ବୈଠକ ଶେଷ – କୃଷି ନୀତି ‘ସମୃଦ୍ଧି’କୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ମଙ୍ଗଳବାର ଅପରାହ୍ନରେ ରାଜ୍ୟ କ୍ୟାବିନେଟର ବସିଥିବା ବୈଠକରେ ନୂଆ କୃଷି ନୀତିକୁ ମଞ୍ଜୁରୀ ମିଳିଥିବା ବେଳେ ଅନ୍ୟ ୮ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ନୂଆ କୃଷି ନୀତିର ନାଁ ରଖାଯାଇଛି ‘ସମୃଦ୍ଧି’। ଏହି ନୀତିକୁ କୃଷି ନୀତି – ୨୦୨୦ ଭାବରେ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି। ଏ ସମ୍ପର୍କରେ କୃଷି ବିଭାଗର ପ୍ରମୁଖ ସଚିବ କହିଛନ୍ତି, ନୂଆ କୃଷି ନୀତି ଦ୍ୱାରା କୃଷକମାନଙ୍କ ଆୟ ଅଧିକ ହୋଇ ପାରିବ। ମୁଖ୍ୟତଃ ତିନୋଟି ସୋପାନ ଉପରେ ପର୍ଯ୍ୟବସିତ ନୂଆ କୃଷି ନୀତିରେ କୃଷକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମାଧାନର ଉପାୟ ସ୍ଥାନିତ କରାଯାଇଥିବା କୃଷି ସଚିବ କହିଛନ୍ତି।

ଧାନ ଓ ରବି ଫସଲକୁ ଅଧିକ ମୂଲ୍ୟଯୁକ୍ତ ଶସ୍ୟ ଭାବେ ବିବେଚନା କରିବା ସହ କୃଷକମାନେ କିଭଳି ସହଜ ଭାବରେ ବିକ୍ରି ସୁବିଧା ପାଇବେ ଓ ମାର୍କେଟ ସହ ଯୋଗାଯୋଗ କରିପାରିବେ ସେ ନେଇ ଏହି ନୀତିରେ ବ୍ୟବସ୍ତା ରହିଛି। ଚାଷୀମାନଙ୍କୁ ସଂଗଠିତ କରି ହାଟ ସୁବିଧା ବା ମାର୍କେଟ ଲିଂକେଜ ସୃଷ୍ଟି କରାଯିବ।

ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପୂର୍ବରୁ ନିଜ କ୍ୟାଡରରେ ବିଭାଗୀୟ ପଦୋନ୍ନତି ପାଉଥିବା କର୍ମଚାରୀ ଏଣିକି କ୍ୟାବିନେଟ ଅନୁମୋଦନ ପରେ ଅନ୍ୟ କ୍ୟାଡରରେ ମଧ୍ୟ ପଦୋନ୍ନତି ପାଇ ପାରିବେ। ସେହିପରି ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସତ୍ୟବାଦିରେ ସ୍ଥାପନ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି। ପୂର୍ବରୁ ଏହା ଭୁବନେଶ୍ୱରରେ କରିବାକୁ ନିଷ୍ପତ୍ତି ହୋଇଥିଲା କିନ୍ତୁ ଗତ ଜୁନ ମାସରେ ଏହାର ମୁଖ୍ୟ କାର୍ଯ୍ୟାଳୟକୁ ସତ୍ୟବାଦିରେ କରିବାକୁ ହେରିଟେଜ କମିଟି ପ୍ରସ୍ତାବ ଦେଇଥିଲେ।

କ୍ୟାବିନେଟର ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ରାଜସ୍ବ ବିଭାଗର ଆରଆଇ, ଏଆରଆଇ ଓ ଅମିନ ପଦବୀ ପାଇଁ ଚୟନ ପାଇଁ ଜିଲ୍ଲାପାଳଙ୍କ ଠାରୁ କ୍ଷମତା କାଢି ନିଆଯାଇଛି। ଏଣିକି ଷ୍ଟେଟ ସବୋର୍ଡିନେଟ ଷ୍ଟାଫ ସିଲେକସନ କମିଶନ ଏହି ସବୁ ପଦବୀ ପୂରଣ ଚୟନକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ। ଏଥିପାଇଁ ଯୋଗ୍ୟତା କ୍ଷେତ୍ରରେ ମଧ୍ୟ ସଂଶୋଧନ କରାଯାଇଛି। ପୂର୍ବରୁ ଏଥିପାଇଁ ଓଡ଼ିଆରେ ଦଶମ ପାସ ଆବଶ୍ୟକ ହେଉ ଥିବା ବେଳେ ଆଗାମୀ ଦିନରେ ଏହି ସବୁ ପଦବୀ ପୂରଣ ପାଇଁ ଓଡ଼ିଆରେ ସପ୍ତମ ପାସ ବାଧ୍ୟତାମୂଳକ ହେବ। ଆରଆଇ ପଦବୀ ପାଇଁ ସ୍ନାତକ ଓ ଏଆରଆଇ ଓ ଅମିନ ପଦବୀ ପାଇଁ ଯୁକ୍ତ ଦୁଇ ଯୋଗ୍ୟତା ଥିବା ବେଳେ ସେଠି ପାଇଁ ଏକକ ପରୀକ୍ଷା ବଦଳରେ ଅଲଗା ଅଲଗା ପରୀକ୍ଷା କରାଯିବ। ସେହି ପରି ପରୀକ୍ଷାରେ ଏଣିକି ଅବଜେକ୍ଟିଭ ପ୍ରଶ୍ନ କ୍ଷେତ୍ରରେ ନେଗେଟିଭ ମାର୍କିଙ୍ଗ କରାଯିବ। ଆଉ ପ୍ରାର୍ଥୀ ବଛା ନ ଯାଇ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ।

Comments are closed.