ସ୍ୱାସ୍ଥ୍ୟ ସହଯୋଗ ବୁଝାମଣାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ହୋଇଥିବା ବୁଝାମଣାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଛିଲା ଭାବେ କ୍ୟାବିନେଟ ଏହି ବୁଝାମଣାକୁ ମଞ୍ଜୁରୀ ପ୍ରଦାନ କରିଛି। ୨୦୧୯ ନଭେମ୍ବରରେ ଭାରତ ଗସ୍ତରେ ଆସିଥିବା ସମୟରେ ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଟ୍ରଷ୍ଟି ତଥା ସହ-ଅଧ୍ୟକ୍ଷ ବିଲ ଗେଟ୍ସ ଏହି ବୁଝାମଣାରେ ସ୍ଵାକ୍ଷର କରିଥିଲେ।

ଏହି ସ୍ୱାସ୍ଥ୍ୟ ସହଯୋଗ ବୁଝାମଣା ଅନୁଯାୟୀ, ପ୍ରସୂତି, ନବଜାତ ଏବଂ ଶିଶୁ ମୃତ୍ୟୁ ହାର ହ୍ରାସ କରିବା ଓ ପୁଷ୍ଟି ସାଧନ ସେବାକୁ ଉନ୍ନତ କରିବା ଲାଗି ଟିକାକରଣ ତଥା ଉନ୍ନତ ଗୁଣବତାଯୁକ୍ତ ପ୍ରାଥମିକ ସ୍ଵାସ୍ଥ୍ୟସେବା ସମସ୍ତଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ହେଉଛି ପ୍ରମୁଖ ଉଦ୍ଦେଶ୍ୟ। ଏହା ଦ୍ୱାରା ପରିବାର ନିୟୋଜନ ପଦ୍ଧତି ଓ ଗୁଣବତାର ବିକଳ୍ପ ବୃଦ୍ଧି ପାଇବା ସହ ଯୁବତୀଙ୍କ ନିକଟରେ ବିକଳ୍ପ ଉପଲବ୍ଧ କରାଯାଇ ପାରିବ। ଅନ୍ୟ ପକ୍ଷରେ ଏହି ବୁଝାମଣା ପତ୍ର ଅନୁଯାୟୀ ଯକ୍ଷ୍ମା ଓ ଭିଏଲ, ଏଲଏଫ ଭଳି ସଂକ୍ରାମକ ରୋଗର ନିରାକରଣ ସହ ନିର୍ଦ୍ଧାରିତ ବଜେଟର ସଠିକ ଉପଯୋଗ କରିବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ୟ୍ୟରତ ମାନବ ସମ୍ବଳର ଦକ୍ଷତା ବିକାଶ ଓ ପରିଚାଳନା, ସୁଦୃଢ ଯୋଗାଣ ଶୃଙ୍ଖଳା ଏବଂ ଅନୁଧ୍ୟାନ ବ୍ୟବସ୍ଥା ମାଧ୍ୟମରେ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଏହା ସଶକ୍ତ କରିବ।

Comments are closed.