ନାଗରିକତ୍ଵ ଆଇନ କାର୍ଯ୍ୟକାରିତା ନେଇ ତେଜୁଛି ବିବାଦ-ବିତର୍କ

ଆସାମରୁ ପଶ୍ଚିମବଙ୍ଗକୁ ବ୍ୟାପିଲା ହିଂସା

ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧକରି ଭାରତର ବିଭିନ୍ନ ରାଜ୍ୟରେ ବିରୋଧ, ବିକ୍ଷୋଭ, ଆନ୍ଦୋଳନ, ହିଂସାକାଣ୍ଡ ଓ ପୋଡ଼ାଜଳା କ୍ରମାଗତ ତୃତୀୟ ଦିନରେ ପହଞ୍ଚିଛି। ଦୁଇଦିନ ଧରି ଆସାମରେ ବ୍ୟାପକ ହିଂସା ଓ ପୋଡାଜଳା ପରେ ଶୁକ୍ରବାର କିଛିଟା ପ୍ରଶମିତ ହୋଇଥିଲା। ଫଳରେ କିଛି ସମୟ ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ଏହି ପ୍ରତିବାଦର ତାତି ଆଜି ଆସାମ ଡେଇଁ ପଡେଶୀ ପଶ୍ଚିମବଙ୍ଗକୁ ପ୍ରବେଶ କରିଛି। ପ୍ରଥମଥର ଲାଗି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ବ୍ୟାପକ ବିରୋଧ କରାଯାଇଛି। ବିକ୍ଷୋଭକାରୀମାନେ ମୁର୍ଶିଦାବାଦର ବେଲଡାଙ୍ଗା ରେଳ ଷ୍ଟେସନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଷ୍ଟେସନ୍‌ରେ କାର୍ଯ୍ୟରତ ରେଲୱେ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀମାନଙ୍କୁ ଆକ୍ରମଣ କରିଛନ୍ତି। ଆରପିଏଫ କିଓସ୍କୋ ଗୁଡିକୁ ପୋଡ଼ିଦେବା ସହିତ ବେଲଡାଙ୍ଗା ଥାନାରେ ପଶି ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏପରିକି ନିକଟସ୍ଥ ରଘୁନାଥଗଜ ଥାନାର ଗାଡି ଗୁଡିକୁ ମଧ୍ୟ ଜାଳିପୋଡି ଦେଇଛନ୍ତି। ପଶ୍ଚିମବଙ୍ଗର ମୁସଲମାନ ଜନସଂଖ୍ୟାବହୁଳ ଗ୍ରାମୀଣ ହାୱଡା, ମୁର୍ଶିଦାବାଦ, ବୀରଭୂମ ସମେତ ବର୍ଦ୍ଧମାନ ଓ ଉତ୍ତରବଙ୍ଗର କେତେକ ସ୍ଥାନରେ ପ୍ରବଳ ବିରୋଧ ଓ ବିକ୍ଷୋଭ କରାଯାଇ ହିଂସାକାଣ୍ଡ ଦେଖାଯାଇଛି। ଲୋକଙ୍କୁ ଶାନ୍ତ ରହିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି।

ରେଳ ଚଳାଚଳ ବାଧାପ୍ରାପ୍ତ

ବିକ୍ଷୋଭ ଯୋଗୁଁ ଆସାମ ଓ ପଶ୍ଚିମବଙ୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ବିଭାଗ ପକ୍ଷରୁ ଏକାଧିକ ଟ୍ରେନ୍‌କୁ ବାତିଲ କରାଯିବା ସହ କେତେକର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ମମତା ଏହି ବିଲ୍‌କୁ ଆରମ୍ଭରୁ ବିରୋଧ କରୁଛନ୍ତି। କେନ୍ଦ୍ର ସରକାରଙ୍କ ବିରୋଧରେ ବାରମ୍ବାର ରଣହୁଙ୍କାର ଦେଇଥିବାବେଳେ ଏବେ ପାଲଟା ଏହି ପ୍ରତିବାଦର ନିଆଁ ଏବେ ତାଙ୍କ ରାଜ୍ୟକୁ ବ୍ୟାପିଛି। ଏପରିକି ନାଗରିକତ୍ବ ତାତିର ନିଆଁ ରାଜଧାନୀ ଦିଲ୍ଲୀକୁ ମଧ୍ୟ ବ୍ୟାପିଛି। ଜାମିଆ ଟିଚର୍ସ ଆସୋସିଏସନ୍‌ (ଜେଟିଏ) ନେତୃତ୍ବରେ ଜାମିଆ ମିଲିଆ ଇସଲାମିଆର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦିଲ୍ଲୀ ସଡ଼କରେ ଏକାଠି ହୋଇ ଆଇନର ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସକୁ ପାଣିମାଡ଼ ଓ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ପଡିଛି। ବିଶେଷକରି ଆସାମରେ ଏହି ବିକ୍ଷୋଭ ଓ ହିଂସାକାଣ୍ଡ ବ୍ୟାପକ ହୋଇଥିବାରୁ ଏଠାରେ ୨୬ କଲମ୍‌ ସେନା ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ବିଶେଷକରି ଗୁଆହାଟୀ, ବିଦ୍ରୁଗଡ଼, ତିନ୍‌ସୁକିଆ ଆଦି ୧୦ଟି ଜିଲାରେ ଏହା ଅଧିକ ବ୍ୟାପକ ରହିଛି। ପୁଲିସ ଗୁଳିରେ ଆସାମରେ ୨ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ମଧ୍ୟ ଘଟିସାରିଛି।

ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ୫ ରାଜ୍ୟ

ନୂଆ ନାଗରିକତ୍ବ ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ତିନି ରାଜ୍ୟ ଘୋଷଣା କରିବା ପରେ ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି। ପ୍ରଥମେ କେରଳ ଓ ପରେ ପଞ୍ଜାବ ଏବଂ ପଶ୍ଚିମବଙ୍ଗ ଏହି ବିବାଦୀୟ ଆଇନକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାର ମଧ୍ୟ ସମାନ ପଦକ୍ଷେପ ନେବା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଆଇନ ଦେଶର ଧର୍ମନିରପେକ୍ଷତା ପ୍ରତି କୁଠାରଘାତ କରୁଥିବାର ଏହା ବିରୋଧରେ ‘ଆଇନ ଅମାନ୍ୟ’ ପଦକ୍ଷେପ ନିଆଯିବ ବୋଲି ସମ୍ପୃକ୍ତ ରାଜ୍ୟ ସରକାରମାନେ କହିଛନ୍ତି। ଆଇନକୁ ବିରୋଧ କରୁଥିବା ରାଜ୍ୟଙ୍କ ସଂଖ୍ୟା ବୃଦ୍ଧି ପାଊଥିଲାବେଳେ ସେମାନଙ୍କର ଆଇନକୁ ଅମାନ୍ୟ କରିବା ଅଧିକାର ବା କ୍ଷମତା ନାହିଁ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି; ଫଳରେ ଏହି ପ୍ରସଙ୍ଗକୁ ନେଇ ସାମ୍ବିଧାନିକ ବିତର୍କ ଆରମ୍ଭ ହୋଇଛି। ନାଗରିକତ୍ବ ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ କ୍ଷମତା ଓ କେନ୍ଦ୍ରୀୟ ତାଲିକାଭୁକ୍ତ ଥିବାରୁ ରାଜ୍ୟଗୁଡ଼ିକର ଏହି ଆଇନ ମାନିବା ନ ମାନିବା ନେଇ କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଓଡ଼ିଶାରୁ ବାତିଲ ହେଲା ଟ୍ରେନ୍
ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଆସାମ ଓ ପଶ୍ଚିମ ବଙ୍ଗରେ ତୀବ୍ର ପ୍ରତିବାଦ ଜାରି ରହିଛି। ପଶ୍ଚିମ ବଙ୍ଗରେ ଆନ୍ଦୋଳନକାରୀ ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ ଉପରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ରେଳରୋକ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ପୂର୍ବ ଭାରତକୁ ଯାଉଥିବା କିଛି ଟ୍ରେନ୍‌ ବାତିଲ କରାଯାଇ ଥିବା ବେଳେ ଆଉ କିଛି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆଜି ସେଠାରେ ବିକ୍ଷୋଭ କାରଣରୁ ଏକାଧିକ ଟ୍ରେନ୍ ଓଡ଼ିଶା ଅଭିମୁଖେ ବହୁ ବିଳମ୍ବରେ ଚାଲୁଛି।

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୨୫୦୩ ବେଙ୍ଗାଲୁରୁ କେଣ୍ଟ-ଅଗରତାଲା ହମସଫର ଏକ୍ସପ୍ରେସକୁ ୧୩ ତାରିଖ ଦିନ ବାତିଲ କରାଯାଇଛି। ସେହିପରି ୧୪ ତାରିଖ ଦିନ ୧୫୯୦୬ ଦିବ୍ରୁଗଡ଼-କନ୍ୟାକୁମାରୀ ଏକ୍ସପ୍ରେସ ଏବଂ ୧୯ ତାରିଖ ଦିନ ୧୫୯୦୫ କନ୍ୟାକୁମାରୀ-ଦିବ୍ରୁଗଡ଼ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ସେହିପରି ୧୫୯୩୦ ଦିବ୍ରୁଗଡ଼-ତାମ୍ବରମ୍ ୧୬ ତାରିଖ ଦିନ ଦିବ୍ରୁଗଡ଼ ବଦଳରେ ଗୌହାଟୀରୁ ଯାତ୍ରା ଆରମ୍ଭ କରିବ। ଅପରପକ୍ଷେ ଆଜି ହାୱଡ଼ା-ଖଡ଼ଗପୁର ସେକ୍ସନ୍ ମଧ୍ୟରେ ପ୍ରବଳ ବିରୋଧ ପ୍ରଦର୍ଶନ ହେଉଥିବାରୁ ପୁରୀ-ହାୱଡ଼ା ଏକ୍ସପ୍ରେସ୍, ପୁରୀ-ସନ୍ତ୍ରାଗାଛି ସ୍ବତନ୍ତ୍ର ଟ୍ରେନ୍ ଓ ପୁରୀ-ହାୱଡ଼ା ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ପୁରୀରୁ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ୧୫ ମିନିଟ୍ ବିଳମ୍ବରେ ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Comments are closed.