ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ୧୨ଟି ପ୍ରସ୍ତାବକୁ ଅନୁମୋଦନ

0

ଭୁବନେଶ୍ବର : କୃଷକଙ୍କୁ ସହାୟତା ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ‘କାଳିଆ’ ଯୋଜନାରେ ଚଳିତ ଆର୍ଥିକବର୍ଷ ପାଇଁ ୧୭୩୩ କୋଟି ଟଙ୍କା ଆବଶ୍ୟକ ପଡୁଛି। ଏହି ଖର୍ଚ୍ଚ ଭରଣା ନିମନ୍ତେ ସରକାର ଆକସ୍ମିକ ପାଣ୍ଠି ଅର୍ଥ ପରିମାଣ ୧୬୦୦ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭା ଚାଲୁନଥିବାରୁ ଅର୍ଥର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ବଳରେ ଆକସ୍ମିକ ପାଣ୍ଠି ପରିମାଣ ବୃଦ୍ଧି କରାଯିବ। ଅଧ୍ୟାଦେଶ ଆଣିବା ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁ​ମୋଦନ ମିଳିଛି। ସେହିପରି ରାଜ୍ୟର ବିଶ୍ବବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକଙ୍କ ବେତନ ସଂଶୋଧନ କରି ସରକାର ସେମାନଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି। ଏହାଦ୍ବାରା ୫୨୦୩ଜଣ ଶିକ୍ଷକ ଉପକୃତ ହେବେ। ଏବାବଦରେ ରାଜ୍ୟ ସରକାର ବର୍ଷକୁ ୧୩୬କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବେ। ସେମାନେ ପିଛିଲା ଭାବେ ୨୦୧୬ ଜାନୁଆରୀରୁ ବର୍ଦ୍ଧିତ ବେତନ ପାଇବେ। ଏଥିସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଂଗଠିତ କରି ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ ନେଇ ଓଡ଼ିଶା କୃଷକ ଉତ୍ପାଦନ ଗୋଷ୍ଠୀ ନୀତି, ପଞ୍ଚଦଶ ଅର୍ଥ କମିଶନକୁ ସ୍ମାରକପତ୍ର ପ୍ରଦାନ, ଯୋଗାଣ ନିରୀକ୍ଷକ, ବନପାଳ ଓ ବନରକ୍ଷୀଙ୍କ ନିଯୁକ୍ତି ନିୟମାବଳୀରେ ସଂଶୋଧନ, ବେସରକାରୀ କ‌େଣ୍ଟ୍ରାଲ ଡିଲରଙ୍କ ସମୟ ଅବଧି ବୃଦ୍ଧି, ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟଙ୍କ ନିଯୁକ୍ତିକୁ ଅନୁମୋଦନ ସମେତ ବାଲୁକା ଶିଳ୍ପ ପାର୍କ ଓ ଏମ୍ସର ଛାତ୍ରଙ୍କ ପାଇଁ ତାଲିମ ଓ ଆବାସିକ ସୁବିଧା ପାଇଁ ବିନା ପ୍ରିମିୟମରେ ଜମି ଯୋଗାଣ ଆଦି ୧୨ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି।
ଶନିବାର ଥିଲା ୨୦୧୮ର ଶେଷ କ୍ୟାବିନେଟ ବୈଠକ। ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି , ସରକାର ଜୀବିକା ଓ ଆୟ ବୃଦ୍ଧି ପାଇଁ କୃଷକଙ୍କୁ ସହାୟତା ପ୍ରଦାନ ନେଇ ‘କାଳିଆ’ ଯୋଜନା ଆରମ୍ଭ କରିଛନ୍ତି। ଚଳିତ ଆର୍ଥିକବର୍ଷରେ ଏଥିପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ୨୦୧୯-୨୦ ବଜେଟ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିବ ନାହିଁ। ୨୦୧୮-୧୯ରେ କୃଷକ କଲ୍ୟାଣ ଯୋଜନା ଅଧୀନରେ ୨୫୦କୋଟି ଟଙ୍କା ବ୍ୟୟ ବରାଦ
କରାଯାଇଛି। ବିଭିନ୍ନ ଯୋଜନା ପାଇଁ ଥିବା ଅର୍ଥ ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ନୁହେଁ। ତେଣୁ ଆକସ୍ମିକ ପାଣ୍ଠିରୁ ପ୍ରାୟ ୧୦୦୦କୋଟି ଟଙ୍କା ଅଗ୍ରିମ ମଞ୍ଜୁରି ଆବଶ୍ୟକ ପଡୁଛି। ଏବେ ଆକସ୍ମିକ ପାଣ୍ଠିରେ ୪୦୦କୋଟି ଟଙ୍କା ଥିବାରୁ ଅଧ୍ୟାଦେଶ ବଳରେ ଏହାକୁ ୧୬୦୦କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି।
ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗର ସୁପାରିସ କ୍ରମେ ୟୁଜିସି ହାରରେ ବେତନ ପାଉଥିବା ଶିକ୍ଷକଙ୍କ ​‌େ​‌ବତନ ସଂଶୋଧନ ନିମନ୍ତେ ରାଜ୍ୟ ସରକାର ବେତନ ନିର୍ଦ୍ଧାରଣ କମିଟି ଗଠନ କରିଥିଲେ। କମିଟିର ରିପୋର୍ଟ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଯେପରି ସରକାରୀ କର୍ମଚାରୀ ସପ୍ତମ ବେତନ କମିଶନ ଦରମା ପାଇବା ପରେ ବକେୟାରୁ ପ୍ରଥମ ପର୍ଯ୍ୟାୟରେ ୪୦% ଓ ପରେ ୬୦% ଅର୍ଥ ଦିଆଯିବାକୁ ଘୋଷଣା କରାଯାଇଥିଲା ସେହି ଆଧାରରେ ସେମାନଙ୍କୁ ବକେୟା ଅର୍ଥ ମିଳିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଉତ୍ପାଦକ ଗୋଷ୍ଠୀ ଗଠନ କରାଯିବ। ଏହାଦ୍ବାରା ସେମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ। କୃଷକ ଉତ୍ପାଦକ ଗୋଷ୍ଠୀ ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ ବିଭାଗରେ ଥିବା କୃଷକ ଗୋଷ୍ଠୀଙ୍କୁ ପଞ୍ଜିକୃତ କରି ଏହାର ସଦସ୍ୟମାନଙ୍କୁ ଆର୍ଥିକ, ଯୋଗାଣ, ବୈଷୟିକ ଜ୍ଞାନ ପ୍ରଦାନ, ବିପଣନ, ବୀମା ବ୍ୟବସ୍ଥା ଓ ସଂଯୋଗୀକରଣ ଆଦି ସମସ୍ତ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ବାର୍ଷିକ ୧୦୦କୋଟି ଟଙ୍କାର କର୍ପସ ପାଣ୍ଠି କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ରହିବ। ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧିରେ ଏହା ସହାୟକ ହେବ ଏବଂ ଗ୍ରାମାଞ୍ଚଳରେ ଅଧିକ ନିଯୁକ୍ତି ସୁଯୋଗ ସୃ​‌ଷ୍ଟି କରିବ।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସମସ୍ତ କାର୍ଯ୍ୟ ୧୪୦୫୩ଟି ସୁଲଭ ବିକ୍ରୟ କେନ୍ଦ୍ର ମାଧ୍ୟମରେ ସମ୍ପାଦିତ ହେଉଥିବା ବେଳେ ସେଥିରୁ ୬୩୭୦ଟି ଆନୁଷ୍ଠାନିକ ଡିଲର ଓ ୭୬୮୩ଜଣ ବେସରକାରୀ ଡିଲର ରହିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାର ଡିଲରମାନଙ୍କୁ ଦିଆଯାଇଥିବା ଲାଇସେନ୍ସର ଅବଧି ବୃଦ୍ଧି କରାଯିବ। ଏଥିପାଇଁ ୧୫୦୦ କିରାସିନି ଡିଲରଙ୍କ ସମେତ ସମସ୍ତ ବେସରକାରୀ ଡିଲରଙ୍କ ଲାଇସେନ୍ସ ଆଉ ଏକବର୍ଷ ପାଇଁ ବୃଦ୍ଧି କରାଯିବ।
ଯୋଗାଣ ନିରୀକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ହିସାବ ଓ ବିଧି ବିଷୟ ଉପରେ ସେମାନେ ପରୀକ୍ଷା ଦେବେ। ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହେଲେ ତାଙ୍କର ବାର୍ଷିକ ଇନକ୍ରିମେଣ୍ଟ ମଞ୍ଜୁର କରାଯିବ ନାହିଁ। ଦକ୍ଷତା ସମ୍ପନ୍ନ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରାର୍ଥୀଙ୍କୁ ବନପାଳ ଓ ବନରକ୍ଷୀ ଭାବେ ନିଯୁକ୍ତି ଦେବାକୁ ନୂତନ ନିଯୁକ୍ତି ନିୟମ ପ୍ରଚଳନ କରାଯିବ। ପୂର୍ବରୁ ଡିଏଫଓଙ୍କ ସ୍ତରରେ ନିଯୁକ୍ତି ଦିଆଯାଉଥିଲା। ଏହି ନୂତନ ନିଯୁକ୍ତି ନିୟମରେ ଓଡିଶା କର୍ମଚାରୀ ମନୋନୟନ ଆୟୋଗ ପରୀକ୍ଷା କରିବେ। ସେମାନଙ୍କ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସଂପୃକ୍ତ ଜିଲାପାଳଙ୍କ ଅଧୀନରେ ଏକ ବୋର୍ଡ ଗଠନ କରାଯିବ। ପଞ୍ଚଦଶ ଅର୍ଥ କମିଶନଙ୍କୁ ଆସନ୍ତା ୯ ତାରିଖରେ ରାଜ୍ୟ ସରକାର ସ୍ମାରକପତ୍ର ପ୍ରଦାନ କରିବେ। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ମଞଜୁରି ମିଳିଛି।
ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ଛାତ୍ରଙ୍କ ପାଇଁ ଉନ୍ନତ ତାଲିମ ଓ ଆବାସିକ ସୁବିଧା ଲାଗି ୧ଟଙ୍କା ଟୋକନ ପ୍ରିମିୟମରେ ସରକାର ଖୋର୍ଦ୍ଧା ଜିଲା ଟାଙ୍ଗୀରେ ୨.୦୪୫ ଏକର ଜମି ପ୍ରଦାନ କରିବେ। ଉକ୍ତ ଜମିର ମୂଲ୍ୟ, ଆନୁଷଙ୍ଗିକ ଖର୍ଚ୍ଚ ଓ ପୁଞ୍ଜିକୃତ ମୂଲ୍ୟ ବାବଦକୁ ସରକାର ୧,୨୭,୯୬, ୮୬୫ଟଙ୍କା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ବାଲୁକା କଳା ପାର୍କ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବାଙ୍କିମୁହାଣ ମୌଜାରେ ୦.୬୦୦ଡେସିମିଲ ଜମି ପ୍ରଦାନ କରାଯିବ। ଏହା ୩୦ ବର୍ଷ ପାଇଁ ସବଲିଜ ଆକାରରେ ଦିଆଯିବ। ଉକ୍ତ ଜମିର ବାର୍ଷିକ ଖଜଣା ଓ ସେସ୍ ବାବଦକୁ ରିଆତି ହାରରେ ସେ ୮୪୦୦ଟଙ୍କା ସରକାରଙ୍କୁ ଦେବେ। ପୂର୍ବରୁ ତାଙ୍କୁ ବାଲୁଖଣ୍ଡ ମୌଜାରେ ଦିଆଯାଇଥିବା ଜାଗା ବଦଳରେ ଏହା ଦିଆଯାଇଛି। ଓଡିଶା ଲୋକସେବା ଆୟୋଗରେ ନମିତା ମହାନ୍ତି ଓ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କ୍ୟାବିନେଟ ବୈଠକରେ ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରାଯାଇଛି।
‘କାଳିଆ’ .

Leave A Reply