ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି

କୃଷକଙ୍କ ନିୟନ୍ତ୍ରଣରେ ବଜାର

ନୂଆଦିଲ୍ଲୀ : ଦେଶରେ ପ୍ରଚଳିତ ଥିବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟ ବୁଧବାର ଅନୁମୋଦନ କରିଛି। ଏହାଫଳରେ ଚାଉଳ, ଗହମ, ମାଣ୍ଡିଆ ଭଳି ଖାଦ୍ୟଶସ୍ୟ, ଡାଲି, ପିଆଜ ଆଦି ସାମଗ୍ରୀକୁ ନିୟନ୍ତ୍ରଣମୁକ୍ତ କରାଯାଇଛି। ଏହାଦ୍ୱାରା କୃଷିକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ଏବଂ କୃଷକଙ୍କ ଆୟ ବୃଦ୍ଧିପାଇବ ବୋଲି କୁହାଯାଇଛି। ପ୍ରାୟ ୬୫ବର୍ଷ ଧରି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରଚଳିତ ହୋଇଆସୁଥିଲା। ଏଥିସହିତ କୃଷିଜାତ ସାମଗ୍ରୀର ଅବାଧ ପରିବହନକୁ ନିଶ୍ଚିତ କରିବା ସକାଶେ ‘କୃଷିଜାତ ସାମଗ୍ରୀ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଓ ସୁଗମ କରିବା) ଅଧ୍ୟାଦେଶ, ୨୦୨୦କୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ସରକାର ‘ନିଶ୍ଚିତ ମୂଲ୍ୟ ଏବଂ କୃଷିସେବା କ୍ଷେତ୍ରରେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ରାଜିନାମା ଅଧ୍ୟାଦେଶ, ୨୦୨୦କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାଦ୍ୱାରା କୃଷକମାନେ କୃଷିଜାତ ସାମଗ୍ରୀ ପ୍ରକ୍ରିୟାକରଣକାରୀ, ପାଇକାରୀ ବିକ୍ରେତା, ବୃହତ ଖୁଚୁରା ବିକ୍ରେତା ଏବଂ ରପ୍ତାନିକାରୀଙ୍କ ସହିତ ଆଲୋଚନା କରିବାକୁ କ୍ଷମତା ପାଇପାରିବେ।
କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ପ୍ରକାଶକରି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଏହା ଭାରତର କୃଷକଙ୍କୁ ସହାୟକ ହୋଇପାରିବ ଏବଂ ତାହାସହିତ ଦେଶର କୃଷିକ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ କରାଯିବା ଦ୍ୱାରା ଘରୋଇ ନିବେଶକମାନେ ମାତ୍ରାଧିକ ନିୟାମକ ବିଧିବ୍ୟବସ୍ଥା ପ୍ରୟୋଗ କରିବାର ଯେଉଁ ଆଶଙ୍କା ରହୁଥିଲା, ତାହା ଦୂରହେବ। ଶ୍ରୀ ତୋମାର କହିଥିଲେ, କୃଷିଜାତ ସାମଗ୍ରୀ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଓ ସୁଗମକରିବା) ଅଧ୍ୟାଦେଶ,୨୦୨୦ ଦ୍ୱାରା କୃଷିଜାତ ସାମଗ୍ରୀର ଅବାଧରେ ରାଜ୍ୟଭିତରେ ଏବଂ ଆନ୍ତଃରାଜ୍ୟ ପରିବହନ ସହିତ ରାଜ୍ୟ କୃଷିଜାତ ସାମଗ୍ରୀ ବିପଣନ ଆଇନ ଦ୍ୱାରା ସ୍ଥିରୀକୃତ ବଜାର ବାହାରେ ମଧ୍ୟ ସେହିସବୁ ସାମଗ୍ରୀର ଅବାଧ ବାଣିଜ୍ୟ ବ୍ୟବସାୟ କରାଯାଇପାରିବ। ଦେଶରେ ବହୁଳ ଭାବେ ନିୟନ୍ତ୍ରିତ ରହୁଥିବା କୃଷିଜାତ ସାମଗ୍ରୀର ବଜାରକୁ ଉନ୍ମୁକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ-୧୯ର ମୁକାବିଲା ନିମନ୍ତେ ଘୋଷଣା କରିଥିବା ୨୦ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ଏହି ପ୍ରସ୍ତାବଗୁଡିକ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା।

Comments are closed.