ସହଜ ହେବ ଶ୍ରୀମନ୍ଦିର ସମ୍ପତ୍ତି କିଣାବିକା ; ଅଧିକୃତ ପ୍ରଜାଙ୍କୁ ମିଳିବ ମାଲିକାନା ସ୍ବତ୍ବ

ଅଧିନିୟମ ସଂଶୋଧନ ଅଧ୍ୟାଦେଶ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର : ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନରେ ଥିବା ଜମିବାଡ଼ିର ମାଲିକାନା ସ୍ବତ୍ବ ପରିବର୍ତ୍ତନ ସହ ଏ ସଂକ୍ରାନ୍ତ ମାମଲା ଫଇସଲା ନେଇ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪କୁ ସଂଶୋଧନ କରିବାକୁ ସ୍ଥିର ହୋଇଛି। ଏ ସଂକ୍ରାନ୍ତ ଅଧ୍ୟାଦେଶ ଜାରି ପାଇଁ ଆସିଥିବା ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋହର ବାଜିଛି ।
କ୍ୟାବିନେଟର ଅନୁମୋଦନ ପାଇଥିବା ଏହି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଯେଉଁମାନଙ୍କର ସ୍ଥିତିବାନ ସମ୍ପତ୍ତିରେ ଜମିଦାର ସ୍ଥାନରେ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ରହିଛି ସେମାନେ ସେମାନଙ୍କ ପରିବାର ନାମରେ ସ୍ଥିତିବାନ ସମ୍ପତ୍ତି ପ୍ରାଥମିକତା ଭିତ୍ତିରେ ପାଇବେ। ଜମିଜମାର ବନ୍ଦୋବସ୍ତ ହୋଇ ନଥିଲେ ବନ୍ଦୋବସ୍ତ ବ୍ୟବସ୍ଥା କରାଯିବ। ଜମିର ପଟ୍ଟା ହେବା ପରେ ସେମାନେ ଏହା ବିକ୍ରି କରିପାରିବେ। ଋଣ ନେବା, ଆବାସ ଯୋଜନାରେ ଘର ପାଇବା ଓ ଜମି ବନ୍ଧକ ଦେବାରେ ପ୍ରତିବନ୍ଧକ ରହିବ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ୧୯୫୪ ସଂଶୋଧନ ହେବା ପରେ ନିୟମ ପ୍ରକାଶ ପାଇବ। କେଉଁ ଅଧିକାରୀଙ୍କୁ କେଉଁ ମାମଲା ବା ପ୍ରସଙ୍ଗର ସମାଧାନ ନେଇ ଦାୟିତ୍ୱ ଦିଆଯିବ ସେ ସମ୍ପର୍କରେ ସେମାନଙ୍କୁ କ୍ଷମତା ପ୍ରଦାନ କରାଯିବ। ସେମାନେ ସମସ୍ତ ବିଷୟର ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ଶ୍ରୀମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ପ୍ରଶାସକ, ସଂପୃକ୍ତ ଜିଲାର ଜିଲାପାଳଙ୍କ ଉପରେ
ଏହି ଦାୟିତ୍ୱ ନ୍ୟସ୍ତ କରାଯିବ।
୧୯୫୪ର ଆଇନ ସଂଶୋଧନ ପରେ ଯେଉଁମାନେ ଶ୍ରୀମନ୍ଦିର ଜମି ଅଧିକାର କରି ବସବାସ କରି ରହୁଥିଲେ ଏବଂ ସେମାନଙ୍କ ନାମରେ ପଟ୍ଟା କରାଯାଉ ବୋଲି ଚାହୁଁଥିଲେ ତାହା ସମ୍ଭବ ହୋଇପାରିବ। ପୂର୍ବ ନିୟମ ଅନୁସାରେ ଜମି ସମ୍ପୂର୍ଣ୍ଣ ଅଧିକାର କରିବା ସମ୍ଭବ ହୋଇପାରୁନଥିଲା। ସମସ୍ତ ପ୍ରସ୍ତାବ ସରକାର ଓ ଆଇନ ବିଭାଗକୁ ଆସୁଥିଲା। ଏହା ସରଳୀକରଣ କରାଯିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି, ପ୍ରଶାସକ, ଜିଲାପାଳ ଓ କ୍ଷମତାପ୍ରାପ୍ତ ଅଧିକାରୀମାନେ ଏ ସଂକ୍ରାନ୍ତ ନିଷ୍ପତ୍ତି ନେଇପାରିବେ। ସେମାନେ ସୁବିଧାରେ ଜମି ନିଜ ନାମରେ କରିପାରିବେ। ଜମି ବିକ୍ରି, ଲିଜ୍‌(ଦୀର୍ଘସୂତ୍ରରେ ଭଡ଼ା), ବନ୍ଧକ ଓ ହସ୍ତାନ୍ତର ହୋଇପାରିବ। ସରକାରଙ୍କ ପାଖରେ ହଜାର ହଜାର ପରିବାର ଆବେଦନ କରିଥିଲେ। ଏବେ ବିଭିନ୍ନସ୍ତରରେ ଥିବା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ସେମାନେ ଆବେଦନ କରିବେ।
କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର ଜମି ବିକ୍ରି ପାଇଁ ୨୦୦୩ରେ ସମାନ ନୀତି ପ୍ରଣୟନ କରାଯାଇଥିଲା। ଯେଉଁମାନେ ଶ୍ରୀ ଜଗନ୍ନାଥଙ୍କ ଜମିରେ ଘର କରି ରହୁଛନ୍ତି ସେମାନେ ଦେୟ ଦେଇ ଏହାକୁ ନିଜ ନାମରେ ପଞ୍ଜୀକରଣ କରିବା ବ୍ୟବସ୍ଥା କରାଯାଇଥିଲା। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହା ସମୟ ସାପେକ୍ଷ ଥିଲା। ସବୁ ଆବେଦନ ସରକାରଙ୍କ ପାଖକୁ ଆସୁଥିବା ବେଳେ ଅନୁମୋଦନ ପାଇଁ ୨/୪ ବର୍ଷ ଲାଗି ଯାଉଥିଲା। ପୁରୀ ସହର, ପୁରୀ ଓ ଖୋର୍ଦ୍ଧା ଜିଲାର ହଜାର ହଜାର ପରିବାର ଜମି ପଞ୍ଜୀକରଣ କରିପାରୁ ନ ଥିଲେ। ଏବେ ଆଇନ ସଂଶୋଧନ ବଳରେ ପ୍ରକ୍ରିୟା ବିକେନ୍ଦ୍ରୀକରଣ କରାଯିବ। ବିଭିନ୍ନ କ୍ଷମତାପ୍ରାପ୍ତ ଅଧିକାରୀ ସ୍ତରରେ ଏହି ଜମି ବିକ୍ରି ନେଇ ନିଷ୍ପତ୍ତି ନିଆଯାଇପାରିବ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଯେଉଁ ଜମିରେ ୪୦/୫୦ ବର୍ଷ କିମ୍ବା ଅଧିକ ଦିନ ଧରି ଲୋକମାନେ ବସବାସ କରୁଛନ୍ତି ସେମାନଙ୍କ ଜମି ସମସ୍ୟାର ସମାଧାନ ହୋଇପାରିବ। ଶ୍ରୀମନ୍ଦିର ପ୍ରଶାସନ ଏହି ଜମିରୁ କୌଣସି ଆୟ ପାଇପାରୁନଥିବା ବେଳେ ଏଣିକି ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି।

Comments are closed.