କୃଷକଙ୍କୁ କେନ୍ଦ୍ର ସରକାରଙ୍କ ଉପହାର, ରବି ଫସଲ ଏମ୍‍ଏସ୍‍ପି ବଢିଲା

0

ନୂଆଦିଲ୍ଲୀ : କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ସରକାର ବୁଧବାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ବଢାଇ ଦେଇଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଗହମ, ଚଣା, ସୋରିଷ, ଯଅ, ମସୁରର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ ଦିଆଯାଇଛି। ଆସନ୍ତା ରବି ଋତୁରୁ ଏହା ଲାଗୁ ହେବ। ଏହି କ୍ରମରେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧,୭୩୫ ଟଙ୍କାରୁ ୧,୮୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହପିରି ଚଣାର ଏମ୍‍ଏସ୍‍ପି କ୍ୱିଣ୍ଟାଲ ପିଛା ୪,୪୪୦ ଟଙ୍କାରୁ ବଢି ୪,୬୧୨ ଟଙ୍କାରେ ପହଞ୍ଚିଛି। ମସୁର ଡାଲିର ଏମ୍‍ଏସ୍‍ପି କ୍ୱିଣ୍ଟାଲ ପିଛା ୪,୨୫୦ ଟଙ୍କାରୁ ୪,୪୭୫ ଟଙ୍କାକୁ ବୃଦ୍ଧି ପାଇଛି। କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ଏହା ଘୋଷଣା କରିବା ସହ କହିଛନ୍ତି ଯେ କୃଷକଙ୍କ ଆୟ ଦ୍ୱିଗୁଣା କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ରବି ଫସଲ ଏମ୍‍ଏସ୍‍ପି ବୃଦ୍ଧି ଦ୍ୱାରା ଚାଷୀ ୬୨୬୩୫ କୋଟି ଟଙ୍କା ଅତିରିକ୍ତ ଆୟ କରିବେ। କ୍ୱିଣ୍ଟାଲ ସୋରିଷ ଉତ୍ପାଦନ ପାଇଁ ୨୨୧୨ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସରକାର ଏହାର ଏମ୍‍ଏସ୍‍ପି ବୃଦ୍ଧି କରି ୪୨୦୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଉତ୍ପାଦନ ପାଇଁ ଖର୍ଚ୍ଚ ମୂଲ୍ୟଠାରୁ ଗହମ ଏମ୍‍ଏସ୍‍ପି ୧୧୨%, ଚଣାର ୭୫%, ସୋରିଷର ଏମ୍‍ଏସ୍‍ପି ୮୯% ଅଧିକ ବୃଦ୍ଧି କରାଯାଇଛି। କୃଷକଙ୍କ ସମସ୍ୟାର ସମାଧା ନିମନ୍ତେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ୯ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ କୃଷି ଉତ୍ପାଦନ ଖର୍ଚ୍ଚ ଏବଂ ମୂଲ୍ୟ ନିର୍ଦ୍ଧାରଣ ଆୟୋଗ (ସିଏସିପି)ର ସୁପାରିଶ ଆଧାରରେ କ୍ୟାବିନେଟ୍‍ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) ବୃଦ୍ଧି କରିଛନ୍ତି। ସିଏସିପି ଗହମର ଏମ୍‍ଏସ୍‍ପି ପ୍ରତି କ୍ୱିଣ୍ଟାଲ ୧୦୫ ଟଙ୍କା, ସୋରିଷ ଏମ୍‍ଏସ୍‍ପି ପ୍ରତି କ୍ୱିଣ୍ଟାଲ ୨୦୦ ଟଙ୍କା, ଚଣା ଏମ୍‍ଏସ୍‍ପି ପ୍ରତି କ୍ୱିଣ୍ଟାଲ ୨୨୦ ଟଙ୍କା, ମସୁର ଡାଲି ଏମ୍‍ଏସ୍‍ପି ପ୍ରତି କ୍ୱିଣ୍ଟାଲ ୨୨୫ ଟଙ୍କା, ଯଅ ଏମ୍‍ଏସ୍‍ପି ମୂଲ୍ୟ କ୍ୱିଣ୍ଟାଲ ପିଛା ୮୪୫ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା।

Leave A Reply