୫ମ ପାଳିର ବର୍ଷେ ପୂରିଲା : ଆସନ୍ତାକାଲି ମନ୍ତ୍ରୀଙ୍କୁ ନବୀନ ଦେବେ ’ବିକାଶ-ମନ୍ତ୍ର’

ଦିନ ୧୧.୩୦ରେ କ୍ୟାବିନେଟ୍ ଓ ଏହାପରେ ହେବ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ବର: ନିଜ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ଣ୍ଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୨୯ ମେ ସକାଳେ କ୍ୟାବିନେଟ୍ ବୈଠକ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନିଜ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ସହ ଆଲୋଚନା କରିବେ ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । କରୋନା ବିପର୍ଯ୍ୟୟ ସହ ସାରା ବିଶ୍ବ ଲଢ଼ୁଛି, ଓଡ଼ିଶା ମଧ୍ୟ ଲଢ଼ୁଛି । ମାତ୍ର ଓଡ଼ିଶା ପରି ଏକ ରାଜ୍ୟ ପାଇଁ ଲୋକଙ୍କ ଜୀବନ ଜୀବିକା ସହ ବିକାଶ ବି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ବିପର୍ଯ୍ୟୟ ଆଉ ଓଡ଼ିଶା ଯେମିତି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ପାଲଟିଛି । କେତେବେଳେ ବଢ଼ି ତ କେତେବେଳେ ମରୁଡ଼ି, କେତେବେଳେ ପୁଣି ବାତ୍ୟା । ଏହାମଧ୍ୟରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଆଣିଛି କରୋନା । ରାଜ୍ୟର ଅର୍ଥନୀତି ଏହାଫଳରେ ବିଶେଷ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ଓଡ଼ିଶାକୁ ଫେରି ଆସିଥିବା ଓ ଫେରିବା ଅପେକ୍ଷାରେ ଥିବା ପ୍ରବାସୀମାନଙ୍କ ନିମନ୍ତେ ରୋଜଗାର ବ୍ୟବସ୍ଥା କରିବା ରାଜ୍ୟପାଇଁ ସବୁଠାରୁ ବଡ଼ ଆହ୍ବାନ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ୩.୫ ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ୧୩ ଲକ୍ଷ ପ୍ରବାସୀ ଫେରିବା ଅପେକ୍ଷାରେ ରହିଛନ୍ତି । ତେଣୁ ଏମାନଙ୍କ ଥଇଥାନ ସହ ରାଜ୍ୟର ବିକାଶମୂଳକ କାର୍ଯ୍ୟ ସବୁଠାରୁ ବଡ଼ ଆହ୍ବାନ ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ଏ ସମ୍ପର୍କରେ କିଛି ବଡ଼ ଧରଣର ନିଷ୍ପତ୍ତି ନିଆଯାଇପାରେ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଅନୁରୂପ କାର୍ଯ୍ୟ ନିମନ୍ତେ ପରାମର୍ଶ ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସୂଚନା ମିଳିଛି ।

Comments are closed.