ସିଏଜିଙ୍କ ଯବକାଚ ; ଜିଏସ୍‌ଟି ପ୍ରାପ୍ୟ ଦେବା ଦାୟିତ୍ବ କେନ୍ଦ୍ରର

ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ କେତେକ ତ୍ରୁଟିକୁ କମ୍ପଟ୍ରୋଲର ଆଣ୍ଡ ଅଡିଟ୍ ଜେନେରାଲ୍ (ସିଏଜି) ଧରିଛନ୍ତି। ସେଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ହେଉଛି ରାଫେଲ୍ ବିମାନର ନିର୍ମାତା ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ ଭାରତକୁ ଏ ପର୍ଯ୍ୟନ୍ତ ଚୁକ୍ତି ମୁତାବକ ବୈଷୟିକ ଜ୍ଞାନକୌଶଳ ହସ୍ତାନ୍ତର କରିନାହିଁ। ସେହିପରି ସରକାର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟାରେ ମଧ୍ୟ ଅନିୟମିତତା ହୋଇଥିବା ସିଏଜି କହିଛନ୍ତି। କେନ୍ଦ୍ର ସରକାର ଗୋଟିଏ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବିକ୍ରି କରିଛନ୍ତି ବୋଲି ଦର୍ଶାଇ ସିଏଜି କହିଛନ୍ତି ଯେ ଏହା ପୁଞ୍ଜି ପ୍ରତ୍ୟାହାରର ପ୍ରକୃତ ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହାଦ୍ୱାରା କେବଳ କେନ୍ଦ୍ର ସରକାରଙ୍କ ଆକାଉଣ୍ଟର ଆୟ ପାର୍ଶ୍ବ ଅଧିକ ହୋଇଛି ଏବଂ ବିତ୍ତୀୟ ନିଅଣ୍ଟପରିଚାଳନାରେ କେନ୍ଦ୍ର ସରକାର ପାଇଁ ସହାୟକ ହୋଇଛି। ସିଏଜି ଧରିଥିବା ତ୍ରୁଟି ମଧ୍ୟରେ ସବୁଠାରୁ ବିବାଦ ସୃଷ୍ଟି କରିଛି ସାମଗ୍ରୀ ଓ ସେବା ଟିକସ(ଜିଏସଟି) ସେସ୍ ପାଣ୍ଠି ପରିଚାଳନାରେ ଅନିୟମିତତା। ସଂସଦରେ ଉପସ୍ଥାପିତ ସିଏଜି ରିପୋର୍ଟର କିୟଦଂଶ ଏବେ ସାମ୍ନାକୁ ଆସିଛି। ଏହା ପରେ ପରେ ହୁଏତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ସମ୍ପର୍କରେ ସୂଚନା ମିଳିପାରେ।
କରୋନା ମହାମାରୀ ସମୟରେ ରାଜ୍ୟ ସରକାରମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ କେନ୍ଦ୍ର ସରକାରଙ୍କଠାରୁ ଜିଏସଟି କ୍ଷତିଭରଣା ବାବଦ ଟଙ୍କା ପାଇନାହାନ୍ତି କିମ୍ବା ଚଳିତ ଆର୍ଥିକ ବର୍ଷରେ ପାଇବାର ସମ୍ଭାବନା ମଧ୍ୟ ନାହିଁ। ତେଣୁ ରାଜ୍ୟମାନଙ୍କୁ ଋଣ କରି ନିଅଣ୍ଟ ଭରଣା କରିବା ପାଇଁ ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିସାରିଛି। କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିବାରୁ ଏବଂ ଜିଏସଟି ରାଜସ୍ୱ ସଂଗ୍ରହ ଗୁରୁତର ବାଧାପ୍ରାପ୍ତ ହୋଇଥିବାରୁ ରାଜ୍ୟମାନଙ୍କୁ କ୍ଷତିଭରଣା ବାବଦ ଅର୍ଥରାଶି ଦେବାକୁ କେନ୍ଦ୍ର ଅକ୍ଷମତା ପ୍ରକାଶ କରିଛି। ଏଭଳି ପରିସ୍ଥିତିରେ ଜିଏସ୍‌ଟି ସେସ୍ ପାଣ୍ଠି ପରିଚାଳନାରେ ତ୍ରୁଟି ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ।
୨୦୧୭ ଜୁଲାଇରେ ଜିଏସଟି କାର୍ଯ୍ୟକାରୀ ହେବା ପରେ ରାଜ୍ୟସରକାରମାନେ ଯେଉଁ ରାଜସ୍ୱ କ୍ଷତି ସହିବେ ତାହାକୁ କେନ୍ଦ୍ର ସରକାର ଅତିରିକ୍ତ ସେସ୍ ସଂଗ୍ରହ ଜରିଆରେ ଭରଣା କରିବେ ବୋଲି ଜିଏସଟି କ୍ଷତିଭରଣା ସେସ୍ ଆଇନ୍ ୨୦୧୭ରେ ସ୍ପଷ୍ଟ ଉଲ୍ଲେଖ ଥିଲା। ଆଇନ୍ ଅନୁଯାୟୀ କେନ୍ଦ୍ର ସରକାର ସେସ୍ ଆକାରରେ ସଂଗୃହୀତ ରାଶିକୁ ଜିଏସଟି କ୍ଷତିଭରଣା ସେସ୍ ସଂଗ୍ରହ ପାଣ୍ଠିରେ ଜମା କରିବା କଥା। ସିଏଜିଙ୍କ ରିପୋର୍ଟ ଅନୁସାରେ, ଜିଏସଟି ଲାଗୁ ହେବାର ପ୍ରଥମ ଦୁଇ ବର୍ଷରେ କେନ୍ଦ୍ର ସରକାର ସେସ୍ ବାବଦରେ ସଂଗୃହୀତ ୪୭,୨୭୨ କୋଟି ଟଙ୍କା ଉଦ୍ଦିଷ୍ଟ ପାଣ୍ଠି ଆକାଉଣ୍ଟରେ ଜମା ନ ରଖି ଅନ୍ୟାନ୍ୟ ଆକାଉଣ୍ଟରେ ଜମା ରଖିଥିଲେ। ଜିଏସଟି କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷ ଅର୍ଥାତ୍ ୨୦୧୭-୧୮ ଆର୍ଥିକ ବର୍ଷରେ ଜିଏସଟି କ୍ଷତିଭରଣା ସେସ୍ ବାବଦରେ ମୋଟ ୬୨, ୬୧୨ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଜିଏସଟି ସେସ୍ ପାଣ୍ଠିକୁ ୫୬,୧୪୬ କୋଟି ଟଙ୍କା ସ୍ଥାନାନ୍ତର ହୋଇଥିଲା। ବାକି ୬,୪୬୬ କୋଟି ଟଙ୍କା ଅନ୍ୟ ଆକାଉଣ୍ଟରେ ରଖାଯାଇଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଜିଏସଟି କ୍ଷତିଭରଣା ସେସ୍ ବାବଦରେ ୯୫,୦୮୧ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଜିଏସଟି ସେସ୍ ପାଣ୍ଠିକୁ ମାତ୍ର ୫୪,୨୭୫ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିଲା ଏବଂ ବାକି ୪୦, ୮୦୬ କୋଟି ଟଙ୍କା ଅନ୍ୟ ଆକାଉଣ୍ଟରେ ରହିଥିଲା। ଏହି ଟଙ୍କା ଅନ୍ୟ ଆକାଉଣ୍ଟରେ ଜମା ହେବା ଫଳରେ କେନ୍ଦ୍ର ସରକାରଙ୍କ ଆୟ ଉତ୍ସ ଅଧିକ ହୋଇ ବିତ୍ତୀୟ ନିଅଣ୍ଟକୁ କମ୍ କରି ଦର୍ଶାଯାଇପାରିଥିଲା। ଏହି ଧରଣର ପାଣ୍ଠି ପରିଚାଳନାକୁ ଉଦ୍ଦିଷ୍ଟ ଆଇନର ଖିଲାପ ବୋଲି ସିଏଜି ଦର୍ଶାଇଛନ୍ତି।
ସିଏଜି ରିପୋର୍ଟ ପରେ ସ୍ପଷ୍ଟୀକରଣରେ ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସାମୟିକ ଭାବେ ଅନ୍ୟ ଆକାଉଣ୍ଟରେ ଜମା ହେବାର ଅର୍ଥ ସମ୍ପୂର୍ଣ୍ଣ ସ୍ଥାନାନ୍ତର ନୁହେଁ। ପ୍ରଥମ ଦୁଇ ବର୍ଷରେ ରାଜ୍ୟମାନଙ୍କୁ ଜିଏସଟି କ୍ଷତିଭରଣା ବାବଦ ସମ୍ପୂର୍ଣ୍ଣ ରାଶି ଦିଆଯାଇଛି। ୨୦୧୯-୨୦ରେ ଜିଏସଟି କ୍ଷତିଭରଣା ସେସ୍ ବାବଦରେ ୯୫,୪୪୪ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ରାଜ୍ୟମାନଙ୍କୁ ୧,୬୫,୩୦୨ କୋଟି ଟଙ୍କା ଦିଆଯାଇଛି। ଅନ୍ୟ ଆକାଉଣ୍ଟରେ ଜମା ଥିବା ଉପରୋକ୍ତ ସେସ୍ ଅର୍ଥରୁ ୪୭,୨୭୧ କୋଟି ଟଙ୍କା ବିନିଯୋଗ କରାଯାଇଛି। ଗୋଟିଏ ବର୍ଷରେ ରାଜସ୍ୱ ଆକାରରେ ଯାହା ସଂଗ୍ରହ ହୁଏ ତାହା କନ୍‌ସୋଲିଡେଟେଡ୍ ଫଣ୍ଡରେ ଜମା ହୁଏ। ପରବର୍ତ୍ତୀ ସମୟରେ ଉଦ୍ଦିଷ୍ଟ ଆକାଉଣ୍ଟକୁ ସ୍ଥାନାନ୍ତର ହୁଏ। ତେଣୁ ସିଏଜି ଯାହାକୁ ତ୍ରୁଟି ବୋଲି କହୁଛନ୍ତି ତାହା ଠିକ୍ ନୁହେଁ।
ଯଦି ଅର୍ଥ ମନ୍ତ୍ରାଳୟର ସ୍ପଷ୍ଟୀକରଣକୁ ବିଶ୍ୱାସକୁ ନିଆଯାଏ ତେବେ ବି ଆଉ ଏକ ଅନିୟମିତତା ପଦାକୁ ଆସୁଛି। ସାମ୍ବିଧାନିକ ନିୟମ ଅନୁଯାୟୀ ଗୋଟିଏ ବର୍ଷର କନସୋଲିଡେଟେଡ୍ ଫଣ୍ଡର ବଳକା ପାଣ୍ଠି ଅନ୍ୟ ବର୍ଷରେ ଖର୍ଚ୍ଚ କରିବା ପାଇଁ ସଂସଦର ଅନୁମୋଦନ ଆବଶ୍ୟକ, ଯାହା କେନ୍ଦ୍ର ସରକାର କରିନଥିବା ସିଏଜି ଦର୍ଶାଇଛନ୍ତି। ସେହିପରି କନସୋଲିଡେଟେଡ୍ ଫଣ୍ଡରୁ ପବ୍ଲିକ୍ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ବେଳେ ଜିଏସଟି କ୍ଷତିଭରଣା ସେସକୁ ଅନ୍ୟାନ୍ୟ ଆୟ ବୋଲି ଦର୍ଶାଯାଇଛି। ଏହାଦ୍ୱାରା ଉକ୍ତ ଅର୍ଥରାଶି କେନ୍ଦ୍ରୀୟ ଅନୁଦାନରେ ରାଜ୍ୟଭାଗ ଭାବେ ବୁଝାଯାଉଛି, କିନ୍ତୁ ଜିଏସଟି କ୍ଷତିଭରଣା ଅନୁଦାନ ନୁହେଁ ବରଂ ରାଜ୍ୟମାନଙ୍କ ଅଧିକାର ହୋଇଥିବାରୁ ଅର୍ଥମନ୍ତ୍ରାଳୟର କାର୍ଯ୍ୟଧାରାରେ ସନ୍ଦେହ ଉପୁଜିଛି। ପୂର୍ବ ବର୍ଷମାନଙ୍କରେ ମଧ୍ୟ ଜିଏସଟି ପାଣ୍ଠି ପରିଚାଳନାରେ କେତେକ ଅନିୟମିତତା ହୋଇଥିବା ସିଏଜି ଦର୍ଶାଇଥିଲେ।
ସରକାରୀ ବିତ୍ତୀୟ ଓ ହିସାବ ପରିଚାଳନାରେ ଥିବା କୌଶଳ ଓ ଜଟିଳତା ସାଧାରଣ ଲୋକ ପକ୍ଷରେ ବୁଝିବା କଷ୍ଟକର, କିନ୍ତୁ କେନ୍ଦ୍ର ସରକାରଙ୍କ ବିତ୍ତୀୟ ପରିଚାଳନାରେ କିଛି ନା କିଛି ତ୍ରୁଟି ହୋଇଥିବା ସିଏଜିଙ୍କ ଯବକାଚରେ ଦେଖାଯାଉଛି। ଏଭଳି ପରିସ୍ଥିତିରେ ଅଣ ବିଜେପି ଶାସିତ ରାଜ୍ୟ ସରକାରମାନେ ସେମାନଙ୍କ ଜିଏସଟି କ୍ଷତିଭରଣା ଦାବି ଦୋହରାଇବା ପାଇଁ ବଳ ପାଇଛନ୍ତି। କନସୋଲିଡେଟେଡ୍ ଫଣ୍ଡରୁ ଜିଏସଟି କ୍ଷତିଭରଣା ରାଶି ଦେବା ପାଇଁ ରାଜ୍ୟ ସରକାରମାନଙ୍କ ଦାବିକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଅଗ୍ରାହ୍ୟ କରିଛନ୍ତି। ତେଣୁ ଏଠି ସାଧାରଣ ପ୍ରଶ୍ନଟିଏ ଉଠିବା ସ୍ୱାଭାବିକ ଯେ ଯଦି ଜିଏସଟି କ୍ଷତିଭରଣା ସେସ୍ ରାଶିକୁ କିଛିଦିନ ପାଇଁ ଅନ୍ୟ ଆକାଉଣ୍ଟରେ ରଖି ଅନ୍ୟ ବାଟରେ ଖର୍ଚ୍ଚ କରାଯାଇପାରୁଛି ତେବେ ବର୍ତ୍ତମାନର ଜରୁରୀକାଳୀନ ପରିସ୍ଥିତିରେ କନ​‌େ​‌ସାଲିଡେଟେଡ୍ ଫଣ୍ଡରୁ ସାମୟିକ ଭାବେ ଜିଏସଟି କ୍ଷତିଭରଣା ପାଣ୍ଠିକୁ ଅର୍ଥ ସ୍ଥାନାନ୍ତରରେ ଅସୁବିଧା କେଉଁଠି?

Comments are closed.