କ୍ୟାବିନେଟ ନିଷ୍ପତ୍ତି, ଆଖୁ ଚାଷୀଙ୍କ ପାଇଁ ୩୫୦୦ କୋଟି ଟଙ୍କା ସହାୟତା

ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଆଜି ଆଖୁ ଚାଷୀଙ୍କ ପାଇଁ ପ୍ରାୟ ୩ ହଜାର ୫୦୦ କୋଟି ଟଙ୍କା ସହାୟତା ଅନୁମୋଦନ କରିଛି। ଗଣମାଧ୍ୟମକୁ ତଥ୍ୟ ପ୍ରଦାନ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଆବଶ୍ୟକ ଠାରୁ ଅଧିକ ଚିନି ମହଜୁଦ ଥିବାରୁ ଆଖୁ ଚାଷୀମାନେ ମିଲ ମାଲିକଙ୍କଠାରୁ ପ୍ରାପ୍ୟ ପାଇପାରୁ ନାହାନ୍ତି।
ସେ କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ସରକାର ମହଜୁଦ ଥିବା ଅତିରିକ୍ତ ଚିନିକୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରୁଛନ୍ତି। ଏହା ଦ୍ୱାରା ଆଖୁ ଚାଷୀଙ୍କ ଦେୟ ପ୍ରଦାନ କରାଯାଇପାରିବ। ଏଥିପାଇଁ ସରକାର ପ୍ରାୟ ୩ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ଏହି ସହାୟତା ସିଧାସଳଖ ଚିନି ମିଲ ତରଫରୁ କୃଷକଙ୍କ ଆକାଉଣ୍ଟରେ ଆଖୁ ମୂଲ୍ୟ ଦେୟ ଭାବେ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ପାଞ୍ଚ କୋଟି ଆଖୁ ଚାଷୀ ଏବଂ ଚିନି କାରଖାନାରେ ନିୟୋଜିତ ପାଞ୍ଚ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ସେ କହିଛନ୍ତି।