ସିଏଜି ରିପୋର୍ଟ ଧରିଛି ମାଳମାଳ ଦୁର୍ନୀତି : ବହୁ କ୍ଷେତ୍ରରେ ଅନିୟମିତତା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଯୋଜନାଗୁଡିକରେ ଦୁର୍ନୀତି ପଶିଛି। ଅଧିକାରୀମାନେ ଦୂରଦୃଷ୍ଟି ସମ୍ପନ୍ନ ଭାବେ କାର୍ଯ୍ୟ ନକରିବା ଦ୍ବାରା ବିଜୁ ଗାଁ ଗାଡି ଯୋଜନା ବିଫଳ ହୋଇଛି। ପରିବହନ, ଶିଳ୍ପ, ସମବାୟ, ଓପିଟିସିଏଲ୍‌, ଇଡକୋ ଏବଂ ପୋଲ ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ଭାରତ ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ତାଙ୍କ ରିପୋର୍ଟରେ ଉଲ୍ଳେଖ କରିଛନ୍ତି। ବିଧାନସଭାରେ ଗତକାଲି ସିଏଜି ରିପୋର୍ଟ ଉପସ୍ଥାପନ ପରେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ ଏବଂ ଉପ-ମହାଲେଖାକାର କେ. ସୁଜିଥ୍‌ ଏ ସଂକ୍ରାନ୍ତରେ ବିସ୍ତୁତ ସୂଚନା ଦେଇଛନ୍ତି। ଅଡିଟ ବେଳେ କେତେକ କାର୍ଯ୍ୟାଳୟର ଅଧିକାରୀ ସହଯୋଗ କରି ନଥିଲେ ବୋଲି ସେମାନେ ଉଲ୍ଳେଖ କରିବା ସହିତ ଯେଉଁ ବିଭାଗରେ ଦୁର୍ନୀତି ହୋଇଛି ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
ଆର୍ଥିକ ଦୃଷ୍ଟିରୁ ପଛୁଆ ଅନୁସୂଚିତ ବ୍ଲକର ପାହାଡିଆ, ଆଭ୍ୟନ୍ତରୀଣ, ଅପହଞ୍ଚ ଗାଁ ଏବଂ ରାଜ୍ୟର ଅନ୍ୟ ପଛୁଆ ଅଞ୍ଚଳର ସ୍ଥାନୀୟବାସିନ୍ଦାଙ୍କୁ ପରିବହନ ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ‘ବିଜୁ ଗାଁ ଗାଡ଼ି ଯୋଜନା’ (ବିଜିଜିୱାଇ)କରିଥିଲେ। ଯୋଜନାରେ ୧୦୦ଟି ବସ୍ କିଣିବା ପାଇଁ ରାଜ୍ୟ ସଡକ ପରିବହନ ନିଗମକୁ ୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ଥିଲା। କିନ୍ତୁ ସମନ୍ବୟ ଅଭାବ, ଯାତ୍ରୀ ସଂଖ୍ୟା ବିଚାରକୁ ନଦେବା ଓ ଅପରେଟରଙ୍କୁ ପ୍ରୋତ୍ସାହନ ନଦେବା ହେତୁ ଯୋଜନାର ବାସ୍ତବ ଲକ୍ଷ୍ୟ ହାସଲ ହୋଇ ପାରିନାହିଁ। ସିଏଜି ନଥିପତ୍ର ଯାଞ୍ଚରୁ ଜାଣିବାକୁ ପାଇଛନ୍ତି, ବିଜିଜିୱାଇର ପରମିଟ୍‌ ଜାରି କରାଯାଇ ନଥିଲା। ତା’ସହିତ ଷ୍ଟପେଜର ନିର୍ଦିଷ୍ଟ ସମୟ ଉଲ୍ଲେଖ ନକରି ପରମିଟ୍‌ ଜାରି କରାଯାଇ ଥିଲା। ଗାଡି ଚଳାଚଳାରେ ସମସ୍ୟା ହୋଇଥିଲା। ଯାହାଫଳରେ ନିର୍ଦିଷ୍ଟ ରୁଟରେ ଗ୍ରାମ୍ୟ ସଂଯୋଗୀକରଣ ବ୍ୟବସ୍ଥା ପ୍ରଭାବୀ ହୋଇ ପାରିନଥିଲା। ରାସ୍ତାଶୁଳ୍କ ଓ ପରମିଟ୍‌ ଫି ବାବଦରେ ୬୭.୯୧ ଲକ୍ଷ ଟଙ୍କା ଅନିୟମିତତା ଭାବେ ଛାଡ କରାଯାଇଥିଲା।
ରାଜ୍ୟ ସରକାର ଓପିଟିସିଏଲ୍‌ ଦ୍ବାରା ଓଡ଼ିଶା ବିତରଣ ବ୍ୟବସ୍ଥା ଉନ୍ନତିକରଣ ପ୍ରକଳ୍ପ ମାଧ୍ୟମରେ ବାତ୍ୟା ବନ୍ୟା ନିରୋଧି ବେଳେ ସୁଦୃଢ ବିଦ୍ୟୁତ୍‌ ବିତରଣ ବ୍ୟବସ୍ଥା କରିବାକୁ ୪୭୩ଟି ୩୩/୧୧ କେଭି ଉପକେନ୍ଦ୍ର ନିର୍ମାଣ ନିମନ୍ତେ ଲକ୍ଷ୍ୟ ରଖିଥିଲେ। ଯୋଜନା କାର୍ଯ୍ୟକାରୀରେ ବିଳମ୍ବ ଏବଂ ତ୍ରୁଟିପୂର୍ଣ୍ଣ ହେତୁ ପ୍ରକଳ୍ପ ସଫଳ ହୋଇପାରିନି। ସମୀକ୍ଷାରୁ ଜଣାପଡିଛି, ଉପକେନ୍ଦ୍ର ପାଇଁ ଜାଗା ହସ୍ତାନ୍ତରରେ ବିଳମ୍ବ, ଆବଶ୍ୟକତା ପୂର୍ବରୁ ସାମଗ୍ରୀ କିଣିବା ଏବଂ ଚୁକ୍ତି ପରିଚାଳନାରେ ତ୍ରୁଟି ଦ୍ବାରା ପ୍ରକଳ୍ପ ଉ‌େ‌ଦ୍ଦଶ୍ୟ ସାଧିତ ହେବାରେ ବାଧାପ୍ରାପ୍ତ ହୋଇଥିଲା। ଏହି ଯୋଜନାରେ ଓଡିିଶା ଶକ୍ତି ସଞ୍ଚାରଣ ନିଗମ ଟ୍ରାନ୍ସଫର୍ମର କ୍ରୟକୁ ଇପିସି ଠିକାଦାର ଚୁକ୍ତିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଫଳରେ ଓପିଟିସିଏଲ୍‌ ଟ୍ରାନ୍ସଫର୍ମର କ୍ରୟ କରିଥିଲା। ୯୪୬ ଟ୍ରାନ୍ସଫର୍ମର କ୍ରୟ ପାଇଁ ୧୭୩.୯୧ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିଲା। କିଣାଯାଇଥିବା ଟ୍ରାନ୍ସଫର୍ମର ଅନୁପଯୁକ୍ତ ହେବାରୁ ଉଚ୍ଚକ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ବସାଗଲା। ୨୨.୩୧ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେଲା। ସମବାୟ ସମିତି ଦ୍ବାରା କୃଷକଙ୍କୁ ସରକାର ରୁପେ କିଷାନ କାର୍ଡ ପ୍ରଦାନ କରିବା ପାଇଁ ଗତବର୍ଷ ଜାନୁଆରୀରେ ୧୭.୪୩ କୋଟି ଟଙ୍କା ଖର୍ଚ୍ଚରେ ୧୮.୪୮ ଲକ୍ଷ କାର୍ଡ ମ୍ୁଦ୍ରଣ କରିଥିଲେ। କାର୍ଡଗୁଡିକର ବୈଧ ସମୟ ସୀମା ସରିବା ଭିତରେ କୃଷକଙ୍କୁ ପ୍ରଦାନ କରାଯାଇ ନଥିଲା। କାର୍ଡଗୁଡିକ ନଷ୍ଟ ହୋଇଗଲା। ଫଳସ୍ବରୂପ ୧୭.୪୩ କୋଟି ଟଙ୍କା ପାଣିରେ ପଡିଥିଲା। ପରବର୍ତ୍ତୀ ସମୟରେ କାର୍ଡକୁ ସକ୍ରିୟ କରିବା ପାଇଁ କୌଣସି ନିଷ୍ପତ୍ତି ନିଆଗଲା ନାହିଁ। ସରକାର ଅଡିଟକୁ ଜଣାଇଥିଲେ ଯେ ପାକ୍ସ ସ୍ତରରେ ଖରାପ ନେଟୱାର୍କ ଏବଂ କୃଷକଙ୍କ ତଥ୍ୟ ପରୀକ୍ଷା ନିରୀକ୍ଷା ନହେବା ଦ୍ବାରା କାର୍ଡଗୁଡିକର କୋର ବ୍ୟାକିଂ ବ୍ୟବହୃତ ହୋଇ ପାରିଲାନି। ଫଳରେ କାର୍ଡକୁ ପୁନଃସକ୍ରିୟ କରିବା କିମ୍ବା ନୂତନ କାର୍ଡ ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଗଲା ନାହିଁ। ଯାହାଦ୍ବାରା ପୁରୁଣା କାର୍ଡଗୁଡିକୁ ରଦ୍ଦ କରି ଦିଆଗଲା।
ସେହିପରି ଶିଳ୍ପ ସଂସ୍ଥାଗୁଡିକୁ ଶୀଘ୍ର ଜମି ବଣ୍ଟନ କରିବା ପାଇଁ ଇଡକୋ ୧ ଲକ୍ଷ ଏକର ଭୂମି ବ୍ୟାଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଥିଲା। ଏ ଦିଗରେ ଇଡକୋ ଲକ୍ଷ୍ୟ ପୂରଣ କରିପାରି ନାହିଁ। ପୁଣି ଶିଳ୍ପନୀତି ନିର୍ଦ୍ଧାରଣକୁ ଉଲ୍ଲଘଂନ କରି ଦୁଇଟି ତାପଜ ବିଦ୍ୟୁତ୍‍ କେନ୍ଦ୍ର ଲାନକୋ ଏବଂ ଜିଏମ୍‌ଆରକୁ ୧୧୭ ଏକର ସରକାରୀ ଜମି ରିଆତି ଦରରେ ଆବଣ୍ଟନ କରିଛି। ବଜାର ଦର ୧୦ରୁ ୧୨ ଲକ୍ଷ ଟଙ୍କା ପରିବର୍ତ୍ତେ ୨ରୁ ୪ ଲକ୍ଷ ଟଙ୍କାରେ ପ୍ରଦାନ କରିଛି। ସଂସ୍ଥ୍‍ା ଜମି ପାଇବା ପାଇଁ ଅନୁପଯୁକ୍ତ ଥିବା ସତ୍ତ୍ବେ ଇଡକୋ ୧୦.୦୪ କୋଟି ଟଙ୍କା କ୍ଷତିରେ ଜମି ପ୍ରଦାନ କରିଥିଲା। ଗୋପାଳପୁରଠାରେ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ଇଡକୋ ୫୩୭.୮୨ ଏକର ଜମି ଟାଟା ଆଇରନ ଆଣ୍ଡ୍‍ ଷ୍ଟିଲ କମ୍ପାନୀ ଲିମିଟେଡ(ଟିସ୍କୋ)କୁ ଦେଇଥିଲା। ଟିସ୍କୋକୁ ଯେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା ସେହି ଉ‌େ‌ଦ୍ଦଶ୍ୟରେ କମ୍ପାନୀ ବ୍ୟବହାର କରୁନାହିଁ। ଇଡକୋ ଜମି ଫେରାଇ ଆଣିବା ପରିବର୍ତ୍ତେ ୨୦୧୪-୧୮ରେ ଏହି ଜମିକୁ ବିକଳ୍ପ ଭାବେ ବ୍ୟବହାର କରିବାକୁ ପୁଣି ଆନୁଷ୍ଠାନିକ ଭାବେ ଆବଣ୍ଟନ କରିଛି। ଏହାଫଳରେ ୧୪.୨୩ କୋଟି ଟଙ୍କାର ଜମି ପ୍ରିମିୟମ୍‍ ଏବଂ ୧.୪୨ କୋଟି ଟଙ୍କାର ପ୍ରଶାସନିକ ଦେୟ କମ ଆଦାୟ ହୋଇଛି। ଅନ୍ୟପକ୍ଷରେ ଡେରାସ୍‍ଠାରେ ମେଗା ଫୁଡପାର୍କ ପାଇଁ ଇଡକୋ ଶିଳ୍ପ ବିଭାଗର ବିନା ବିଜ୍ଞପ୍ତିରେ ୧୮ ପ୍ରତିଷ୍ଠାନକୁ ୬୨.୧୬ ଏକର ଜମି ଆବଣ୍ଟନ କରିଥିଲା। ଏହାଦ୍ୱାରା ୧୦.୧୬ କୋଟି ଟଙ୍କା ସ୍ୱଳ୍ପ ଆଦାୟ ହୋଇଛି। ୧୦ ଶିକ୍ଷାନୁଷ୍ଠାନକୁ ୧୭୧.୩୪ ଏକର ଜମି ଆବଣ୍ଟନ କରାଯାଇଛି। ଜମି ମୂଲ୍ୟ ନିର୍ଣ୍ଣୟ ନକରି ଇଡକୋ ଜମି ପ୍ରଦାନ କରିଛି। ଯାହାଦ୍ୱାରା ୧୮.୨୯ କୋଟି ଟଙ୍କା କମ ଆଦାୟ ହୋଇଛି। ସରକାର ପ୍ରାଥମିକ ସମବାୟ ସମିତି ଦ୍ବାରା କୃଷକଙ୍କୁ ଋଣ ପ୍ରଦାନ କରୁଛନ୍ତି। କିନ୍ତୁ ପୁରୁଣା ଋଣର ପରିଶୋଧ କରିବା ନିମନ୍ତେ କୃଷକଙ୍କୁ ନୂତନ ଋଣ ମଞ୍ଜୁର କରି ଦିଆଯାଇଛି। ଏହାଦ୍ବାରା କୃଷକ ଚିରସ୍ଥାୟୀ ଭାବେ ଋଣଗ୍ରସ୍ତ ହେଉଛନ୍ତି। କୃଷି ସହାୟତା କେନ୍ଦ୍ର ଗଠନର ପ୍ରକାର ଭେଦ ନିର୍ଣ୍ଣୟ କରିବାରେ ଶିଥିଳତା ଯୋଗୁଁ କୃଷକ କୃଷି ଉପକରଣ ଭଡାରେ ପାଇବାରୁ ବଞ୍ଚିତ ହେଉଛନ୍ତି। ହେଲେ ଓଡ଼ିଶା କୃଷି ଶିଳ୍ପ ନିଗମକୁ ଏ ବାବଦରେ ୧୪.୪୩ କୋଟି ଟଙ୍କା ଦିଆଯାଇଛି। ନୂଆପଡା ଜିଲାରେ ୨୭୩ ମିଟର ସୁଉଚ୍ଚ ପୋଲ ଏବଂ ଏହାର ପ୍ରବେଶ ମାର୍ଗ ନିର୍ମାଣ କରାନଯାଇ ନିର୍ବାହୀ ଯନ୍ତ୍ରୀ ଠିକାଦାରଙ୍କୁ ୭.୧୨ କୋଟି ଟଙ୍କା ପ୍ରଦାନ କରିଥିଲେ। ଫଳସ୍ବରୂପ ୪.୮୬ କୋଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯାଇଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Comments are closed.