ସିଏଏକୁ ବିରୋଧ: ଦିଲ୍ଲୀରେ ଆନ୍ଦୋଳନ ଗୁରୁଗ୍ରାମରେ ୧୦ କିଲୋମିଟର ରାସ୍ତା ଜାମ୍,ବିମାନସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଦିଲ୍ଲୀର କେତେକ ସ୍ଥାନରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପଦର୍ଶନ ଜାରି ରହିଛି। ଏଭଳି ସ୍ଥଳେ ବିରୋଧ ପଦର୍ଶନରେ ଦିଲ୍ଲୀର ପଡୋଶୀ ରାଜ୍ୟମାନଙ୍କରୁ ଲୋକମାନେ ଯୋଗଦେବାକୁ ଆସୁଥିବା ପୁଲିସ ସୁତ୍ରରୁ ଜଣାପଡିଛି। ଯାହା ଦିଲ୍ଲୀରେ ହିଂସା ବଢାଇଦେବ । ପଡୋଶୀରାଜ୍ୟରୁ ଲୋକ ଆସୁଥିବା ସୁଚନାପାଇଁ ପୁଲିସ ଦିଲ୍ଲୀ- ଗୁରୁଗ୍ରାମ ସୀମାରେ ବ୍ୟାରିକେଟ ବ୍ୟବସ୍ଥା କରିଦେଇଛନ୍ତି। ଯାହା ଫଳରେ ଦିଲ୍ଲୀ- ଗୁରୁଗ୍ରାମସୀମାରେ ୧୦ କିଲୋମିଟର ଲମ୍ବା ରାସ୍ତା ଜାମ ଲାଗିରହିଛି। ୧୪ ଲେନ୍ ବିଶିଷ୍ଠ ରାସ୍ତା ଗାଡିରେ ଭରିରହିଛି। ଏଭଳି ସ୍ଥିତିରେ ଲୋକମାନେ ରାସ୍ତାରେ ଗାଡିଛାଡି ଚାଲିଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି। ପୁଲିସର ସୂଚନାଅନୁଯାଇ ଯଦି ସମସ୍ତ ସ୍ଥିତି ଠିକ ରୁହେତେବେ ମଧ୍ୟରାତ୍ରୀ ସୁଦ୍ଧା ରାସ୍ତା ଜାମ ଠିକ ହୋଇଯିବ।
ଦିଲ୍ଲୀ ବୋର୍ଡରେ ପୁଲିସ ବ୍ୟାରିକେଡିଂ କରି ସମସ୍ତ ଯାନବାହାନ ଯାଞ୍ଚ କରି ପ୍ରବେଶ କରାଉଛି। ଦିଲ୍ଲୀ- ଗୁରୁଗ୍ରାମ ଏକ୍ସପ୍ରେସୱେରେ ଅଧିକ ଟ୍ରାଫିକ୍‌ କାରଣରୁ ସେମାନେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବାରେ ଅସୁବିଧା ଭୋଗ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ୩ଟା ସୁଦ୍ଧା ୧୬ଟି ବିମାନର ଉଡ଼ାଣରେ ବିଳମ୍ବ ହୋଇଛି। କ୍ରୁ ଟ୍ରାଫିକ୍‌ ଜାମରେ ଫସିଯିବା କାରଣରୁ ଇଣ୍ଡିଗୋ ୨୦ଟି ବିମାନ ବାତିଲ କରିଛି। ଏପରିକି ଯାତ୍ରୀମାନେ ବିମାନବନ୍ଦରରେ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ବିଭିନ୍ନ ବିମାନ କମ୍ପାନୀ ରିସ୍କିଡ୍ୟୁଲିଂ ଚାର୍ଜେସ୍‌ ପ୍ରତ୍ୟାହାର କରାଯାଇଛି।
ଇଣ୍ଡିଗୋ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ଦିଲ୍ଲୀ ଓ ଏନ୍‌ସିଆରର କିଛି ସ୍ଥାନରେ ବିକ୍ଷୋଭ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ କଟକଣା କାରଣରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ୨୦ଟି ଡିପାର୍ଚରରେ ସମୟ ପରିବର୍ତ୍ତନ କରାଯାଇଛି। ଇଣ୍ଡିଗୋ କ୍ରୁଙ୍କୁ ଶର୍ଟ ନୋଟିସ୍‌ରେ ନିୟୋଜିତ କରିବା ପାଇଁ ପଦକ୍ଷେପ ନେଉଛି। ପ୍ରଭାବିତ ହେଉଥିବା ଯାତ୍ରୀମାନେ ବିନା ଅତିରିକ୍ତ ଶୁଳ୍କରେ ବୁକିଂ କରିପାରିବେ।”

Comments are closed.