ରକ୍ଷାବନ୍ଧନ ପରେ ଦୀପାବଳିରେ ଚୀନ ସାମଗ୍ରୀ ଆମଦାନୀ ହ୍ରାସ ନିମନ୍ତେ ବ୍ୟବସାୟୀ ମହାସଂଘର ଉଦ୍ୟମ

ଆମଦାନୀ ଶୁଳ୍କ ବୃଦ୍ଧି ନିମନ୍ତେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ

ନୂଆଦିଲ୍ଲୀ: କରୋନା ଭୂତାଣୁର ସୃଷ୍ଟିକର୍ତା କୁହାଯାଉଥିବା ଚୀନ ପକ୍ଷରୁ ଭାରତ ସୀମାରେ ଯେଉଁ ବିବାଦ ଆରମ୍ଭ ହୋଇଛି ତାହା ଧୀରେଧୀରେ ଭାରତରେ ଚୀନ ବିରୋଧୀ ମନୋଭାବକୁ ତୀବ୍ର କରିବାରେ ଲାଗିଛି । ଏହି ସ୍ଥିତିରେ ଭାରତୀୟ ବ୍ୟବସାୟୀ ମହାସଂଘ ( ସିଏଆଇଟି) ରକ୍ଷାବନ୍ଧନ ପରେ ଦୀପାବଳିରେ ଚୀନକୁ ଏକ ବଡ଼ ବ୍ୟବସାୟିକ ଧକ୍କା ଦେବା ପାଇଁ ଅଣ୍ଟା ଭିଡ଼ିଛି ।  ଆଗାମୀ ଦୀପାବଳିରେ ଭାରତୀୟ ବ୍ୟବସାୟୀମାନେ ଚୀନରୁ କୌଣସି ଆଲୋକ, ଦୀପ ବା ଆନୁଷଙ୍ଗିକ ସାମଗ୍ରୀ ଆମଦାନୀ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । କେବଳ ସେତିକି ନୁହେଁ ସରକାରଙ୍କ ସମର୍ଥନ ଏଥିଲାଗି ମିଳିବ ବୋଲି ସେମାନେ ଆଶା ରଖିଛନ୍ତି । ସଙ୍ଗଠନ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖାଯାଇଛି ଏବଂ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକ ବହିଃଶୁଳ୍କ ଲାଗୁ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି ।
ବ୍ୟବସାୟୀ ମହାସଂଘ ସରକାରଙ୍କୁ ଅନୁରୋଧ କରିଛି ଯେ ଚୀନ ନିଜ ସାମଗ୍ରୀ ଭାରତ ପଠାଇବା ନିମନ୍ତେ ବିକଳ୍ପ ରାସ୍ତା ଖୋଜୁଛି । ଅନ୍ୟ ଦେଶ ଦେଇ ଏହି ସାମଗ୍ରୀ ଭାରତ ପଠାଇବା ଲକ୍ଷ୍ୟ ରଖିଛି । ଯାହା ଉପରେ ତୀକ୍ଷ୍ମ ନଜର ରଖାଯିବାକୁ ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କୁଅ ନୁରୋଧ କରିଛି । ଅନ୍ୟ ଦେଶରୁ ଭାରତ ଆସୁଥିବା ସାମଗ୍ରୀ ଉପରେ ନିର୍ମାଣକାରୀ ଦେଶର ନାମ ଉଲ୍ଲେଖକୁ ବାଧ୍ୟତାମୂଳକ କରିବାକୁ ସଙ୍ଗଠନ ପ୍ରସ୍ତାବ ଦେଇଛି । ସେହିପରି ଭାରତରେ ଚୀନ କମ୍ପାନୀ ହୁୱାଇ ଓ ଜେଡ଼ଟିଇ କମ୍ପାନୀର ୫ଜି ପରୀକ୍ଷା ଓ ଅନ୍ୟ ୩୦ ଚୀନ ମୋବାଇଲ ଆପ୍ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଉ ବୋଲି ବ୍ୟବସାୟୀ ମହାସଂଘ ଅନୁରୋଧ କରିଛି ।
ଚୀନରୁ ଆମଦାନୀ ହେଉଥିବା ବିଭିନ୍ନ ଠାକୁରଙ୍କ ମୂର୍ତି, ଇଲେକ୍ଟ୍ରିକ ସାମଗ୍ରୀ, ସଜାସଜିରେ ବ୍ୟବହାର ହେଉଥିବା ସାମଗ୍ରୀ, ଖେଳନା, ଲୁଗାପଟା, ଘରୋଇ ବ୍ୟବହାର ଉପକରଣ, କ୍ୟାମେରା, ବୈଦ୍ୟୁତିକ ସାମଗ୍ରୀ, ବ୍ୟାଟେରୀ, ଇନଭର୍ଟର, ସଫେଇ ଉପକରଣ, କାଠ ସାମଗ୍ରୀ, ଆଲୁମିନିୟମ ବାସନ, କାଗଜ ଓ ଷ୍ଟେସନାରୀ ସାମଗ୍ରୀ ଆଦି ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ନିମନ୍ତେ ବ୍ୟବସାୟୀ ମହାସଂଘ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛି ।

Comments are closed.