ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ : ସରକାରୀ ଅର୍ଥର ବ୍ୟାପକ ଅନିୟମିତତା

ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଣରେ ବିଳମ୍ବ,-୪୯% ଔଷଧ ଯୋଗାଣ, ୪୪% ଅଧିକ ଖର୍ଚ୍ଚ

ଭୁବନେଶ୍ବର : ବିଧାନସଭାରେ ଶନିବାର ସାଧାରଣ ଓ ସାମାଜିକ କ୍ଷେତ୍ର ଉପରେ ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି)ଙ୍କ ରିପୋର୍ଟ ଉପସ୍ଥାପନ କରାଯାଇଛି। ୨୦୧୯ ସୁଦ୍ଧା ଶେଷ ହୋଇଥିବା ବର୍ଷରେ ଅନିୟମିତତା ଏବଂ ଅବହେଳା ଯୋଗୁଁ ସରକାରଙ୍କୁ ଅଧିକ ଖର୍ଚ୍ଚଭାର ବହନ କରିବାକୁ ପଡ଼ିଥିବା ଏଥିରେ ଉଲ୍ଲେଖ ଅଛି। ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଣରେ ଅବହେଳା ଯୋଗୁଁ ସରକାର ରୋଗୀଙ୍କୁ ଔଷଧ ଯୋଗାଇବାରେ ବିଫଳ ହୋଇଥିବା ଦର୍ଶାଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାକୁ ଓରମାସର ଅନୁଚିତ ଅନୁଗ୍ରହ ପ୍ରଦାନ କରାଯାଇଛି। ବିଭାଗଗୁଡ଼ିକ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଅସମ୍ପୂର୍ଣ୍ଣ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ମୃତ ହିତାଧିକାରୀଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା (ଓଏପି) ବଣ୍ଟନ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଦ୍ବାରା ବର୍ଷ ବର୍ଷ ଧରି ଟଙ୍କା ଫେରସ୍ତ ନ କରିବା ଏବଂ ନଥି‌େର କାରସାଦି କରାଯିବା ଫଳରେ ୧୦.୭୨ ଲକ୍ଷ ଟଙ୍କା ସରକାରୀ ଅର୍ଥର ଅପବ୍ୟବହାର ହୋଇଛି। ଶ୍ରମ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା ବିଭାଗରେ ତାଲିମ ଖର୍ଚ୍ଚ ବାବଦରେ ୧.୪୭ କୋଟି ଅଧିକ ଖର୍ଚ୍ଚ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ୪.୨୨ ‌େ‌କାଟି ଟଙ୍କା ଅପବ୍ୟୟ ହୋଇଛି। ୨୪ଟି ବିଭାଗର ୩୫୪୦ କାର୍ଯ୍ୟାଳୟକୁ ୨୦୧୯ ମାର୍ଚ୍ଚ ସୁଦ୍ଧା ୧୦ହଜାର ୧୨୭ ନିରୀକ୍ଷଣ ରିପୋର୍ଟ ପଠାଯାଇଥିଲା। ସେଥିରୁ ୪୯,୩୫୯ ଅନୁଚ୍ଛେଦ ଅମୀମାଂସିତ ରହିଥିଲା। ଏପ୍ରିଲ ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ୧୮ଟି ବିଭାଗକୁ ପଠାଯାଇଥିବା ନିରୀକ୍ଷଣ ରିପୋର୍ଟ ମଧ୍ୟରୁ ମାତ୍ର ୮୧ଟିର ଜବାବ ଦାଖଲ ହୋଇଛି।
ରାଜ୍ୟ ଔଷଧ ନିଗମ ଦ୍ବାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଔଷଧ, ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ କିଣାଯାଇ ପାରିନଥିବାରୁ ବିପୁଳ ପରିମାଣର ଅର୍ଥ ଅପବ୍ୟୟ ହୋଇଛି। ଚିକିତ୍ସା ସାମଗ୍ରୀ, ଉପକରଣ, ଯନ୍ତ୍ରପାତି ଓ ଆସବାବପତ୍ର ଆଦି କ୍ରୟ ପାଇଁ ନିଗମ ନିଷ୍ପତ୍ତି ନେବାରେ ବିଳମ୍ବ କରିଥିଲା। ଫଳରେ ୨୦୧୬-୨୦୧୯ ମଧ୍ୟରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ମାତ୍ର ୪୯% ଔଷଧ ଓ ଚିକିତ୍ସା ସାମଗ୍ରୀ ଯୋଗାଇ ପାରିଥିଲା। ଧାର୍ଯ୍ୟ ପରିମାଣଠାରୁ କମ ଯୋଗାଣ ଯୋଗୁଁ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ବଜାରରୁ ଅଧିକ ମୂଲ୍ୟରେ ଏହା କ୍ରୟ କରିଛନ୍ତି। ଏହି ସମୟ ମଧ୍ୟରେ ପ୍ରାୟ୯୮.୧୨ଲକ୍ଷ ଟଙ୍କା ଅର୍ଥାତ ୪୪% ଅଧିକ ଅର୍ଥ ଖର୍ଚ୍ଚ ହୋଇଛି। ସେହିପରି ୨୦୧୬-୧୯ ମଧ୍ୟରେ ଅନୁମୋଦିତ ପରିମାଣ ବିପକ୍ଷରେ ମାତ୍ର ୪୩% କ୍ରୟ କରିଛି। ୨୦୧୯ ଜୁନ ସୁଦ୍ଧା କିଣାଯାଇଥିବା ଯନ୍ତ୍ରପାତି ଓ ସାମଗ୍ରୀର ୧୯ ଭାଗ ଉପଯୋଗ କରାଯାଇନଥିବାରୁ ସେଗୁଡ଼ିକ ବିଭିନ୍ନ ଯୋଗାଣକାରୀ ସଂସ୍ଥା ନିକଟରେ ପଡ଼ି ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
୨୦୧୭ ଏପ୍ରିଲରୁ ୨୦୧୯ ମେ ମଧ୍ୟରେ ୪.୧୮ କୋଟି ଟଙ୍କା ମୂଲ୍ୟର ଔଷଧର ବୈଧତା ସମୟ ସରିଥିବା କୁହାଯାଇଛି। ୨୦୧୬-୧୯ ମଧ୍ୟରେ କଟକ ବଡ଼ ଡାକ୍ତରଖାନା ପକ୍ଷରୁ ବିନାଟେଣ୍ଡରରେ ଆବଶ୍ୟକତା ଠାରୁ ଅଧିକ ଔଷଧ କିଣାଯାଇଛି। ଜାତୀୟ ଗ୍ରାମୀଣ ଜୀବିକା ମିଶନର ଅଂଶ ସ୍ବରୂପ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ଗ୍ରାମୀଣ ଯୁବକ ଯୁବତୀଙ୍କୁ କୌଶଳ ପ୍ରଶିକ୍ଷଣ ଓ ସେମାନଙ୍କୁ ନିୟମିତ ମଜୁରି ପ୍ରଦାନ ଲକ୍ଷ୍ୟ ରଖାଯାଇଥିଲା। କୌଶଳ ବିକାଶ ପାଠ୍ୟକ୍ରମରେ ପ୍ରଶିକ୍ଷଣ ଦେବା ଏବଂ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଓରମାସ ବେସରକାରୀ କ୍ଷେତ୍ରରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପିଆଇଏକୁ ନିୟୋଜିତ କରିଥିଲା। ଓରମାସ ପ୍ରକଳ୍ପର ଆବଶ୍ୟକ ଗୁଣବତ୍ତାକୁ ମୂଲ୍ୟାଙ୍କନ ନକରି ତାଲିମ ପ୍ରକଳ୍ପକୁ ଅନୁମୋଦନ, ଯୋଗ୍ୟତା ନଥିବା ସଂସ୍ଥାକୁ ଅଧିକ ମୂଲ୍ୟର ପ୍ରକଳ୍ପ ପ୍ରଦାନ, ପ୍ରକଳ୍ପ ଅନୁମୋଦନରେ ଅନିୟମିତତା ଆଦି ଅନୁଚିତ ଅନୁଗ୍ରହ ପ୍ରଦାନ କରାଯାଇଛି। ୩କୋଟି ୩୦ ଲକ୍ଷ ଟଙ୍କା ପାଇବାକୁ ଯୋଗ୍ୟ ପିଆଇଏକୁ ୬.୬୦ କୋଟି ଟଙ୍କା ଦିଆଯାଇଛି। ପ୍ରାର୍ଥୀଙ୍କ ନିଯୁକ୍ତି ତଥ୍ୟ ସହିତ ତାଲିମ ତଥ୍ୟର ତାଳମେଳ ରହୁନଥିବାରୁ ଦର୍ଶାଯାଇଥିବା ତାଲିମପ୍ରାପ୍ତଙ୍କ ସଂଖ୍ୟା ଉପରେ ସିଏଜି ସନ୍ଦେହ ପ୍ରକଟ କରିଛନ୍ତି। ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବ୍ୟାଙ୍କ ପାସବୁକ ଏବଂ ତଥ୍ୟ ଉପରେ ସନ୍ଦେହ ରହିଛି। ୫ଟି ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥାକୁ ୧୦.୮୩ ଲକ୍ଷ ଟଙ୍କା ଅଧିକ ପ୍ରଦାନ କରାଯାଇଥିବା ଏଥିରେ କୁହାଯାଇଛି।
ଛତ୍ରପୁରର ଜମି ଅଧିଗ୍ରହଣ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ଭାବେ ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ୨୯.୪୫ କୋଟି ଟଙ୍କାର ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇଛି। ଚୁକ୍ତିନାମା ଉଲ୍ଲଘଂନ ସତ୍ତ୍ବେ ବିଡିଏ କର୍ତ୍ତୃପକ୍ଷ ଚୁକ୍ତିନାମା ରଦ୍ଦ ନକରିବା ଏବଂ ଭିଏଫଏସ ଗ୍ଲୋବାଲ ସଭିସେସର ବକେୟା ଅର୍ଥ ବାଜ୍ୟାପ୍ତ ନକରିବା ଫଳରେ ୨କୋଟି ୬୨ଲକ୍ଷ ଟଙ୍କାର ଅଯଥା ଖର୍ଚ୍ଚ ହୋଇଛି। ଭୁବନେଶ୍ବରରେ ନବନିର୍ମିତ ଫଳ ବଜାରରେ ଟ୍ରାନ୍ସଫର୍ମର ବସାଇବା ପାଇଁ ସ୍ଥାନର ଅଭାବ ଯୋଗୁଁ ବିଦ୍ୟୁତ ଯୋଗାଣ କରାଯାଇ ପାରିନଥିଲା। ଫଳରେ ୭୮ଟି ଦୋକାନ ଭଡା ସୂତ୍ରରେ ଦିଆଯାଇନଥିଲା। ଏହାଦ୍ବାରା ୧.୧୩ କୋଟି ଟଙ୍କାର ରାଜସ୍ବ ହାନି ହୋଇଛି।

ଛତ୍ରପୁର ଜମି ଅଧିଗ୍ରହଣ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ୨୯.୪୫ କୋଟି କ୍ଷତି
ଭୁବନେଶ୍ବର : ସିଏଜି ରିପୋର୍ଟ ଅନୁୁଯାୟୀ ଛତ୍ରପୁର ଜମି ଅଧିଗ୍ରହଣ ଅଧିକାରୀଙ୍କ ଦ୍ବାରା ଜମିର ବଜାର ମୂଲ୍ୟ ସ୍ଥିର କରିବା ପାଇଁ କଟ ଅଫ ତାରିଖକୁ ତ୍ରୁଟିପୂର୍ଣ୍ଣ ବିଚାର କରି ଅଧିକ ୨୯.୪୫ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି ା ଜମି ଅଧିଗ୍ରହଣ ନିୟମ ୧୮୯୪ ଧାରା (୧)ଅନୁଯାୟୀ, ୮.୦୨୭ ଏକର ବେସରକାରୀ ଜମି ଅଧିଗ୍ରହଣ ପାଇଁ ଏପ୍ରିଲ ୨୦୧୩ରେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିମଧ୍ୟରୁ ଜମି ଅଧିଗ୍ରହଣ ଅଧିକାରୀ ମେ ୨୦୧୫ରୁ ଜୁନ ୨୦୧୬ ମଧ୍ୟରେ ୫.୮୨୩ ଏକର ଜମି ପାଇଁ ନୂତନ ଅଧିନିୟମ ୨୦୧୩ ଅନୁଯାୟୀ ୬୧.୦୯ କୋଟି ଟଙ୍କା (ଜମିର ମୂଲ୍ୟ ୧୬.୯୮ କୋଟି ଟଙ୍କା, ଅତିରିକ୍ତ କ୍ଷତିପୂରଣ ୪.୦୭ କୋଟି ଟଙ୍କା ଗଢ଼ଣର ମୂଲ୍ୟ ୯.୪୮ କୋଟି, ଗଛଗୁଡ଼ିକର ମୂଲ୍ୟ ୦.୦୨ କୋଟି ଟଙ୍କା ଏବଂ ସୋଲାଟିୟମ ୩୦.୫୪ କୋଟି ଟଙ୍କା) ଜମି ଅଧିଗ୍ରହଣ ପାଇଁ ପ୍ରଦାନ କରିଥିଲେ। ୨୫ ଏପ୍ରିଲ ୨୦୧୩କୁ ମୂଳ ତାରିଖ ଭାବରେ ବିବେଚନା କରାଯିବା ଉଚିତ ଥିଲା। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ଦ୍ବାରା ଜାରି ହୋଇଥିବା ତ୍ରୁଟିପୂର୍ଣ୍ଣ ନିର୍ଦେଶଗୁଡ଼ିକ ଏବଂ ମାର୍ଚ୍ଚ ୨୦୧୬ର ସଂଶୋଧିତ ନିର୍ଦେଶନାମା ଜାରି ହେବା ପରେ ଜମି ଅଧିଗ୍ରହଣ ଅଧିକାରୀଙ୍କ ଦ୍ବାରା କ୍ଷତିପୂରଣର ପୁନଃ ବିଚାର ନ ହେବା ଦ୍ବାରା ୨୯.୪୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି। ଏହି ଅର୍ଥ ଆଦାୟ ସହିତ ତ୍ରୁଟି ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ସିଏଜି ଗୁରୁତ୍ବାରୋପ କରିଛନ୍ତି। ସେହିପରି ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ବହି, ଟଙ୍କା ପ୍ରାପ୍ତି ରସିଦ, ରେଜିଷ୍ଟର ଇତ୍ୟାଦି ଯାଞ୍ଚ ସମୟରେ ସରକାରୀ ପାଣ୍ଠି ଆତ୍ମସାତ ହୋଇଥିବା ଜଣାପଡ଼ିଛି। ନିର୍ଦିଷ୍ଟ ସମୟାନ୍ତରରେ କ୍ୟାସବୁକର ଯାଞ୍ଚ ଓ ନଗଦ ଟଙ୍କାର ଯାଞ୍ଚ ଭଳି ତଦାରଖ ଅଭାବରୁ ୨ ଲକ୍ଷ ୬୮ ହଜାର ୩୦୨ ଟଙ୍କାର ଆତ୍ମସାତ ହୋଇଥିବା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ ସ୍ବୀକାର କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

Comments are closed.