ସିଏଏ: ନୈତିକ ଓ ସାମ୍ବିଧାନିକ ପ୍ରତିଫଳନ

ଉତ୍ତର ଦିଲ୍ଲୀ ଯମୁନା ନଦୀ କୂଳରେ ମଜନୁକା ତିଲାର ଏକ ଶରଣାର୍ଥୀ ଶିବିରରେ ଜନ୍ମ ନିଏ ଏକ କୁନିଝିଅ ‘ନାଗରିକତା’। ପାକିସ୍ତାନରେ ଉତ୍ପୀଡ଼ନ ସହ୍ୟ କରି ନ ପାରି ତା’ ବାପା-ମାଆ ଆସି ପହଂଚିଥିଲେ ସୀମାପାର ହୋଇ ଆମ ଦେଶରେ। ନାଗରିକତା ବିଲ୍ ଆଇନରେ ପରିଣତ ହେବା ପରେ ସମ୍ମାନର ସହିତ ବଂଚିବାର ଆଶା ନେଇ ସେମାନେ ଝିଅର ନାମକରଣ ଏପରି କରିଥିଲେ। ତାଙ୍କ ଦେଶରେ ଦୀର୍ଘଦିନ ଧରି ନାଗରିକତ୍ୱରୁ ବଂଚିତ ଥିବା ଏହି ଦମ୍ପତିଙ୍କ ମନରେ ନାଗରିକତା ବିଲ୍ ଆଇନରେ ପରିଣତ ହେବା ପରେ ଆଶାର ସଂଚାର ହୋଇଛି।
ନାଗରିକତା ସଂଶୋଧନ ଆଇନ ପାରିତ ହେବା ପରେ ଗୁଜବକୁ କେନ୍ଦ୍ରକରି ଉଠିଥିବା ବିରୋଧାଭାସର ଅନ୍ତରାଳରେ ରହିଯାଇଛି କେତେକ ଅସମାହିତ ପ୍ରଶ୍ନ। ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି – କେତେକ ଦେଶରେ ଧର୍ମ ନାମରେ ନିର୍ଯାତନା, ବାସ୍ତବତା ଉପରେ ପର୍ଯ୍ୟବସିତ ନା ନୁହେଁ ? ଦ୍ୱିତୀୟ – ଏହିଭଳି ନିର୍ଯାତନାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ କ୍ଲେଶକୁ ଭାରତ ପରି ଏକ ସଭ୍ୟତାସମ୍ପନ୍ନ ରାଷ୍ଟ୍ର ଦୂର କରିପାରିବ କି ନାହିଁ ? ଶେଷରେ ନାଗରିକତା ସଂଶୋଧନ ଆଇନ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲ୍ଲଙ୍ଘନ କରୁନାହିଁ ତ ? ଯଦି ଏହିସବୁ ତଥ୍ୟ ସତ ନୁହେଁ, ତେବେ ଲୋକମାନଙ୍କ ମଧ୍ୟରେ କରାଯାଉଥିବା ପ୍ରଚାର ନିଶ୍ଚିତଭାବେ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ।
ଯେତେବେଳେ ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିଲା, ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ବିଭାଗ ‘ପାକିସ୍ତାନକୁ ଧାର୍ମିକ ସ୍ୱାଧୀନତାର ଉଲ୍ଲଙ୍ଘନକାରୀ’ ବୋଲି ଅଭିହିତ କରିଥିଲା। ନାଗରିକତା ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ ତଥ୍ୟକୁ ଭିତ୍ତିକରି ଜାନୁଆରୀ ୨୦୧୯ରେ ଉଭୟ ସଦନରେ ସେମାନଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ନିକଟରେ ୟୁରୋପୀୟ ସଂସଦ ଦ୍ୱାରା ମଧ୍ୟ ପାକିସ୍ତାନରେ ନିର୍ଯାତନାର ଶିକାର ହେଉଥିବା ସଂଖ୍ୟାଲଘୁ ଏବଂ ମହିଳାମାନଙ୍କ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି ଅନେକ ହିନ୍ଦୁ ସେ ଦୃଷ୍ଟିରୁ ଭାରତରେ ରାଜନୀତିକ ଆଶ୍ରୟ ଲୋଡ଼ିଛନ୍ତି। ଏକଥା କହିବା ବାହୁଲ୍ୟ ଯେ ନାଗରିକତା ସଂଶୋଧନ ଆଇନ ଅଧୀନରେ ଆସୁଥିବା ତିନୋଟିଯାକ ରାଷ୍ଟ୍ର ଧର୍ମ ଭିତ୍ତିରେ ଗଠିତ।
ଏବେ ଦ୍ୱିତୀୟ ପ୍ରଶ୍ନକୁ ଆସିବା। ଯଦି ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ କେହି ବ୍ୟକ୍ତି ଆଶ୍ରୟ ଲୋଡ଼େ ତେବେ ସେ କ୍ଷେତ୍ରରେ ଭାରତ ନିକଟରେ କ’ଣ ବିକଳ୍ପ ରହିଛି ? ଏ ନେଇ ୧୯୫୦ ମସିହାରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଇଥିବା ମନ୍ତବ୍ୟ ବେଶ୍ ପ୍ରଣିଧାନଯୋଗ୍ୟ। ହବସ୍‌ଙ୍କ ଯୁକ୍ତିକୁ ତର୍ଜମା କରି ସେ କହିଥିଲେ, ‘ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଜୀବନ କଦର୍ଯ୍ୟ, ଭୟଙ୍କର ଏବଂ ନିର୍ଦୟ।’ ଭାରତ ହେଉଛି ଶିଖ୍, ଜୈନ ଓ ବୌଦ୍ଧ ଭଳି ମହାନ ଧର୍ମର ଜନ୍ମଦାତା। ଭାରତୀୟ ସଂସ୍କୃତି ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ପରମ୍ପରାକୁ ନେଇ ଗଠିତ। ନାଗରିକତା ସଂଶୋଧନ ଆଇନ ଏହି ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ।
ଶେଷରେ, ସ୍ଥାୟୀ ନାଗରିକତା ଆଇନ ତିଆରି କରିବା ଦାୟିତ୍ୱ ସଂସଦ ଉପରେ ଛାଡ଼ି ଦିଆଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ନାଗରିକତା ସଂଶୋଧନ ଆଇନ (ସିଏଏ) ଭାରତୀୟ ସମ୍ବିଧାନର ଧାରା ୧୪ରେ ଥିବା ବ୍ୟବସ୍ଥା ଅନୁଯାୟୀ, ସମାନତା ଅଧିକାର ପୂରଣ କରୁଛି ନା ନାହିଁ? ସଂକ୍ଷେପରେ କହିବାକୁ ଗଲେ, ଭାରତର ଭୂଭାଗ ମଧ୍ୟରେ ରାଷ୍ଟ୍ର କୌଣସି ବ୍ୟକ୍ତିଙ୍କୁ ଆଇନ ଆଗରେ ସମାନତା କିମ୍ବା ଆଇନର ସମାନ ସଂରକ୍ଷଣରୁ ବଂଚିତ କରିପାରିବ ନାହିଁ। ଏଥି ସହିତ ସ୍ୱତନ୍ତ୍ର ପୃଥକୀକରଣ ମାଧ୍ୟମରେ ଧାରା ୧୪ରେ କୌଣସି ପ୍ରକାରର ଅବ-ମୂଲ୍ୟାୟନ “ତର୍କ ସଂଗତ ଓ ସୁସ୍ପଷ୍ଟ ବିଭେଦୀକରଣ”ର ଦ୍ୱୈତ ଉଦ୍ଦେଶ୍ୟକୁ ପୂରଣ କରୁଥିବା ଏବଂ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହ ସଂଶ୍ଳିଷ୍ଟ ହେବା ଆବଶ୍ୟକ। ଅତୀତରେ ବିଭିନ୍ନ ନ୍ୟାୟିକ ରାୟ ମଧ୍ୟ ଏହାକୁ ସମର୍ଥନ କରିଛି।
ସିଏଏ ବା ନାଗରିକତା ସଂଶୋଧନ ଆଇନର ଲକ୍ଷ୍ୟ ଓ ମୌଳିକତା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଛନ୍ତି। ଆମର ସାତଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟରୁ ସିଏଏ ଲାଗୁ ହୋଇଥିବା ତିନୋଟି ରାଷ୍ଟ୍ରର ସମ୍ବିଧାନରେ ‘ରାଷ୍ଟ୍ର ଧର୍ମ’ ଉପରେ ଅବତାରଣା କରାଯାଇଛି। ସେ ଦୃଷ୍ଟିରୁ ଆମର ଦ୍ୱି-ପାକ୍ଷିକ ସମ୍ପର୍କରେ କୌଣସି ବାଛବିଚାର କରାଯାଇନାହିଁ। ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡ଼େ ଯେ ଭାରତ ଏବଂ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ମଧ୍ୟରେ ଆଗରୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ଆସିବା ଥିଲା। ଏପରିକି ଯାତ୍ରା ଅବଧି ସରିଯିବା କିମ୍ବା ଅସମ୍ପୂର୍ଣ୍ଣ ଦସ୍ତାବିଜ ଥାଇ ମଧ୍ୟ ଧାର୍ମିକ ଉତ୍ପୀଡ଼ନରୁ ରକ୍ଷା ପାଇବା ପାଇଁ ସେ ଦେଶରୁ ଲୋକମାନେ ଆମ ଦେଶକୁ ଆସି ଆଶ୍ରୟ ଲୋଡ଼ିଛନ୍ତି। ମୋଦୀ ସରକାର ମଧ୍ୟ ପାସ୍‌ପୋର୍ଟ ଆଇନ-୧୯୨୦ ଓ ବିଦେଶୀ ଆଇନ-୧୯୪୬ର ଉଲ୍ଲଙ୍ଘନ କରି ସେସବୁ ଦେଶରୁ ଆସିଥିବା ନାଗରିକମାନଙ୍କ ପ୍ରତି କୌଣସି ଦଣ୍ଡବିଧାନ କରିନାହାନ୍ତି ଏବଂ ସେମାନଙ୍କୁ ଦୀର୍ଘସୂତ୍ରୀ ଭିସା ମଧ୍ୟ ପ୍ରଦାନ କରିଛନ୍ତି। ସିଏଏ ବଳରେ କେବଳ ନିର୍ଯାତିତ ସଂଖ୍ୟାଲଘୁମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।
ନାଗରିକ ସଂଶୋଧନ ଆଇନ ସମ୍ବିଧାନର ୨୫ ଧାରାକୁ ଉଲ୍ଲଙ୍ଘନ କରୁଛି କି ନାହିଁ ସେଥିନେଇ ମଧ୍ୟ ତର୍କବିତର୍କ ଚାଲିଛି। ସ୍ୱାଧୀନ ଭାବେ ଧର୍ମର ପ୍ରଚାର ଓ ପାଳନ ନେଇ ଧାରା ୨୫ ସମସ୍ତଙ୍କୁ ଅଧିକାର ଦେଇଛି। ସେ ଦୃଷ୍ଟିରୁ ସିଏଏ ଏହାର କୌଣସି ଉଲ୍ଲଙ୍ଘନ କରୁନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟଭାବେ କହିଛନ୍ତି ଯେ ଏହା ସଂଖ୍ୟାଲଘୁମାନଙ୍କ ଅଧିକାର ଉଲ୍ଲଙ୍ଘନ କରୁନାହିଁ ବା ନାଗରିକତା ସଂଶୋଧନ ବିଲ୍ ପାରିତ ହେବା ଦ୍ୱାରା ଦେଶର ଧର୍ମନିରପେକ୍ଷତା ଓ ପରମ୍ପରା ପ୍ରତି କୌଣସି ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉନାହିଁ।
ଯୁଗଯୁଗ ଧରି ଉତ୍ପୀଡ଼ନ ସହ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସଶକ୍ତ କରିବା ପାଇଁ ଏହା ହେଉଛି ଏକ ଐତିହାସିକ ପଦକ୍ଷେପ। ସ୍ୱଚ୍ଛନ୍ଦରେ ବଢ଼ିଥିବା କେତେକ ନେତା, ଯେଉଁମାନେ ରାସ୍ତାଘାଟରେ ଏହି ଘଟଣାକୁ ନେଇ ହିଂସା ଉଦ୍ରେକ କରୁଛନ୍ତି ସେମାନଙ୍କୁ ଶାଳୀନତା ରକ୍ଷା କରିବା ପାଇଁ ମୁଁ ନିବେଦନ କରୁଛି। ସେ ଦୃଷ୍ଟିରୁ ୧୮୯୩ ମସିହାର ପ୍ରସିଦ୍ଧ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଭାଷଣ ବେଶ୍ ସ୍ମରଣୀୟ। ସେ କହିଥିଲେ- “ପୃଥିବୀର ପ୍ରତ୍ୟେକ ଦେଶ ଓ ଧର୍ମରୁ ଉତ୍ପୀଡ଼ନ ସହ୍ୟ କରି ଓ ଶରଣାର୍ଥୀ ହୋଇ ଆସିଥିବା ଲୋକମାନଙ୍କୁ ପ୍ରଶ୍ରୟ ଦେଇଥିବା ଏକ ମହାନ ଦେଶରୁ ଆସିଥିବାରୁ ମୁଁ ଗର୍ବିତ।” ନାଗରିକତା ସଂଶୋଧନ ଆଇନ ସେ ଦୃଷ୍ଟିରୁ ଏହିସବୁ ଆଶା ଓ ସମ୍ଭାବନାକୁ ପୂରଣ କରିଛି।

-:ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ

Comments are closed.