ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ସିଏସି

0

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ଦାବି ପ୍ରସଙ୍ଗରେ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପରେ ପଶ୍ଚିମ ଓଡ଼ିଶା ଓକିଲ ସମୂହ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଆସନ୍ତା ୬ ତାରିଖ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନିଷ୍ପତ୍ତି ନେିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଓଡ଼ିଶା ସରକାର ୨୦୧୩ ମସିହାରେ କେନ୍ଦ୍ରକୁ ସୁପାରିଶ କରିଥିଲେ। କିନ୍ତୁ ଇତି ମଧ୍ୟରେ ୫ ବର୍ଷ ବିତି ସାରିଥିଲେ ମଧ୍ୟ କେନ୍ଦ୍ର ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। କେନ୍ଦ୍ରର ନିରବତା ନେଇ ରାଜ୍ୟ ସରକାର ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରି ନିରବ ରହିଛନ୍ତି। ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେଉ ନଥିବାରୁ ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ପାରୁନାହିଁ ବୋଲି ଶୁକ୍ରବାର କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି ଚୌଧୁରୀ ସଂସଦରେ ଉତ୍ତର ରଖିଛନ୍ତି। ତେଣୁ ସିଏସିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆସନ୍ତା ୧୫ ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବାକୁ ଅନୁରୋଧ କରିବ ବୋଲି ଏହାର ଆବାହକ ଅଶୋକ କୁମାର ଦାଶ କହିଛନ୍ତି। ଆଜି ସମ୍ବଲପୁର ବାରରେ ଅନୁଷ୍ଠିତ ସିଏସି କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ସମ୍ବଲପୁର ଜିଲା ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମ୍ବଲପୁର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆଁପଡ଼ା, ବରଗଡ଼ ଜିଲାର ଅତାବିରା ଓ ବରପାଲି ଏବଂ ସୋନପୁର ଜିଲା ଓକିଲ ସଂଘର ସଭାପତି ଓ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ବଲପୁର ଜିଲା ଓକିଲ ସଂଘ ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସିଏସି ଆବାହକ ଶ୍ରୀ ଦାଶ ସଭା ପରିଚାଳନା କରିଥିଲେ। ଏହି ବୈଠକରେ ସିଏସି ସମ୍ପାଦକ ନିରଞ୍ଜନ ତ୍ରିପାଠୀ, ପ୍ରମୋଦ ଦାଶ, ସୁରେଶ୍ୱର ମିଶ୍ର, ସତ୍ୟନାରାୟଣ ପଣ୍ଡା, ଦେବେନ୍ଦ୍ର ଶତପଥୀ, ନିଧୁବନ ପ୍ରଧାନ, ଦିଲୀପ ଗୁରୁ, ଅତନୁ ଘୋଷ, ପ୍ରବୀଣ ସିଂଦେଓ, ପ୍ରଦୀପ କୁମାର ବହିଦାର, ଡ. ପ୍ରମୋଦ କୁମାର ରଥ ଓ ବେଦବ୍ୟାସ ସାଥୁଆ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି ଆଲୋଚନା ଅଂଶ ଗ୍ରହଣ କରିଥିଲେ। ବୈଠକର ବିବରଣୀ ଅନୁସାରେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୨୦୧୩ ମସିହାରେ ୪୩ ଦିନ ଆନ୍ଦୋଳନ ଜାରି ରହିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପଶ୍ଚିମ ଓ ଦକ୍ଷିଣାଞ୍ଚଳରେ ଦୁଇଟି ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସୁପାରିଶ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ ଉପରେ କେନ୍ଦ୍ର ସରକାର ଓଡ଼ିଶା ହାଇକୋର୍ଟର ମତାମତ ଲୋଡ଼ିଥିଲେ। କିନ୍ତୁ ହାଇକୋର୍ଟ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ନିଜ ମତ ଜଣାଇ ନାହାନ୍ତି। ଓଡ଼ିଶା ହାଇକୋର୍ଟଙ୍କ ମତ ଆସୁ ନଥିବାରୁ କେନ୍ଦ୍ର ଏହାକୁ ଆଳ କରି କୌଣସି ପଦକ୍ଷେପ ନେଇ ହେଉ ନାହିଁ ବୋଲି କହୁଛି। ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚିଠି ଖଣ୍ଡେ ଲେଖି ଦେଲା ପରେ ୫ ବର୍ଷ ହେଲା ନିରବ ଥିବାରୁ ସିଏସି ଉଦବେଗ ପ୍ରକାଶ କରିଛି। ଆବାହକ ଶ୍ରୀ ଦାଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ କେନ୍ଦ୍ର ଉପରେ ଚାପ ପ୍ରୟୋଗ କରୁନାହାନ୍ତି କି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଉ ନାହାନ୍ତି। ତେଣୁ କେନ୍ଦ୍ର ଟାଳଟୁଳ କରିବାକୁ ବାହାନା ପାଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସାରିଲା ପରେ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବେ ଓ ଆବଶ୍ୟକ ହେଲେ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ବୋଲି ଆବାହକ କହିଛନ୍ତି। ଅପର ପକ୍ଷରେ ସମ୍ବଲପୁର ଜିଲାପାଳ ସମର୍ଥ ବର୍ମା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଏସିର ୧୫ ଜଣିଆ ପ୍ରତିନିଧିଙ୍କ ତାଲିକା ପଠାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ସହ ସିଏସିର ସାକ୍ଷାତ ଆଲୋଚନା କାର୍ଯ୍ୟକ୍ରମ ସଂପର୍କରେ ଆଜି ଜିଲାପାଳ କାର୍ଯ୍ୟାଳୟକୁ ଏକ ଚିଠି ଆସିଥିବା ଜଣାପଡ଼ିଛି।

Leave A Reply