ସଂଘ ଓ ସମ୍ବିଧାନ ; କେରଳରେ ନୂଆ ଅଧ୍ୟାୟ ସୃଷ୍ଟି

ଭାରତୀୟ ସମ୍ବିଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ବିଷୟଗୁଡ଼ିକୁ ତିନିଟି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ସେଗୁଡ଼ିକ ହେଲା କେନ୍ଦ୍ରତାଲିକା, ରାଜ୍ୟ ତାଲିକା ଓ ମିଳିତ ତାଲିକା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସ୍ବରାଷ୍ଟ୍ର, ମୁଦ୍ରା, ଅର୍ଥ, ପ୍ରତିରକ୍ଷା, ରେଳବାଇ, ବୈଦେଶିକ ବ୍ୟାପାର, ଆଇନ ଓ ନ୍ୟାୟ ଭଳି ଦେଶର ପ୍ରାୟ ୧୦୦ ଗୁରୁତ୍ବପୂର୍ଣ୍ଣ ବିଷୟ କେନ୍ଦ୍ରୀୟ ତାଲିକାର ଅନ୍ତର୍ଭୁକ୍ତ ଯାହା ଉପରେ ଆଇନ ପ୍ରଣୟନ ଓ ସଂଶୋଧନର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ରହିଛି। ନାଗରିକତ୍ବ ଓ ତତ୍‌ସଂଲଗ୍ନ ବିଷୟବସ୍ତୁ ଉପରେ ଆଇନ ପ୍ରଣୟନ ଓ ସେସବୁର ସଂଶୋଧନ କେନ୍ଦ୍ରତାଲିକାର ଅନ୍ତର୍ଭୁକ୍ତ। ଏ ନେଇ ଆଇନପ୍ରଣୟନ ଓ ସଂଶୋଧନ କରିବାକୁ କେବଳ କେନ୍ଦ୍ର ସରକାର ଅଧିକୃତ। ମିଳିତ ତାଲିକାରେ ଥିବା ୫୨ଟି ବିଷୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନପ୍ରଣୟନ କରିବାର ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଆବଶ୍ୟକସ୍ଥଳେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ ଓ ରାଜ୍ୟସରକାର ଏ ନେଇ କିଛି ବିଧି ପ୍ରଣୟନ କରିଥିଲେ ତାହା ଅଗ୍ରାହ୍ୟ ହୋଇଯିବ। କେବଳ ରାଜ୍ୟ ତାଲିକାରେ ଥିବା ୬୧ଟି ବିଷୟ ଉପରେ ପ୍ରାଦେଶିକ ସରକାରମାନେ ଆଇନପ୍ରଣୟନ କରିବାକୁ ଅଧିକୃତ। ଏଇ ତିନିପ୍ରକାର ତାଲିକା ସମ୍ବିଧାନର ସପ୍ତଦଶ ଅନୁଚ୍ଛେଦରେ ସ୍ଥାନିତ। ଭାରତର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବାରୁ ସମ୍ବିଧାନ ପ୍ରଣେତାମାନେ ଏଭଳି ତାଲିକା ପ୍ରସ୍ତୁତ କରି ତାହାର ଅଧିକାର କ୍ଷେତ୍ର ସ୍ପଷ୍ଟ କରି ଦେଇଛନ୍ତି ଏବଂ କେନ୍ଦ୍ରକୁ ଗୁରୁତ୍ବପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି।
ଏବେ କେନ୍ଦ୍ର ତାଲିକାର ବିଷୟ ଅନ୍ତର୍ଭୁକ୍ତ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ତୀବ୍ର ବିବାଦ ଚାଲିଛି। ଏଥିରେ ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନଥିବାରୁ ଏହା ସମ୍ବିଧାନର ବିରୋଧାଚରଣ କରୁଛି ବୋଲି କହି କେତେକ ମହଲ ଆପତ୍ତି ଉଠାଇବାସହ ବିରୋଧ ଜାରି ରଖିଛନ୍ତି। ସେମାନଙ୍କର ଯୁକ୍ତିକୁ ଏଇଥି ପାଇଁ ସମୂଳେ ଖଣ୍ଡନ କରିହେବ ନାହିଁ ଯେ ଭାରତୀୟ ସମ୍ବିଧାନ ଧର୍ମନିରପେକ୍ଷ ହୋଇଥିବାରୁ କୌଣସି ଆଇନ ଧର୍ମ ଭିତ୍ତିରେ କରାଯିବା ସମ୍ବିଧାନ ବିରୋଧୀ। ସରକାର ଏହି ଆଇନ ସଂଶୋଧନ କରିବାବେଳେ ନିର୍ଦିଷ୍ଟ ଧର୍ମ ଉଲ୍ଲେଖ ନ’କରି କେବଳ ଯଦି ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ଧାର୍ମିକ ନିର୍ଯାତନା କାରଣରୁ ଭାରତକୁ ପଳାଇ ଆସି ଆଶ୍ରୟ ଲୋଡ଼ିଥିବା ଲୋକଙ୍କୁ ନାଗରିକତ୍ବ ପ୍ରଦାନ କଥା ଚିଠା ପ୍ରସ୍ତାବରେ ଉଲ୍ଲେଖ କରିଥାଆ‌େ‌ନ୍ତ ତେବେ ଏ ବିବାଦ ହୁଏତ ମୁଣ୍ଡ ଟେକି ନଥାନ୍ତା। ସରକାରଙ୍କ ଏ ନେଇ ଯୁକ୍ତି ଓ ସ୍ପଷ୍ଟୀକରଣ ଯାହା ହେଉନା କାହିଁକି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଧର୍ମଭିତ୍ତିକ ବ୍ୟବସ୍ଥାକୁ ନେଇ ଆପତ୍ତି ଉଠିବା ଅସ୍ବାଭାବିକ ନୁହେଁ। ତେବେ ସେ ଯା’ହେଉ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବାବେଳେ ବିରୋଧୀ ଏହାକୁ କେନ୍ଦ୍ରକରି ଆନ୍ଦୋଳନ ଜାରି ରଖିଛନ୍ତି। ଗଣତନ୍ତ୍ରରେ ଆନ୍ଦୋଳନ ବେଆଇନ ନୁହେଁ; କିନ୍ତୁ ଏହି ଆଳରେ ହିଂସାକାଣ୍ଡ ଓ ଜାତୀୟ ସଂପତ୍ତି ନଷ୍ଟ ଆଇନ ବିରୋଧୀ। ନାଗରିକତ୍ବ ସଂଶୋଧନ ଆଇନରେ ମୁସଲମାନମାନେ ସ୍ଥାନ ପାଇନଥିବାରୁ ଏହା ବିରୋଧରେ ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ରାଜନୀତି ଓ ଭୋଟବ୍ୟାଙ୍କ ପଲିଟିକ୍ସର ପ୍ରଭାବ ଅଧିକ ପରିଲକ୍ଷିତ ହେଉଛି। ମୁସଲମାନମାନଙ୍କୁ ସନ୍ତୁଷ୍ଟ କରିବାକୁ କିଛି ଦଳ ଏଥିରେ ସାମିଲ ହୋଇଥିବାବେଳେ ଅପରପକ୍ଷରେ ହିନ୍ଦୁଭୋଟ ବ୍ୟାଙ୍କ୍‌କୁ ସୁଦୃଢ଼ କରିବାକୁ ଅନ୍ୟ ପକ୍ଷ ମଧ୍ୟ ରୀତିମତ ଉଦ୍ୟମ ଜାରି ରଖିଛନ୍ତି। ଏଇ ଲଢ଼େଇ ଭିତରେ ଅନେକ ଗୁଜବ ଓ ମନଗଢ଼ା କାହାଣୀ ମଧ୍ୟ କାୟାବିସ୍ତାର କରି ଚାଲିଛି। ତେବେ ସତ କଥାଟି ହେଲା ନାଗରିକତ୍ବ ସଂଶୋଧନ ଆଇନ ବଳରେ ଭାରତର କୌଣସି ସ୍ଥାୟୀ ବାସିନ୍ଦା ମୁସଲମାନମାନଙ୍କର ସାମାନ୍ୟତମ କ୍ଷତି ହେବନାହିଁ।
ମୁସଲମାନବହୁଳ ପଶ୍ଚିମବଙ୍ଗ ଓ କେରଳରେ ସେଠା ସରକାର ନିଜର ମୁସଲ୍‌ମାନ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ଏହାକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସେଇଭଳି କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଏଇ ଆଇନକୁ ହାଇକମାଣ୍ଡଙ୍କ ନିର୍ଦେଶମତେ ବିରୋଧ କରୁଛନ୍ତି। କେରଳର ବାମପନ୍ଥୀ ସରକାର ପାଦେ ଆଗେଇଯାଇ ନାଗରିକତ୍ବ ସଂଶୋଧନ ଆଇନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଏହା ଯେ ସେଠା ସରକାରଙ୍କ ଏକ ବାଧ୍ୟବାଧକତା, ଏଥିରେ ଦ୍ବିମତ ହେବାର ନାହିଁ; କିନ୍ତୁ ପାର୍ଲାମେଣ୍ଟ ଦ୍ବାରା ଗୃହୀତ ଓ ରାଷ୍ଟ୍ରପତିଙ୍କ ଦ୍ବାରା ଅନୁମୋଦିତ କେନ୍ଦ୍ର ତାଲିକା ବିଷୟକ ଏକ ଆଇନକୁ ବିରୋଧ କରି ବିଧାନସଭାରେ ପ୍ରସ୍ତାବ ଗ୍ରହଣ କରିବା କେତେଦୂର ଯୁକ୍ତିଯୁକ୍ତ ଓ ବୈଧ ତାହା ଏବେ ପ୍ରସଙ୍ଗ ପାଲଟିଛି। ଆଇନ ଓ ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଦେଖିଲେ କେନ୍ଦ୍ରୀୟ ଆଇନକୁ ବିରୋଧ କରିବାର ଅଧିକାର କୌଣସି ରାଜ୍ୟସରକାରଙ୍କର ନାହିଁ। ଏକଥା ଯେ କେରଳ ସରକାରଙ୍କୁ ଜଣା ନଥିବ, ସେକଥା ନୁହେଁ। ତଥାପି କେଉଁ ଆଧାରରେ କେରଳ ସରକାର ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସଂଘୀୟ ବ୍ୟବସ୍ଥାରେ ସର୍ବଶକ୍ତିମାନ କେନ୍ଦ୍ର ବିରୋଧରେ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେବା ନିଶ୍ଚିତ ଏକ ସାମ୍ବିଧାନିକ ସଂକଟ ସୃଷ୍ଟି କରିବ। କେରଳ ସରକାର ସଂଘୀୟ କ୍ଷମତା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ପରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ନା, ନିଜର ଅନୁଗତ ଭୋଟରଙ୍କୁ ଖୁସି କରିବାକୁ ଏହା କରିଛନ୍ତି, ତାହା କହିବା ମୁସ୍କିଲ। ଆମ ବିଚାରରେ ଏହା ଏକ ରାଜନୈତିକ ଆତ୍ମରକ୍ଷାମୂଳକ କୌଶଳ ଯାହା କେବଳ ଲୋକଦେଖାଣିଆ ଓ ପ୍ରତୀକାତ୍ମକ। ତେବେ ଏହି କସରତର ଏକ ନୂଆ ଦିଗ ହେଲା କେନ୍ଦ୍ରକୁ ମଧ୍ୟ ରାଜ୍ୟ ଗଣତାନ୍ତ୍ରିକ ସଂଜ୍ଞା ଓ ଆଧାର ଭିତ୍ତିରେ ନା କହିବାକୁ ମଧ୍ୟ ସାହସ ଜୁଟାଇଲେଣି।
ବିଭିନ୍ନ ରାଜ୍ୟ ଏଭଳି ପଦକ୍ଷେପମାନ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗ୍ରହଣ କଲେ ତାହା ସଂଘୀୟ ବ୍ୟବସ୍ଥାକୁ ବିପନ୍ନ କରିବ। ଭାରତରେ ଗଣତନ୍ତ୍ର ଯେତେ ପାକଳ ହେଉଛି ନୂଆନୂଆ ଘଟଣାମାନ ଘଟୁଛି। କେରଳ ନିଷ୍ପତ୍ତି ସେଥିମଧ୍ୟରୁ ଅନ୍ୟତମ। ଆମ ତଥାକଥିତ ପ୍ରବୃଦ୍ଧ ଗଣତନ୍ତ୍ରର ଗତି କୁଆଡ଼େ ଏବେ ତାହା ଦେଖିବାକୁ ବାକି ରହିଲା।

Comments
Loading...