୨୦୨୬ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର ଅବଧି ବୃଦ୍ଧି

ଆରଜିଏସଏ ଅବଧି ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି

ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନର କାର୍ଯ୍ୟକାରିତା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ

ଯୋଜନା ପାଇଁ ଖର୍ଚ୍ଚ ହେବ ମୋଟ୍‌ ୫୯୧୧ କୋଟି ଟଙ୍କା, ୩୭୦୦ କୋଟି ଟଙ୍କା

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ୨.୭୮ ଲକ୍ଷ ଗ୍ରାମୀଣ ପ୍ରଶାସନିକ ସଂସ୍ଥାକୁ ମିଳିବ ସହାୟତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ସଂଶୋଧିତ କେନ୍ଦ୍ର ପ୍ରାୟୋଜିତ ଯୋଜନା ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (ଆରଜିଏସଏ)ର ଅବଧି ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏହି ଯୋଜନାର କାର୍ଯ୍ୟକାଳକୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଅବଧି ଅନୁରୂପ ୦୧.୦୪.୨୦୨୨ ଠାରୁ ୩୧.୦୩.୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆରଜିଏସଏ ଯୋଜନା ଦେଶର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ପ୍ରଶାସନିକ କ୍ଷମତା ବିକଶିତ କରିବାରେ ସହାୟକ ହେବ ।

ଆରଜିଏସଏ ଯୋଜନାରେ ମୋଟ ୫୯୧୧ କୋଟି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ର ସରକାର ୩୭୦୦ କୋଟି ଟଙ୍କା ଯୋଗାଇ ଦେବେ । ଅବଶିଷ୍ଟ ୨୨୧୧ କୋଟି ଟଙ୍କା ରାଜ୍ୟମାନେ ଖର୍ଚ୍ଚ କରିବେ।

ସଂଶୋଧିତ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ସାରା ଦେଶରେ ପାରମ୍ପରିକ ସଂସ୍ଥାଗୁଡ଼ିକ ସମେତ ୨.୭୮ ଲକ୍ଷରୁ ଅଧିକ ଗ୍ରାମୀଣ ପ୍ରଶାସନିକ ସଂସ୍ଥାକୁ ପ୍ରଶାସନିକ କ୍ଷମତା ବିକାଶରେ ସହାୟକ ହେବ । ଯାହାଫଳରେ ଏସବୁ ସଂସ୍ଥା ଉପଲବ୍ଧ ସମ୍ବଳର ଯଥାସମ୍ଭବ ଉପଯୋଗ ପ୍ରତି ଧ୍ୟାନ ଦେଇ ସମାବେଶୀ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ସକ୍ଷମ ହୋଇପାରିବେ।

ପଞ୍ଚାୟତମାନଙ୍କରେ ଅନୁସୂଚିତ ଜାତି, ଅନୁସୂଚୀତ ଜନଜାତି ଓ ମହିଳା ବର୍ଗଙ୍କ ପ୍ରତିନିଧିତ୍ୱ ରହିଥାଏ ଏବଂ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ତୃଣମୂଳସ୍ତରର ନିକଟତର ହୋଇଥାନ୍ତି, ତେଣୁ ପଞ୍ଚାୟତର ଉନ୍ନତିକରଣ ଦ୍ଵାରା ସମାନତା ଓ ସମାବେଶୀତାକୁ ପ୍ରୋତ୍ସାହନ ମିଳିବ ତଥା ବିଭିନ୍ନ ସମୁଦାୟ ସାମାଜିକ ନ୍ୟାୟ ପାଇପାରିବେ ଓ ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହେବ । ପଞ୍ଚାୟତିରାଜ ସଂସ୍ଥାରେ ଇ-ଗଭର୍ଣ୍ଣାନ୍ସର ଅଧିକ ପ୍ରୟୋଗ ଫଳରେ ସେବା ପ୍ରଦାନ ଏବଂ ସ୍ୱଚ୍ଛତାରେ ସୁଧାର ଆସିବ । ଏହି ଯୋଜନା ଦ୍ଵାରା ଗ୍ରାମ ସଭାଗୁଡ଼ିକ ସୁଦୃଢ଼ ହେବେ।

Comments are closed.