରେ ହେଉଥିବା କ୍ଷତିପୂରକ ବନୀକରଣ ଯୋଜନାରେ ଭୂୟାଁ ଜୁଆଙ୍ଗ ପୀଢ଼(ବିଜେପି) ରେଞ୍ଜରେ ସର୍ବାଧିକ ୩୦୬୫.୬୦୮୨ ହେକ୍ଟର ଜମିରେ ୧୬୪୭୧୦୯ଟି ଚାରାରୋପଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ପ୍ରକୃତପକ୍ଷେ ଚାରାରୋପଣ କରାଯାଇଥିବା ଅଞ୍ଚଳ ଜଙ୍ଗଲ ଜମିରେ ହୋଇଥିବାରୁ ଏହି ଯୋଜନାର ସଫଳତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ଡିଏଫଓ ସ୍ୱୟମ୍‍ ମଲ୍ଲିକଙ୍କ ସହ ଯୋଗାଯୋଗ କରାଯିବାରେ କ୍ଷତିପୂରକ ବନୀକରଣ ଯୋଜନାରେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ରାଶି ଆର୍ଥିକ ବର୍ଷର ଶେଷ ପର୍ଯ୍ୟାୟରେ ପହଞ୍ଚୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ। ଫଳରେ ଫେରାଇବାକୁ ବାଧ୍ୟ ହେଉଛୁ। ଯୋଜନାରେ ଚାରାରୋପଣ ଓ ରୋପଣ ପରବର୍ତ୍ତି ସମୟରେ ଏହାର ରକ୍ଷଣାବେକ୍ଷଣ ସହ ତଦାରଖ ପାଇଁ ଆବଶ୍ୟକ କର୍ମଚାରୀ ଅଭାବରୁ କାମ୍ପା ଯୋଜନାରେ ମିଳୁଥିବା ଅନୁଦାନ ରାଶି ଖର୍ଚ୍ଚ ହୋଇପାରୁନାହିଁ। ବିଭାଗୀୟ ଅନୁମତି ଥାଇ କାମ୍ପା ଯୋଜନାରେ ଯାନ କ୍ରୟ କରାଯାଇଥିବା ବେଳେ ଏଥିରେ କୌଣସି ଅନିୟମିତତା ହୋଇନଥିବା ସେ କହିଛନ୍ତି।

Comments
Loading...