ନାଗରିକତ୍ବ ଆଇନରେ ୨୦୧୯ ସଂଶୋଧନର ସାମ୍ବିଧାନିକତା

ନାଗରିକତ୍ବ ଆଇନରେ ୨୦୧୯ର ସଂଶୋଧନ ସାରା ଦେଶରେ ଏପରି ଏକ ବିବାଦୀୟ ପରିସ୍ଥିତି ସୃ​‌ଷ୍ଟି କରିଛି, ଯାହା ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣର ଏକ ଅବକାଶ ସୃ​‌ଷ୍ଟି କରିଛି। ନାଗରିକତ୍ବ ପ୍ରଦାନ-ପ୍ରତ୍ୟାହାର ସମ୍ପର୍କରେ ଆମ ସାମ୍ବିଧାନିକ ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ଦେଖାଯାଏ, ସମ୍ବିଧାନ କାର୍ଯ୍ୟକାରୀ ଦିବସରୁ ଭାରତରେ ଜନ୍ମିତ ଓ ସ୍ଥାୟୀଭାବେ ବସବାସ କରି ଆସୁଥିବା ବ୍ୟକ୍ତି କିମ୍ବା ତାଙ୍କର ପିତା ବା ମାତା ଭାରତରେ ଜନ୍ମଗ୍ରହଣ କରିଥିଲେ କିମ୍ବା ସଂପୃକ୍ତ ବ୍ୟକ୍ତି ସମ୍ବିଧାନ କାର୍ଯ୍ୟକାରୀ ଦିବସ ପୂର୍ବରୁ ନିୟମିତ ଅନ୍ୟୂନ ୫ ବର୍ଷ ଧରି ଭାରତରେ ରହି ଆସିଥିଲେ, ତାଙ୍କୁ ଭାରତର ନାଗରିକ ଭାବେ ସାମ୍ବିଧାନିକ ସ୍ବୀକୃତି ଦିଆଯିବ। ସେହିପରି ଯେଉଁ ବ୍ୟକ୍ତି ଦେଶ ବିଭାଜନ ପରେ ପାକିସ୍ତାନରୁ ଆସି ଭାରତରେ ବସବାସ କରୁଛନ୍ତି ତାଙ୍କୁ ମଧ୍ୟ ଭାରତର ନାଗରିକ ଭାବେ ସାମ୍ବିଧାନିକ ମାନ୍ୟତା ଦିଆଯାଇଛି। ପୁନଶ୍ଚ ଯେଉଁ ବ୍ୟକ୍ତିଙ୍କ ପିତା ବା ମାତା, ଜେଜେବାପା-ଜେଜେମା, ପ୍ରପିତା ବା ପ୍ରମାତା ଭାରତରେ ଜନ୍ମଗ୍ରହଣ କରିଥିବେ ଏବଂ ସେପରି ବ୍ୟକ୍ତି ୧୯୪୮ ଜୁଲାଇ ୧୯ ପୂର୍ବରୁ ପାକିସ୍ତାନରୁ ବସବାସ ଉଦ୍ଦେଶ୍ୟରେ ଭାରତକୁ ଚାଲି ଆସିଥି​‌ବେ ଓ ଆସିବା ଦିବସରୁ ନିୟମିତ ଭାବେ ଭାରତରେ ରହିଆସିଥିବେ ତାଙ୍କୁ ଭାରତର ନାଗରିକ ଭାବେ ମାନ୍ୟତା ମିଳିବ। ପୁଣି ଯେଉଁ ବ୍ୟକ୍ତି ଉପରୋକ୍ତ ଦିବସର ପରବର୍ତ୍ତୀ ସମୟରେ ଭାରତରେ ବସବାସ ଉଦ୍ଦେଶ୍ୟରେ ଆସିଥି‌େ‌ବ ଓ ବସବାସ କରୁଥିବା ଅବସ୍ଥାରେ ଭାରତର ନାଗରିକତ୍ବ ପାଇଁ ଆବେଦନ କରିଥି‌େ‌ବ ଓ ଆବେଦନର ଅନ୍ୟୂନ ୬ ମାସ ଅତିବାହିତ ପରେ ତାଙ୍କର ଆବେଦନକୁ ଭାରତ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଜରିଆରେ ବିଧିବଦ୍ଧ ମଞ୍ଜୁରି ଦିଆଯାଇ ତାଙ୍କୁ ନାଗରିକ ଭାବେ ପଞ୍ଜିକୃତ କରାଯାଇଥିବ,ସେପରି ବ୍ୟକ୍ତିଙ୍କୁ ମଧ୍ୟ ଭାରତର ନାଗରିକ ଭାବେ ଗଣ୍ୟ କରାଯିବ ବୋଲି ବ୍ୟବସ୍ଥା ରହିଛି।

ଭାରତର ନାଗରିକତ୍ବ ହାସଲ ସମ୍ପର୍କରେ ସ୍ପଷ୍ଟୀକରଣରେ କୁହାଯାଇଛି, ଯେଉଁ ବ୍ୟକ୍ତି ୧୯୪୭ ମାର୍ଚ୍ଚ ପହିଲା ପରଠାରୁ ଭାରତରୁ ଚାଲିଯାଇ ପାକିସ୍ତାନରେ ବସବାସ କରିଆସୁଥିବେ ସେମାନଙ୍କୁ ଭାରତର ନାଗରିକ ଭାବେ ଗଣ୍ୟ କରାଯିବ ନାହିଁ, କିନ୍ତୁ ଯେଉଁମାନେ ଭାରତକୁ ପୁନଃ ପ୍ରତ୍ୟାବର୍ତ୍ତନ କରି ସ୍ଥାୟୀ ଭାବେ ବସବାସ ପାଇଁ ବିଧିବଦ୍ଧ ଅନୁମତି ପାଇଥିବେ ସେମାନଙ୍କୁ ଭାରତର ନାଗରିକ ଭାବେ ଗଣ୍ୟ କରାଯିବାର ବ୍ୟବସ୍ଥା ରହିଛି। ଆହୁରି କୁହାଯାଇଛି ସମ୍ବିଧାନ କାର୍ଯ୍ୟକାରୀ ଦିବସ ପରେ ବା ପୂର୍ବରୁ ଅଥବା ଯେଉଁମାନେ ବା ଯେଉଁମାନଙ୍କ ପିତାମାତା, ଜେଜେବାପା-ଜେଜେମା’ ଭାରତରେ ଜନ୍ମ ଗ୍ରହଣ କରିଥିବା ସତ୍ତ୍ବେ ଭାରତ ବାହାରେ କୌଣସି ଦେଶରେ ସାଧାରଣ ଭାବେ ବସବାସ କରିଆସୁଥିବେ ଏବଂ ଏଥିପାଇଁ ସେହିସେହି ଦେଶରେ ଥିବା ଭାରତର କୂଟନୈତିକ ରାଜପ୍ରତିନିଧିଙ୍କ ଜରିଆରେ ବିଧିବଦ୍ଧ ପଞ୍ଜିକୃତ ହେଇଥିବେ, ସେମାନଙ୍କୁ ମଧ୍ୟ ଭାରତର ନାଗରିକ ଭାବେ ଗଣ୍ୟ କରାଯିବ। ପରନ୍ତୁ ଯେଉଁ ବ୍ୟକ୍ତି ସ୍ବତଃପ୍ରବୃତ୍ତ ଭାବେ ଅନ୍ୟ ଦେଶର ନାଗରିକତ୍ବ ଗ୍ରହଣ କରିଥାଏ, ସେପରି ବ୍ୟକ୍ତିଙ୍କୁ ଭାରତର ନାଗରିକ ଭାବେ ଗଣାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଉପରୋକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ୭୦ ବର୍ଷ ଅତିବାହିତ ହେବା ଏବଂ ମୂଳ ଆଇନ୍‌ରେ ୧୯୮୬ରୁ ୨୦୧୫ ମଧ୍ୟରେ ୫ ଥର ସଂଶୋଧନ କରାଯାଇଥିବା ସତ୍ତ୍ବେ ଅଦ୍ୟାବଧି ଏହାକୁ କେନ୍ଦ୍ରକରି କୌଣସି ସମୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇନଥିଲା ଯେପରି ୨୦୧୯ ସଂ​‌େ​ଶାଧନକୁ କେନ୍ଦ୍ରକରି ଏବେ ପ୍ରତିବାଦର ସ୍ବର ଉଠିଛି। କେନ୍ଦ୍ର ସରକାର ସଂଶୋଧିତ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ବଦ୍ଧପରିକର ଥିବାବେଳେ କେତେକ ରାଜ୍ୟସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନାସ୍ତିବାଣୀ ଶୁଣାଇଛନ୍ତି। ତେଣେ ଶୀର୍ଷ ନ୍ୟାୟାଳୟରେ ଏହି ଆଇନକୁ ରଦ୍ଦ କରିବା ପାଇଁ ବହୁସଂଖ୍ୟକ ମାମଲା ବିଚାରାଧୀନ ଥିବାବେଳେ, ନ୍ୟାୟାଳୟ ବସ୍ତୁତଃ ଏକ ଦ୍ବନ୍ଦ୍ବ-ଦ୍ବିଧା ତଥା ଅପ୍ରୀତିକର ସ୍ଥିତିରେ ରହିଥିବା ଜଣାପଡ଼ୁଛି। ଘଟଣାଚକ୍ରରେ ସଂପ୍ରତି ଏହି ଆଇନ୍‌ର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଏକ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେବା ସହିତ ଦେଶରେ ସାଂପ୍ରଦାୟିକ ସଦ୍ଭାବ ତଥା ସଂଘୀୟ ବ୍ୟବସ୍ଥା ପ୍ରତି ବସ୍ତୁତଃ ଏହା ଏକ ଆହ୍ବାନ ସୃଷ୍ଟି କରିଛି।

ଉପରୋକ୍ତ ସ୍ଥିତିରେ ସଂଶୋଧିତ ଆଇନକୁ ବିଶ୍ଳେଷଣ କଲାବେଳେ, ସ୍ବଭାବତଃ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍‌ଥାପିତ ହେଉଛି। ତାହାହେଲା ୧) କଥିତ ସଂଶୋଧନ ଏକ ଜରୁରୀ ଆବଶ୍ୟକତା ଥିଲା କି? ୨) ଆଇନ୍‌ଟି ସମ୍ବିଧାନ ପ୍ରସ୍ତାବନାର ମୌଳିକ ଭିତ୍ତିସ୍ତମ୍ଭ ‘ଧର୍ମନିରପେକ୍ଷତା’, ‘ଆଇନ୍‌ର ସମଭାବ-ସମଦୃଷ୍ଟି’ ଭାବଧାରାର ପରିପନ୍ଥୀ କି? ୩) ନ୍ୟାୟିକ ସମୀକ୍ଷା ପରିଣାମରେ ଯଦି ଏହା ସମ୍ବିଧାନସମ୍ମତ ଘୋଷିତ ହୁଏ, ଏହାକୁ କାର୍ଯ୍ୟକାରୀ କରିବାରେ କେତେକ ରାଜ୍ୟର ଅସହମତି କାରଣରୁ ଏହା ଏକ ସାମ୍ବିଧାନିକ ସଂକଟ ସୃଷ୍ଟି କରିବ କି? ୪) ଏହା ଜାତୀୟ ସଂହତି, ରାଷ୍ଟ୍ରର ଏକତା-ଅଖଣ୍ତତା, ସାଂପ୍ରଦାୟିକ ସଂପ୍ରୀତିର ସୁରକ୍ଷା, ସାମାଜିକ ନ୍ୟାୟ, ଧର୍ମୀୟ ସ୍ବାତନ୍ତ୍ର୍ୟତାର ବିରୋଧାଚରଣ କରୁଛି କି?
କହିବା ବାହୁଲ୍ୟ, ଆଇନ୍‌ଟିଏ କରାଯିବା କିମ୍ବା ପ୍ରଚଳିତ ଆଇନ୍‌ରେ ସଂଶୋଧନ ରାଷ୍ଟ୍ର ଶାସନର ଏକ ସ୍ବାଭାବିକ ପ୍ରକ୍ରିୟା ତଥା ନିର୍ଦିଷ୍ଟ ସାମ୍ବିଧାନିକ ଲକ୍ଷ୍ୟ ସାଧନାର ଭିତ୍ତିଭୂମି ଉପରେ ହିଁ ଜରୁରୀ ଆବଶ୍ୟକତାକୁ ଭିତ୍ତିକରି ଏହା କରାଯାଇଥାଏ। ଯେପରିକି ତାହା ମୂଳ ଆଇନ୍‌ର ଲକ୍ଷ୍ୟ ତଥା ସର୍ବୋପରି ସାମ୍ବିଧାନିକ ଭିତ୍ତିଭୂମିର ବି​‌ରୋଧାଚରଣ କରୁନଥିବ। ଉପରୋକ୍ତ କଷଟି ପଥରରେ ଆଲୋଚ୍ୟ ସଂଶୋଧନକୁ ପରୀକ୍ଷା କଲେ ଦେଖାଯାଏ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ମୁସଲମାନ ଅଧ୍ୟୁଷିତ ଇସ୍‌ଲାମୀୟ ରାଷ୍ଟ୍ରଗୁଡ଼ିକରୁ ଧର୍ମୀୟ ନିର୍ଯାତନା କାରଣରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଚାଲିଆସିଥିବା ସଂଖ୍ୟାଲଘୁ ଅଣ-ମୁସଲ୍‌ମାନଙ୍କୁ ନାଗରିକତ୍ବ ପ୍ରଦାନ ସଂଶୋଧନର ମୌଳିକ ଲକ୍ଷ୍ୟ ରଖାଯାଇଥିଲାବେଳେ, ଏଥିରୁ ମୁସଲ୍‌ମାନମାନଙ୍କୁ ବାଦ୍‌ ଦିଆଯାଇଛି। ପୁନଶ୍ଚ ଶ୍ରୀଲଙ୍କା, ମ୍ୟାଁମାର, ନେପାଳ, ଚୀନ, ଭୁଟାନ, ତିବ୍ଦତ ପ୍ରଭୃତି ଦେଶରୁ ଅନୁରୂପ କାରଣରୁ ଚାଲିଆସିଥିବା ଲୋକଙ୍କୁ ସଂଶୋଧିତ ଆଇନ୍‌ରୁ ମଧ୍ୟ ବାଦ୍‌ ଦିଆଯାଇଛି। ଏଥିସହିତ ଏହାର ଆନୁଷଙ୍ଗିକ ପଦ‌େକ୍ଷପ ସ୍ବରୂପ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ଯୋଜନାକୁ ଏକତ୍ର ବିଚାର କଲେ, ଆଇନର କାର୍ଯ୍ୟକାରିତା ପରିଣାମରେ ହୁଏତ ଅନେକ ଶରଣାର୍ଥୀଙ୍କୁ ନାଗରିକତ୍ବ ଅଧିକାରରୁ ବଞ୍ଚିତ ହୋଇ ବିତାଡ଼ନର ସାମ୍‌ନା କରିବାକୁ ପଡ଼ିପାରେ।

ପୁନଶ୍ଚ ଏହି ଆଇନ୍‌ର ପରିସରକୁ କେବଳ ସଂଖ୍ୟାଲଘୁଙ୍କ ଧର୍ମୀୟ ନିର୍ଯାତନାଭିତ୍ତିକ, ଅର୍ଥାତ ମୂଳ ଆଇନ୍‌ର ୨(୧) ଧାରାରେ ଏକ ଅତିରିକ୍ତ (ପ୍ରୋଭାଇଜୋ) ବ୍ୟବସ୍ଥା ରଖାଯାଇ ଏଥିରେ ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିଆନ ଶରଣାର୍ଥୀମାନଙ୍କୁ ସଂଶୋଧିତ ଆଇନ୍‌ ଅନ୍ତର୍ଭୁକ୍ତ କରାଯାଇଥିଲାବେଳେ ମୁସଲ୍‌ମାନମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି ଏବଂ ନାଗରିକତ୍ବ ପ୍ରଦାନ ପାଇଁ ୩୧ ଡିସେମ୍ବର ୨୦୧୪କୁ ଛେଦ ବିନ୍ଦୁ (କଟ୍‌ ଅଫ୍‌ ଡେଟ୍‌) ଭାବେ ରଖାଯାଇଥିବାରୁ, ଏହାର ବିରୋଧ କରାଯାଉଛି। ପୁନଶ୍ଚ ଅନ୍ୟାନ୍ୟ କାରଣରୁ ନିର୍ଯାତିତ ବା ଶୋଷଣ କଷଣର ସମ୍ମୁଖୀନ ହୋଇ ଭାରତକୁ ଚାଲିଆସିଥିବା ଲୋକଙ୍କୁ ଏହି ଆଇନ୍‌ରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏପରିକି ଶ୍ରୀଲଙ୍କାରୁ ନିର୍ଯାତିତ ତାମିଲ, ଭୁଟାନ୍‌ ଓ ତିବ୍ଦତରୁ ବୌଦ୍ଧ, ମ୍ୟାଁମାର (ବର୍ମାରୁ ରୋହିଙ୍ଗ୍ୟା, ଚୀନରୁ ଆସିଥିବା ଭଇଘର ଓ ବୌଦ୍ଧ ଶରଣାର୍ଥୀଙ୍କୁ ଏହି ଆଇନ ପରିସରଭୁକ୍ତ କରାଯାଇନାହିଁ। ସୁତରାଂ ଏହି ଆଇନ୍‌ଗତ ପ୍ରକ୍ରିୟାକୁ ଧର୍ମ ବା ସଂପ୍ରଦାୟଭିତ୍ତିକ ଅନ୍ତର୍ଭୁକ୍ତିକରଣ, ନକାରାତ୍ମକ ପୃଥକୀକରଣ ତଥା ବର୍ଗୀକରଣ ବୋଲି କୁହାଯାଇପାରେ ଓ ଏହି କାରଣରୁ ସଂଶୋଧିତ ବ୍ୟବସ୍ଥା ସମ୍ବିଧାନର ୧୪ ଏବଂ ୧୫ ଧାରାର ଉଲ୍ଲଙ୍ଘନ। ଅତଏବ ଉପରୋକ୍ତ ଚଳନ୍ତି ଘଟଣାବଳୀକୁ, ଯୁକ୍ତି-ପ୍ରତିଯୁକ୍ତି ତଥା କ୍ରିୟା-ପ୍ରତିକ୍ରିୟାକୁ ଆଲୋଚ୍ୟ ଆଇନ୍‌ ସହିତ ମିଶାଇ ଏକତ୍ର ବିଚାର କଲେ, ଏହାର ଅନିଷ୍ଟକାରୀ ପ୍ରତିଘାତ ବାରି ହୋଇପଡ଼େ।

ଯେତେଦୂର ନ୍ୟାୟିକ ଓ ଆନ୍ତର୍ଜାତିକ ପ୍ରତିକ୍ରିୟା ପ୍ରଶ୍ନ ଉଠିଛି, ଏକଥା ମଧ୍ୟ କୁହାଯାଇପାରେ ଯେ ସଂଶୋଧନ ସମ୍ବିଧାନ ପ୍ରସ୍ତାବନାର ମୌଳିକ ଭିତ୍ତିସ୍ତମ୍ଭର ବିରୋଧାତ୍ମକ ପ୍ରଭାବ ଏବଂ ଏଥିପ୍ରତି ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିକୂଳ ପ୍ରତିକ୍ରିୟା ଦୃଷ୍ଟିରୁ ଉଚ୍ଚତମ ନ୍ୟାୟାଳୟ ସରକାରୀ ପଦକ୍ଷେପକୁ ସାମ୍ବିଧାନିକ ପୃଷ୍ଠଭୂମିରେ କିପରି ବ୍ୟାଖ୍ୟା କରିବେ ଓ କେତେଦୂର ସମ୍ବିଧାନକୁ ସୁରକ୍ଷା ଦେବା ସଙ୍ଗେସଙ୍ଗେ ନ୍ୟାୟାଳୟର ସ୍ବାତନ୍ତ୍ର୍ୟ ତଥା ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବେ ଓ ଏସବୁ ପ୍ରସଙ୍ଗରେ ସମନ୍ବୟ ରକ୍ଷା ପୂର୍ବକ ଏକ ମାର୍ଗଦର୍ଶକ ନିଷ୍ପତ୍ତି ନେବେ ତାହା କେବଳ ସମୟ ହିଁ କହିବ। ତେବେ ଆଶା କରାଯାଏ, ନ୍ୟାୟାଳୟ ଏକ ସ୍ପଷ୍ଟ, ତ୍ବରିତ, ମାର୍ଗଦର୍ଶକ, ସମାଧାନମୂଳକ ତଥା ସମ୍ବିଧାନ ସମ୍ମତ ନିଷ୍ପତ୍ତି ଦେଇପାରିବେ।

Comments are closed.