ବସ୍ତ୍ର ଓ ପରିଧାନ ରପ୍ତାନି ଉପରେ ଟିକସ ରିହାତି ଅବଧି ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ :ବସ୍ତ୍ର ଓ ପରିଧାନର ରପ୍ତାନି ଉପରେ ରାଜ୍ୟ ଓ କେନ୍ଦ୍ରୀୟ ଟିକସ ଏବଂ ଲେଭିରେ ରିହାତି (ଆରଓଏସସିଟିଏଲ) ଯୋଜନା ୨୦୨୦ ଏପ୍ରିଲ ପହିଳା ପରେ ମଧ୍ୟ ଜାରି ରହିବ। ରପ୍ତାନି ଉତ୍ପାଦ ଉପରେ ଟିକସ ଓ ଶୁଳ୍କ ଛାଡ଼ (ଆରଓଡିଟିଇପି) ଯୋଜନା ସହିତ ସମ୍ମିଶ୍ରଣ ପର୍ଯ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଆରଓଡିଟିଇପି ଯୋଜନା ସହିତ ଆରଓଏସସିଟିଏଲ ଯୋଜନା ନମିଶିବା ପର୍ଯ୍ୟନ୍ତ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଯୋଜନାର ମାର୍ଗଦର୍ଶିକା ଏବଂ ଦରରେ କୌଣସି ପରିବର୍ତନ ହେବ ନାହିଁ। ସମସ୍ତ ବସ୍ତ୍ର ଏବଂ ପରିଧାନ ରପ୍ତାନି କ୍ଷେତ୍ରରେ ଆରଓଏସସିଟିଏଲ ଯୋଜନା ୧ଏପ୍ରିଲ, ୨୦୨୦ ପରେ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟ ନିଷ୍ପତି ନେଇଛନ୍ତି।
୨୦୨୦ ମାର୍ଚ୍ଚ ୩୧ ତାରିଖ ପରେ ଏହି ଯୋଜନା ଜାରି ରହିବା ଫଳରେ ବୟନ ଶିଳ୍ପ କ୍ଷେତ୍ର ପାଇଁ ବିଭିନ୍ନ ଟିକସ/ଲେଭିରେ ରିହାତି ମିଳିପାରିବ। ଫଳରେ ଏହି କ୍ଷେତ୍ର ଅଧିକ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବ।

Comments are closed.