ମୁମ୍ବାଇରେ ବୈଜୟନ୍ତଙ୍କ ସିଏଏ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ଦେଶବ୍ୟାପୀ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଥିବା ବେଳେ ରବିବାର ମୁମ୍ବାଇରେ ଆୟୋଜିତ ଜନସମ୍ପର୍କ ଅଭିଯାନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ମୁଖପାତ୍ର  ବୈଜୟନ୍ତ ପଣ୍ଡା ଭାଗ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ମହାରାଷ୍ଟ୍ରର ଗଣମାଧ୍ୟମ ସଂସ୍ଥା, ସମ୍ପାଦକ ଏବଂ ସାମ୍ବାଦିକଙ୍କ ସହ ସାକ୍ଷାତ କରି ସିଏଏ ଉପରେ ଆଲୋଚନା କରି  ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଏଥିସହ ମୁମ୍ବାଇର ଦାଦରଠାରେ ସିଏଏ ଦସ୍ତଖତ ଅଭିଯାନକୁ ଶ୍ରୀ ପଣ୍ଡା ଉଦଘାଟନ କରି ଜନତାଙ୍କୁ ଏହି ଆଇନ ବିଷୟରେ ବୁଝାଇଥିଲେ। ସେ କହିଥିଲେ ଯେ ନାଗରିକତା ସଂଶୋଧନ ଆଇନ ଏକ ମାନବ ହିତକାରୀ ଆଇନ। ଆମର ୩ ପଡ଼ୋଶୀ ଧାର୍ମିକ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ନିର୍ଯାତନା ପାଉଥିବା ସଂଖ୍ୟାଲଘୁ, ଯେଉଁମାନେ ଅବିଭାଜିତ ଭାରତର ନାଗରିକ ଥିଲେ ଓ ଏବେ ନିର୍ଯାତନାରୁ ବଞ୍ଚିବା ପାଇଁ ଭାରତ ଆସିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ବ୍ୟବସ୍ଥା। ସେମାନଙ୍କୁ ଆଶ୍ରୟ ଦେବା ଆମର ଏକ ନୈତିକ କର୍ତ୍ତବ୍ୟ ବୋଲି ଶ୍ରୀ  ପଣ୍ଡା କହିଥିଲେ। ଏଥିସହ ସିଏଏକୁ ନେଇ ଅନେକ ମିଛ ଓ ଗୁଜବରେ ପ୍ରଭାବିତ ନହେବାକୁ ସେ ଜନତାଙ୍କୁ ଅନୁରୋଧ କରିଥିଲେ। ହଜାର ହଜାର ଜନତା ସିଏଏକୁ ସମର୍ଥନ କରି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।
ଏହି ଅବସରରେ ଶ୍ରୀ  ପଣ୍ଡା ମହାରାଷ୍ଟ୍ର ବିଜେପି ସଭାପତି ଶ୍ରୀ ମଙ୍ଗଳ ପ୍ରଭାତ ଲୋଧା ଏବଂ ଅନେକ କାର୍ଯ୍ୟକର୍ତ୍ତାଙ୍କ ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କ ସ୍ମାରକ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ମୁମ୍ବାଇର ଗ୍ରାଣ୍ଡ ହୟାତ ହୋଟେଲରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଶ୍ରୀ ପଣ୍ଡା ବଲିଉଡ ତାରକାଙ୍କୁ ସାକ୍ଷାତ କରି ସିଏଏ ଉପରେ ଆଲୋଚନା କରିଥିଲେ।

Comments are closed.