ଭୁବନେଶ୍ବର ଓ ରାଉରକେଲା ହେଲା ୨ ନୂତନ ଅବକାରୀ ଜିଲା

ଭୁବନେଶ୍ୱର: ରାଜ୍ୟରେ ଅବକାରୀ ବିଭାଗକୁ ଚଳଚଞ୍ଚଳ କରିବାପାଇଁ ଆଜି ରାଜ୍ୟ କ୍ୟାବିନେଟରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ଅବକାରୀ ସେବା କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ବାରା ଅତିରିକ୍ତ କମିସନର, ଯୁଗ୍ମ କମିସନର, ଉପକମିସନର, ଅବକାରୀ ଅଧୀକ୍ଷକ, ଉପଅବକାରୀ ଅଧୀକ୍ଷକ, ନିରୀକ୍ଷକ, ଉପନିରୀକ୍ଷକ, ସହକାରୀ ଉପନିରୀକ୍ଷକ ଓ ଅବକାରୀ ସିପାହି ଆଦି ପଦରେ ୩୦୪ଟି ନୂତନ ପଦ ସୃଷ୍ଟି କରାଯାଇଛି। ଏହାସହିତ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲାକୁ ଭାଗକରି ଭୁବନେଶ୍ବର ଓ ରାଉରକେଲାଠାରେ ୨ଟି ନୂତନ ଅବକାରୀ ଜିଲା ଗଠନ କରାଯିବା ସହିତ ୪ଟି ଅମଲା ପଦ ସୃଷ୍ଟି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତିକୁ ବିଚାରକୁ ନେଇ ଭଦ୍ରକର ତିହିଡ଼ି, ବାଲେଶ୍ବରର ବାଲିଆପାଳ, ଢ଼େଙ୍କାନାଳର ଭୂବନ, ଖୋର୍ଦ୍ଧାର ବେଗୁନିଆ ଓ ସୁନ୍ଦରଗଡ଼ର ପାନପୋଷଠାରେ ୫ଟି ନୂତନ ଅବକାରୀ ଥାନା ପ୍ରତିଷ୍ଠା କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ଅବକାରୀ କମିସନ କାର୍ୟ୍ୟାଳୟକୁ ରାଜସ୍ବ ବୋର୍ଡଠାରୁ ପୃଥକ କରି ଅବକାରୀ ନିର୍ଦେଶାଳୟ ରୂପେ କାର୍ୟ୍ୟକାରୀ କରିବାକୁ ସରକାର ଆଭିମୁଖ୍ୟ ରଖିଛନ୍ତି। ଏଥିପାଇଁ ୫ଟି ମୂଳପଦ ସୃଷ୍ଟି କରାଯାଇଛି। ଏହାସହିତ ସ୍ବାଧୀନ ଭାବେ କର୍ମଚାରୀ ଓ କ୍ୟାଡର ସୁପରିଚାଳନା ଲାଗି ମଧ୍ୟ ସରକାର କେତେକ ନୀତିଗତ ନିଷ୍ପତ୍ତି ନେଇଛନ୍ତି।

ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାର ୨୦୧୮ରେ ଦୀର୍ଘମିଆଦୀ ଯୋଜନା ନୀତିରେ ସଂଶୋଧନ କରି ଆଲୁମିନା ରିଫାଇନାରୀକୁ ଓଏମସି ଲିମିଟେଡ ମାଧ୍ୟମରେ ବକ୍ସାଇଟ ଯୋଗାଣ ପାଇଁ ନିର୍ଦେଶ ଜାରି କରିଥିଲେ। ଏନେଇ ଏକ ମାମଲାର ବିଚାରବେଳେ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦେଶନାମାକୁ ନେଇ ରାଜ୍ୟ ସରକାର କେତେକ ସଂଶୋଧନ ଆଣିଛନ୍ତି। ଇ-ନିଲାମ ମାଧ୍ୟମରେ ବିକ୍ରୟ ପାଇଁ ଧାର୍ୟ୍ୟ କରାଯାଇଥିବା ସମସ୍ତ ବକ୍ସାଇଟକୁ ପ୍ରତି ମେଟ୍ରିକ ଟନ୍ ପିଛା ୧ହଜାର ଟଙ୍କା ଦରରେ ଓଏମସି ବିକ୍ରି କରିବ। କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟ ସରକାରଙ୍କ ପିଏସୟୁ ଓଏମସି ଲିମିଟେଡକୁ ଆର୍ଥିକ କ୍ଷତିରୁ ପୁନରୁଦ୍ଧାର କରାଯିବା ସହିତ ରାଜ୍ୟର ପଛୁଆ ଅଞ୍ଚଳର ଦ୍ରୁତ ଅର୍ଥନୈତିକ ଓ ଶିଳ୍ପ ବିକାଶରେ ସହାୟକ ହୋଇପାରିବ।

ସେହିପରି ରାଜ୍ୟରେ ପେଟ୍ରୋଲିୟମ, ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି ଲାଗି ଜଗତସିଂହପୁର ଓ କେନ୍ଦ୍ରାପଡାରେ ଇଡ଼କୋ ସହାୟତାରେ ପେଟ୍ରୋକେମିକାଲ ଆଣ୍ଡ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜନ(ପିସିପିଆଇଆର୍) ସ୍ଥାପନ କରାଯାଉଛି। ଏନେଇ ଓପିଟିସିଏଲ୍ ପାରାଦ୍ବୀପଠାରେ ୬୩୭.୪୫କୋଟି ଟଙ୍କାର ଏକ ବିଦ୍ୟୁତ ଭିତ୍ତିଭୂମି ପ୍ରକଳ୍ପ ସ୍ଥାପନ ଲାଗି ପ୍ରସ୍ତାବ ଦେଇଛି। ଏହାକୁ ରାଜ୍ୟ କ୍ୟାବିନେଟ ସୁବଚାର କରି ଅନୁମୋଦନ ଦେଇଛି।

ଏହି ପ୍ରକଳ୍ପରେ ରାଜ୍ୟ ସରକାର ୩୦ପ୍ରତିଶତ ଏବଂ ୭୦ ପ୍ରତିଶତ ଅନ୍ୟାନ୍ୟ ସଂସ୍ଥାଠାରୁ ଋଣ ଆଣି ଓପିଟିସିଏଲ୍ କରିପାରିବ। ଆସନ୍ତା ୩ବର୍ଷ ମଧ୍ୟରେ ପାରାଦ୍ବୀପଠାରେ ୨ଟି ୫୦୦ ମେଗାୱାଟ ପ୍ରକଳ୍ପ ସାଙ୍ଗକୁ ୪୦୦, ୨୨୦ ଏବଂ ୩୩ କେଭିର ସବଷ୍ଟେସନ ନିର୍ମାଣ କରାଯିବ। ଏହାଦ୍ବାରା ପାରାଦ୍ବୀପ ତଥା ଜଗତସିଂହପୁରର ଶିଳ୍ପ ସଂସ୍ଥା ସହିତତ କେନ୍ଦ୍ରାପଡାର ଶିଳ୍ପ ସଂସ୍ଥା, ହରିଦାସପୁର ରେଳଲାଇନ ସଂଲଗ୍ନ ଶିଳ୍ପ ସମୂହର ବିଦ୍ୟୁତ୍ ଚାହିଦା ପୂରଣ କରିପାରିବ ବୋଲି ମୁଖ୍ୟସଚିବ ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.