ସିଏଜି ରିପୋର୍ଟ-ରାଜ୍ୟକୁ ମିଳିଛି ସର୍ବାଧିକ ୪୮୧ କୋଟି ସିଏସଆର ପାଣ୍ଠି

- ଦ୍ୱିତୀୟରେ ଉତ୍ତର ପ୍ରଦେଶ ଓ ତୃତୀୟରେ ଆସାମ

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟ ଅନୁଯାୟୀ ୨୦୧୮-୧୯ ବର୍ଷରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସର୍ବାଧିକ ୪୮୧ କୋଟି ସିଏସଆର ପାଣ୍ଠି ଖର୍ଚ୍ଚ ହୋଇଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶକୁ ୩୨୮ କୋଟି ଓ ଆସାମକୁ ୩୦୭ କୋଟି ସିଏସଆର ପାଣ୍ଠି ମିଳିଛି। ଓଡ଼ିଶାରେ ସିଏସଆର ଅର୍ଥ ଖର୍ଚ୍ଚ କରିବାରେ ମହାନଦୀ କୋଲ୍‌ ଫିଲଡ଼ ଲିମିଟେଡ଼ ଓ ଭାରତୀୟ ତୈଳ ନିଗମ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ଅଛନ୍ତି। ଏହି ଆର୍ଥିକବର୍ଷରେ ଓଡ଼ିଶାରେ ଏମସିଏଲ ୧୬୭ କୋଟି ଓ ଆଇଓସିଏଲ ୧୪୬ କୋଟି ଖର୍ଚ୍ଚ କରିଥିଲେ।

ସିଏଜି ରିପୋର୍ଟ ତଥ୍ୟ ଅନୁଯାୟୀ ୨୦୧୮-୧୯ ବର୍ଷରେ ୮୨ଟି ରାଷ୍ଟ୍ରାୟତ ଉଦ୍ୟୋଗ ୩୭୩୪.୩୯ କୋଟି ରାଶି କର୍ପୋରେଟ ସୋସିଆଲ ରେସପନ୍ସବିଲିଟି (ସିଏସଆର) ପ୍ରକଳ୍ପରେ ଖର୍ଚ୍ଚ କରିବାକୁ ମଞ୍ଜୁର କରିଥିଲେ। ଏହି ସମୟକାଳରେ ୩୨୭୧.୬୭ କୋଟି ରାଶି ଖର୍ଚ୍ଚ ହୋଇପାରିଥିଲା। ଫଳରେ ରାଷ୍ଟ୍ରାୟତ ଉଦ୍ୟୋଗର ୩୧୪.୧୯ କୋଟି ଖର୍ଚ୍ଚ ହୋଇ ନପାରି ବଳକା ରହିଯାଇଥିଲା। ରାଷ୍ଟ୍ରାୟତ ଉଦ୍ୟୋଗ ସିଏସଆର ପାଣ୍ଠିର ସର୍ବାଧିକ ଅଂଶ ଅର୍ଥାତ୍‍ ଓଡ଼ିଶାରେ ୨୦ ପ୍ରତିଶତ, ଉତ୍ତର ପ୍ରଦେଶରେ ୧୪ ପ୍ରତିଶତ, ଆସାମରେ ୧୦ ପ୍ରତିଶତ, ଛତିଶଗଡ଼ରେ ୯ ପ୍ରତିଶତ, ଗୁଜୁରାଟରେ ୮ ପ୍ରତିଶତ, ମହାରାଷ୍ଟ୍ରରେ ୭ ପ୍ରତିଶତ ଖର୍ଚ୍ଚ ହୋଇଥିଲା। ଚାରିଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରାଖଣ୍ଡକୁ ୫ ପ୍ରତିଶତ ଲେଖାଏଁ ସିଏସଆର ଅନୁଦାନ ମିଳିଥିଲା।

ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନସ୍ଥ ୧୨ଟି ରାଷ୍ଟ୍ରାୟତ ଉଦ୍ୟୋଗ ଦେଶରେ ସର୍ବାଧିକ ୧୮୧୭.୬୫ କୋଟି ସିଏସଆର ପାଣ୍ଠି ବ୍ୟୟ କରିଛନ୍ତି। ପଛକୁ ଶକ୍ତିକ୍ଷେତ୍ରର ୧୫ଟି ଉଦ୍ୟୋଗର ୮୦୦.୧୯ କୋଟି ଓ ଖଣି କ୍ଷେତ୍ରର ୯ଟି ଉଦ୍ୟୋଗର ୬୪୧.୮୮ କୋଟି ରାଶି ରହିଛି। ରାଷ୍ଟ୍ରାୟତ ଉଦ୍ୟୋଗ ଓଏନଜିସି ସମୁଦାୟ ସିଏସଆର ବ୍ୟୟର ୧୬ ପ୍ରତିଶତ ଅର୍ଥାତ ୬୧୪.୬୪ କୋଟି, ଆଇଓସିଏଲ ୪୯୦.୬୦ କୋଟି, ଏନଟିପିସି ୨୮୫.୪୬ କୋଟି, ପିଜିସିଏଲ ୧୯୫.୫୧ କୋଟି ଓ ବିପିସିଏଲ ୧୭୭.୯୪ କୋଟି ରାଶି ଖର୍ଚ୍ଚ କରିଥିଲେ।

Comments are closed.