ଦେଶରେ ସ୍ୱଦେଶୀଭାବେ ଚିକିତ୍ସା ଉପକରଣ ନିର୍ମାଣର ପ୍ରୋତ୍ସାହନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ବିଭିନ୍ନ ଯୋଜନାଗୁଡିକୁ ମଞ୍ଜୁରି ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଞ୍ଜୁର ହୋଇଥିବା ଯୋଜନା ମାନଙ୍କ ମଧ୍ୟରେ ଦେଶରେ ସ୍ୱଦେଶୀଭାବେ ଚିକିତ୍ସା ଉପକରଣ ନିର୍ମାଣର ପ୍ରୋତ୍ସାହନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ଏଥି ସହିତ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁର ମିଳିଥିବା ଯୋଜନା ଗୁଡିକ ହେଲା..

୧) ୪୦୦ କୋଟି ଟଙ୍କା ବ୍ୟୟରେ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ଭିତିଭୂମି ସୁବିଧା ବିକାଶ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଜନା

୨) ୩୪୨୦ କୋଟି ଟଙ୍କାର ବ୍ୟୟବରାଦ ସହିତ ଚିକିତ୍ସା ଉପକରଣଗୁଡିକୁ ସ୍ୱଦେଶୀଭାବେ ନିର୍ମାଣକୁ ପ୍ରୋତ୍ସାହନ ଲାଗି ଉତ୍ପାଦନ ସହ ଜଡିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଉପରୋକ୍ତ ଯୋଜନା ଲାଗି ୨୦୨୦-୨୧ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥ ବ୍ୟୟ କରାଯିବ।
(ବିବରଣୀକ) ଚିକିତ୍ସା ଉପକରଣ ପାର୍କଗୁଡିକୁ ପ୍ରୋତ୍ସାହନ

 ଚିକିତ୍ସା ଉପକରଣ ଏକ ବିକାଶଶୀଳ କ୍ଷେତ୍ର ଏବଂ ସ୍ୱାସ୍ଥ୍ୟ ଉପଚାର ବଜାରର ସମସ୍ତ କ୍ଷେତ୍ରରେ ଏହାର ବିକାଶ ଲାଗି ସର୍ବାଧିକ ସମ୍ଭାବନା ରହିଛି। ୨୦୧୮- ୧୯ ବର୍ଷରେ ଏହି କ୍ଷେତ୍ରରେ ୫୦,୦୨୬ କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିଲା। ୨୦୨୧-୨୨ ସୁଦ୍ଧା ଏହି ପରିମାଣ ୮୬,୮୪୦କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାର ଆଶା କରାଯାଉଛି। ଚିକିତ୍ସା ଉପକରଣର ଘରୋଇ ଚାହିଦା ପୂରଣ ନିମନ୍ତେ ଭାରତ ୮୫ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଉପରେ ନିର୍ଭରଶୀଳ।

 ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ରାଜ୍ୟଗୁଡିକ ସହ ଭାଗିଦାରୀ ମାଧ୍ୟମରେ ଦେଶରେ ଚିକିତ୍ସା ଉପକରଣ ପାର୍କ ବିକଶିତ କରିବା। ରାଜ୍ୟଗୁଡିକୁ ପ୍ରତି ପାର୍କ ଲାଗି ୧୦୦ କୋଟି ଟଙ୍କା ଲେଖାଏଁ ସର୍ବାଧିକ ଅନୁଦାନ ସହାୟତା ଯୋଗାଇ ଦିଆଯିବ।

 ଚିକିତ୍ସା ଉପକରଣ କ୍ଷେତ୍ରକୁ ବିଭିନ୍ନ କାରଣରୁ କ୍ଷତି ସହିବାକୁ ପଡୁଛି। ଏସବୁ କାରଣ ମଧ୍ୟରେ ରହିଛି ପର୍ଯ୍ୟାପ୍ତ ମୌଳିକ ଭିତିଭୂମିର ଅଭାବ, ଘରୋଇ  ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ, ଅଧିକ ବ୍ୟୟଭାର, ଗୁଣବକ୍ତାଯୁକ୍ତ ବିଦ୍ୟୁତ ଯଥେଷ୍ଟ ପରିମାଣରେ ଉପଲବ୍ଧ ନ ହେବା, ସୀମିତ ଡିଜାଇନ କ୍ଷମତା, ଗବେଷଣା ଓ ବିକାଶ ତଥା ଦକ୍ଷତା ବିକାଶ କ୍ଷେତ୍ରରେ ଯଥେଷ୍ଟ ଧ୍ୟାନ ନ ଦେବା ଓ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଅର୍ଥବ୍ୟବସ୍ଥା କାରଣରୁ ୧୨ ରୁ ୧୫ ପ୍ରତିଶତ ଉତ୍ପାଦନ ଅକ୍ଷମତା ବ୍ୟୟ।

 ଚିକିତ୍ସା ଉପକରଣ କ୍ଷେତ୍ରରେ ଅଧିକ ନିବେଶ ଆକୃଷ୍ଟ କରି ସ୍ୱଦେଶୀ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ। ୨୦୧୯-୨୦
ଆଧାର ବର୍ଷ ତୁଳନାରେ ବୃଦ୍ଧି ସମ୍ବନ୍ଧୀୟ ବିକ୍ରୀର ୫ ପ୍ରତିଶତ ଦରରେ ପ୍ରୋତ୍ସାହନ ଦିଆଯିବା ଲାଗି ଏହି ଯୋଜନାରେ ନିଷ୍ପତି ନିଆଯାଇଛି। ଚିହ୍ନଟ
କରାଯାଇଥିବା ଚିକିତ୍ସା ଉପକରଣ କ୍ଷେତ୍ରରେ ସହାୟତା ପ୍ରଦାନ କରାଯିବ।

କାର୍ଯ୍ୟାନ୍ୱୟନ-
ଚିକିତ୍ସା ଉପକରଣ ପାର୍କ ବିକଶିତ କରିବା ଲାଗି ଏହି ଯୋଜନାକୁ ରାଜ୍ୟ କାର୍ଯ୍ୟାନ୍ୱୟନ ଏଜେନ୍ସି (ଏସଆଇଏ) ଦ୍ୱାରା ଲାଗୁ କରାଯିବ। ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଦେବା ଲାଗି ପିଏଲଆଇ ଯୋଜନା ଔଷଧ ବିଭାଗ ଦ୍ୱାରା ନାମିତ ପ୍ରକଳ୍ପ ପରିଚାଳନା ଏଜେନ୍ସି (ପିଏମଏ) ଜରିଆରେ ଲାଗୁ କରାଯିବ। ୪ଟି ଚିକିତ୍ସା ଉପକରଣ ପାର୍କ ଲାଗି ସହଭାଗୀ ମୌଳିକ ସୁବିଧା ନିମନ୍ତେ ଆର୍ଥିକ ସହାୟତା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖାଯାଇଛି।
ପିଏଲଆଇ ଯୋଜନାର ଲକ୍ଷ୍ୟ ହେଉଛି ଚିକିତ୍ସା ଉପକରଣଗୁଡିକର ନିମ୍ନଲିଖିତ ଶ୍ରେଣୀ ଅନ୍ତର୍ଗତ ୨୫-୩୦ ନିର୍ମାତାମାନଙ୍କୁ ସହାୟତା ଉପଲବ୍ଧ କରାଇବା।
କ) କର୍କଟ ଚିକିତ୍ସା/ରେଡିଓଥେରାପି ଚିକିତ୍ସା ଉପକରଣ,

ଖ) ରେଡିଓଲୋଜି ଏବଂ ଇମେଜିଂ ଚିକିତ୍ସା ଉପକରଣ (ଆୟୋନାଇଜିଂ ଓ ନନ-ଆୟୋନାଇଜିଂ ରେଡିଏସନ ଉତ୍ପାଦ) ଏବଂ ନ୍ୟୁକ୍ଲିୟର ଇମେଜିଂ ଉପକରଣ

ଗ) କାର୍ଡିଓ ରେସ୍ପିରେଟ୍ରୀ ଶ୍ରେଣୀ ଓ ରିନଲକେୟାର ଚିକିତ୍ସା ଉପକରଣଗୁଡିକର କ୍ୟାଥେଟର୍ସ ସହିତ ଆନାସଥେଟିକ୍ସ ଏବଂ କାର୍ଡିଓ ରେସ୍ପିରେଟ୍ରୀ ଚିକିତ୍ସା ଉପକରଣ

ଘ) କୋଚଲିୟର ଇମପ୍ଲାଂଟ୍ସ ଓ ପେସମେକର ଭଳି ସମସ୍ତ ପ୍ରତିରୋପଣ ଯୋଗ୍ୟ ବୈଦ୍ୟୁତିକ ଉପକରଣ।

ପ୍ରଭାବ-

ଚିକିତ୍ସା ଉପକରଣ ପାର୍କଗୁଡିକର ପ୍ରୋତ୍ସାହନ ଉପଯୋଜନା ଅନ୍ତର୍ଗତ ୪ଟି ଚିକିତ୍ସା ଉପକରଣ ପାର୍କରେ ସାଧାରଣ ମୌଳିକ ସୁବିଧା ବିକଶିତ କରାଯିବ। ଏହାଦ୍ୱାରା ଦେଶରେ ଚିକିତ୍ସା ଉପକରଣ ନିର୍ମାଣ ବ୍ୟୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଚିକିତ୍ସା ଉପକରଣର ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଫଳରେ ପିଏଲଆଇ ଯୋଜନା ସ୍ୱଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଦେବ, ଯାହାକି ଏହି କ୍ଷେତ୍ରରେ ବିପୁଳ ପୁଂଜି ନିବେଶ ଆକୃଷ୍ଟ କରିବ। ଏହାଦ୍ୱାରା ୫ ବର୍ଷ ମଧ୍ୟରେ ୬୮,୪୩୭ କୋଟି ଟଙ୍କା ମୂଲ୍ୟର ଉତ୍ପାଦନ ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଏଥିସହିତ ୩୩,୭୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।

Comments
Loading...