୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ ମୋହର : ଚାକିରି ବୟସ ସୀମା କୋହଳ

ପ୍ରାର୍ଥୀଙ୍କ ବୟସ ୩ରୁ ୫ବର୍ଷ ବୃଦ୍ଧି, ୩ ଜିଲାରେ ୫ ବୃହତ୍‌ ପାନୀୟଜଳ ପ୍ରକଳ୍ପ, ଆଇଆଇଟିକୁ ମିଳିବ ୭୮.୫୭ଏକର

ଭୁବନେଶ୍ବର : ରାଜ୍ୟରେ ବୟସାଧିକ ଯୋଗୁଁ ବିଭିନ୍ନ ଚାକିରିରୁ ବଞ୍ଚିତ ଆଶାୟୀଙ୍କୁ ପୁନର୍ବାର ସୁଯୋଗ ଦେବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସାଧାରଣ ବର୍ଗଙ୍କ କ୍ଷେତ୍ରରେ ଉଚ୍ଚ ବୟସ ସୀମା ୩ବର୍ଷ କୋହଳ କରାଯାଇଥିବାବେଳେ ଅନୁସୂଚିତ ଜାତି, ଜନଜାତି, ମହିଳା ଓ ଭିନ୍ନକ୍ଷମ ବର୍ଗଙ୍କ କ୍ଷେତ୍ରରେ ୫ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହାବାଦ୍ ୩ ଜିଲାରେ ୧୩୩୯କୋଟି ଟଙ୍କାର ୫ଟି ବୃହତ୍ ପାଇପ ଯୋଗେ ପାନୀୟଜଳ ପ୍ରକଳ୍ପକୁ ମଞ୍ଜୁରି ସହିତ ୧୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। କ୍ୟାବିନେଟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାରୀ ପଦ ଓ ସେବାରେ ପ୍ରବେଶ ପାଇଁ ଉଚ୍ଚ ବୟସସୀମାକୁ ସରକାର ୩ବର୍ଷ ପାଇଁ କୋହଳ କରିଛନ୍ତି ।
ପୂର୍ବରୁ ଚାକିରି ପାଇଁ ସରକାରଙ୍କ ନିୟମ ଅନୁଯାୟୀ ୩୨ବର୍ଷ ଥିଲା, କ୍ୟାବିନେଟ ନିଷ୍ପତ୍ତିକ୍ରମେ ୩୮ବର୍ଷ ବୟସ ପର୍ଯ୍ୟନ୍ତ ଏହାକୁ ଅନୁମୋଦନ ମଳିଛି। ଆସନ୍ତା ୨୦୨୧, ୨୦୨୨, ୨୦୨୩ ବର୍ଷ ପାଇଁ ହେବାକୁ ଥିବା ନିଯୁକ୍ତି ବେଳେ ସର୍ବୋଚ୍ଚ ବୟସ ସୀମାକୁ ୩୨ବର୍ଷରୁ ୩୮ବର୍ଷକୁ କୋହଳ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପାଇଁ ୪୩ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ ଭିନ୍ନକ୍ଷମ ବର୍ଗଙ୍କ ନିମନ୍ତେ ଆହୁରି ଅଧିକ ବୟସ ସୀମା କୋହଳ କରାଯାଇଛି। କରୋନା ମହାମାରୀ ପାଇଁ ଯେଉଁସବୁ ପରୀକ୍ଷାରେ ବିଳମ୍ବ ହେଉଥିଲା ଏବଂ ଆଶାୟୀମାନେ ବଞ୍ଚିତ ହେଉଥିଲେ ତାକୁ ଦୃଷ୍ଟିରେ ରଖି ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆସିଥିବା ଓଡ଼ିଶା ଅନୁଦାନ ସହାୟକ ଆଦେଶ-୨୦୦୯ର ସଂଶୋଧନ ଓ ନୂତନ ସହାୟକ ଅନୁଦାନ ଆଦେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଥିବାବେଳେ ଓଡ଼ିଶା ବେସାମରିକ ନିୟମାବଳୀ-୧୯୯୧ର ମଧ୍ୟ ସଂଶୋଧନ କରାଯାଇଛି।
ଏହାବ୍ୟତୀତ ୩ଜିଲାରେ ୧୩୩୯କୋଟି ଟଙ୍କାର ୫ଟି ବୃହତ୍ ପାନୀୟଜଳ ଯୋଗାଣ ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏଥିରେ ମୟୂରଭଞ୍ଜ, ସମ୍ବଲପୁର ଓ କଟକ ଜିଲାର ପ୍ରାୟ ୨୦ଲକ୍ଷ ଲୋକ ନିରାପଦ ପାନୀୟଜଳ ପାଇପାରିବେ। କ୍ୟାବିନେଟରେ ମୟୂରଭଞ୍ଜ ଜିଲାର ଶାମାଖୁଣ୍ଟା ଓ ବାରିପଦା ବ୍ଲକ ଅଧୀନରେ ଥିବା ୨୫ଟି ପଞ୍ଚାୟତର ୨୨୨ଟି ଗାଁର ୧୧ଲକ୍ଷ ୪୮ହଜାର ୧୯୯ଲୋକଙ୍କୁ ନିରାପଦ ପାନୀୟଜଳ ଯୋଗାଇବା ଲାଗି ୧୯୦କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଅହମ୍ମଦାବାଦସ୍ଥିତ ଏମଏସ କ୍ରିଷ୍ଣା କର୍ପୋରେସନ ପ୍ରା. ଲି. ଉକ୍ତ ପ୍ରକଳ୍ପ ଆସନ୍ତା ୨ବର୍ଷ ମଧ୍ୟରେ ପ୍ରକଳ୍ପ ନିର୍ମାଣ କରିବ ଏବଂ ଏଥିପାଇଁ ‘ଓମ୍ବାଡ୍‌ସି’(ଓଡ଼ିଶା ମିନେରାଲ ବିଏରିଙ୍ଗ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ) ପାଣ୍ଠି ଯୋଗାଇ ଦେବ। ସେହିପରି ଜିଲାର ସାରସକଣା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକର ୫୦ଟି ପଞ୍ଚାୟତର ୨ଲକ୍ଷ ୯୦ହଜାର ୪୭୨ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଗୁଜରାଟର ଏମଏସ ମୋଣ୍ଟେ କାର୍ଲୋ ଲି.କୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ପ୍ରଦାନ କରାଯିବ । ୩୬୦କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଉକ୍ତ ପ୍ରକଳ୍ପ ୨ବର୍ଷ ମଧ୍ୟରେ ଶେଷ ହେବାକୁ ଲକ୍ଷ୍ୟଧାର୍ଯ୍ୟ ରହିଛି। ମୟୂରଭଞ୍ଜ ଜିଲାର କପ୍ତିପଦା ବ୍ଲକରେ ୧୫୫ଟି ଗ୍ରାମରେ ବସବାସ କରୁଥିବା ୧ଲକ୍ଷ ୪୨ହଜାର ୧୭୬ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବାପାଇଁ ୨୦୬ କୋଟି ଟଙ୍କା ବ୍ୟୟରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବ। ଏହାକୁ ଏମଏସ କ୍ରିଷ୍ଣା କର୍ପୋରେସନ ପ୍ରା. ଲି. ଆସନ୍ତା ୨ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ରହିଛି।
ସେହିପରି କଟକ ଜିଲାର ବାଙ୍କି, ଡମପଡ଼ା ଓ ବାରଙ୍ଗ ବ୍ଲକ ଅଧୀନରେ ଥିବା ୩୨ଟି ପଞ୍ଚାୟତର ୧ଲକ୍ଷ ୯୪ହଜାର ୯୩୮ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ମୁମ୍ବଇସ୍ଥିତ ଏମଏସ୍ ବ୍ଲୁଷ୍ଟାର ଲି.କୁ ୧୮୬.୬୮କୋଟି ଟଙ୍କାରେ ପାନୀୟଜଳ ପ୍ରକଳ୍ପ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ କମ୍ପାନୀ ଆସନ୍ତା ୨ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବ। ଏଥିପାଇଁ ଜଳଜୀବନ ମିଶନ(ଜେଜେଏମ୍) ପାଣ୍ଠିରୁ ଅର୍ଥ ବିନିଯୋଗ ହେବ। ସମ୍ବଲପୁରର ଯୁଯୁମୁରା, ମାଣେଶ୍ବର, ନାକଟିଦେଉଳ ଓ ରେଢ଼ାଖୋଲ ବ୍ଲକରେ ୩୮୧ଟି ପଞ୍ଚାୟତରେ ଥିବା ୧ଲକ୍ଷ ୭୬ହଜାର ୬୪୯ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ୩୯୪.୭୬କୋଟି ଟଙ୍କ ବ୍ୟୟରେ ପାଇପ୍‌ ଯୋଗେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେବ। ଜେଜେଏମ ପାଣ୍ଠିରୁ ବ୍ୟୟ ହେବାକୁ ଥିବା ଉକ୍ତ ପ୍ରକଳ୍ପ ଆସନ୍ତା ୨ବର୍ଷ ମଧ୍ୟରେ ଶେଷ ହେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତୀୟ ପ୍ରାଦ୍ୟୋଗିକ ପ୍ରତିଷ୍ଠାନ(ଆଇଆଇଟି) ଲାଗି ଡେଲାଙ୍ଗ ତହସିଲ ଅନ୍ତର୍ଗତ ଗୋଡ଼ିପୁଟ ମାଟିଆପଡ଼ା ମୌଜାରେ ୭୮.୫୭ଏକର ଜମି ଯୋଗାଇ ଦିଆଯିବ। ଏଥିପାଇଁ ଜମି ଏକର ପିଛା ‘ଗ୍ରାଉଣ୍ଟ ରେଣ୍ଟ’ ବାବଦକୁ ୧୦୦ଟଙ୍କା ଏବଂ ସେସ୍ ବାବଦକୁ ଗ୍ରାଉଣ୍ଡ ରେଣ୍ଟର ୭୫ ପ୍ରତିଶତ ଦେୟରେ ସରକାରୀ ଜମି ହସ୍ତାନ୍ତର କରାଯିବ। ଏହାବାଦ୍ ରାଜ୍ୟ ସରକାର ସାର୍ବଜନୀନ ଉଦ୍ଦେଶ୍ୟରେ ଏକ ସରକାରୀ ସଂସ୍ଥା ସପକ୍ଷରେ ସରକାରୀ ଜମି ଅସ୍ଥାୟୀ ବଣ୍ଟନ ପାଇଁ ବାର୍ଷିକ ଦେୟ ଜମିର ବଜାର ମୂଲ୍ୟର ୩ପ୍ରତିଶତ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାବାଦ୍ ଭାରତ ସରକାରଙ୍କ ବୟନ ମନ୍ତ୍ରାଳୟର ପୂର୍ବ ପ୍ରସ୍ତାବକ୍ରମେ ‘ନିଫ୍ଟ’କୁ ୨ ଏକର ଜମି ପ୍ରଦାନ କରାଯିବ। ନିଫ୍ଟକୁ ଉକ୍ତ ଜମି ୪କୋଟି ୫୮ଲକ୍ଷ ୨୫ହଜାର ୩୫୩ ଟଙ୍କା ରେ ଦେବାପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ଗ୍ରହଣ କରିଥିବା ମୁଖ୍ୟସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed.