ସତର୍କ କଲା କେନ୍ଦ୍ର, ବର୍ଷକ ପରିଶ୍ରମ ବୃଥା ନ ଯାଉ

କୋଭିଡ ଆଚରଣ ଦୃଢ ଭାବେ ପାଳନ କରିବାକୁ କହିଲେ କ୍ୟାବିନେଟ ସଚିବ

କ୍ୟାବିନେଟ ସଚିବ ରାଜୀବ ଗୌବା ଆଜି କହିଛନ୍ତି ଯେ କରୋନା ଭାଇରସ ମାମଲାରେ ବୃଦ୍ଧି ଘଟୁଥିବା ରାଜ୍ୟଗୁଡିକ ପ୍ରଭାବଶାଳୀ ପରୀକ୍ଷା, ବିସ୍ତୃତ ଟ୍ରାକିଂ ସହ ପଜିଟିଭ ମାମଲା ଚିହ୍ନଟ କରିବା ଏବଂ କୋଭିଡ ଉପଯୁକ୍ତ ଆଚରଣକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଜାମ୍ମୁ କାଶ୍ମୀରର ମୁଖ୍ୟ ସଚିବମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି।

ସେ କହିଛନ୍ତି ଯେ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ସଂକ୍ରମଣ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି। ମହାରାଷ୍ଟ୍ରରେ ସର୍ବାଧିକ ଦୈନିକ ସଂକ୍ରମଣ ୮ ହଜାର ୩୩୩ ହୋଇଥିବା ବେଳେ କେରଳରେ ୩ହଜାର ୬୭୧ଟି ଓ ପଞ୍ଜାବରେ ୬୨୨ଟି ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।

ମହାରାଷ୍ଟ୍ରରେ ଫେବୃଆରୀ ୧୪ରେ ୩୪ ହଜାର ୪୪୯ ମୋଟ ସଂକ୍ରମିତ ଥିବା ବେଳେ ତାହା ଏବେ ୬୮ ହଜାର ୮୧୦କୁ ବୃଦ୍ଧି ପାଇଛି। ବୈଠକରେ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନେ ସେଠାକାର ସାମ୍ପ୍ରତିକ ପରିସ୍ଥିତି ଏବଂ କୋଭିଡ ମାମଲାର ମୁକାବିଲା ପାଇଁ ସେମାନଙ୍କର ପ୍ରସ୍ତୁତି ବିଷୟରେ ସୂଚନା ଦେଇଥିଲେ। ସେମାନେ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନିଆଯିବା ବିଷୟରେ ସୂଚନା ଦେଇଥିଲେ।

ବୈଠକରେ କ୍ୟାବିନେଟ ସଚିବ କହିଛନ୍ତି ଯେ ଦେଶରେ କରୋନା ମୁକାବିଲା ଦିଗରେ ଗତ ବର୍ଷର ସାମୂହିକ ପରିଶ୍ରମର ଲାଭକୁ ନଷ୍ଟ ନକରିବା ଦିଗରେ ରାଜ୍ୟଗୁଡିକ କଠୋର ଭାବେ ସଜାଗ ରହିବା ଆବଶ୍ୟକ। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ, ନିତି ଆୟୋଗ ସଶକ୍ତିକରଣ ଗୋଷ୍ଠୀର ସଦସ୍ୟ ଏବଂ ଗୃହ ମନ୍ତ୍ରଣାଳୟର ପ୍ରତିନିଧୀ ଓ ରାଜ୍ୟଗୁଡିକର ମୁଖ୍ୟ ସଚିବ ତଥା ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

Comments are closed.