ଗୁଜରାଟ ଆୟୁର୍ବେଦ ସଂସ୍ଥାନ ସମୂହକୁ ମିଳିଲା ଜାତୀୟ ଗୁରୁତ୍ଵ ସମ୍ପନ୍ନ ସଂସ୍ଥାନ ମାନ୍ୟତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁଜୁରାଟ ଜାମନଗରସ୍ଥିତ ଗୁଜରାଟ ଆୟୁର୍ବେଦ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଆୟୁର୍ବେଦ ସଂସ୍ଥାନ ସମୂହକୁ ଜାତୀୟ ଗୁରୁତ୍ଵ ସମ୍ପନ୍ନ ସଂସ୍ଥାନ ମାନ୍ୟତା ଦେବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ଆୟୁର୍ବେଦ ସଂସ୍ଥାନ ସମୂହରେ ଆୟୁର୍ବେଦରେ ସ୍ନାତକୋତ୍ତର ଶିକ୍ଷା ଓ ଗବେଷଣା ସଂସ୍ଥାନ, ଶ୍ରୀ ଗୁଲାବ କୁନୱର୍ବା ଆୟୁର୍ବେଦ ମହାବିଦ୍ୟାଳୟ, ଫାର୍ମାସୀ ସଂସ୍ଥାନ, ଆୟୁର୍ବେଦ ଫର୍ମାସ୍ୟୁଟିକାଲ୍ସ ସାଇନ୍ସେସ ଓ ମହର୍ଷି ପତଞ୍ଜଳି ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଶିକ୍ଷା ଓ ଗବେଷଣା ସଂସ୍ଥାନ ରହିଛି। ଏହି ଅନୁଷ୍ଠାନଗୁଡିକୁ ଆୟୁର୍ବେଦ ଶିକ୍ଷା ଏବଂ ଗବେଷଣାର ସ୍ଵସ୍ଥବୃତ୍ତ ବିଭାଗରେ ସାମିଲ କରାଯାଇଛି। ଏ ନେଇ ଆଗାମୀ ସଂସଦ ଅଧିବେଶନରେ ବିଲ ଆଗତ କରାଯିବ ।

ଏହା ଫଳରେ ଭାରତରେ ଜନସ୍ୱାସ୍ଥ୍ୟ ଆହ୍ୱାନର ସମାଧାନ କରିବାରେ ଆୟୁଷ ବ୍ୟବସ୍ଥାର ପରିବର୍ଦ୍ଧିତ ଭୂମିକାକୁ ଆଖିଆଗରେ ରଖି ଜାତୀୟ ମହତ୍ଵ ସମ୍ପନ୍ନ ସଂସ୍ଥାନ ଘୋଷଣା କରାଯିବା ଫଳରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ଆୟୁର୍ବେଦର ଭୂମିକା ଓ ଗୁରୁତ୍ଵକୁ ପ୍ରୋତ୍ସାହନ ମିଳିବ। ରୋଗ ନିବାରଣ ଦୃଷ୍ଟିକୋଣରୁ ଆୟୁର୍ବେଦ ଚିକିତ୍ସା ଶସ୍ତା ହୋଇଥିବାରୁ ଆଗାମୀ ଦିନରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ ହ୍ରାସ ପାଇବ ବୋଲି ଜଣା ପଡିଛି।

Comments are closed.