ବାଇପାସ୍‍ ସର୍ଜରୀ

0

ସାଧାରଣ ଲୋକଙ୍କ ଅପେକ୍ଷା ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ରୋଗୀଙ୍କଠାରେ ହୃଦ୍‍ଘାତର ଆଶଙ୍କା ଯଥେଷ୍ଟ ଅଧିକ। ରକ୍ତରେ ମାତ୍ରାଧିକ କୋଲେଷ୍ଟେରଲ ଏବଂ ଧୂମପାନ ମଧ୍ୟ ଏହି ରୋଗର କାରଣ ହୋଇଥାଏ। ହୃତ୍‍ପିଣ୍ଡରୁ ରକ୍ତ ସଞ୍ଚାଳନ ପାଇଁ ଥିବା ଧମନୀରେ କୋଲେଷ୍ଟେରଲ ଜମାଟ ବାନ୍ଧି ଆଂଶିକ ବନ୍ଦ ଥିବା ବେଳେ ହଠାତ୍‍ ରକ୍ତ ଜମାଟ ହୋଇ ଧମନୀଟି ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ରୋଗୀ ହାର୍ଟ ଆଟାକ ବା ହୃଦ୍‍ଘାତର ଶିକାର ହୋଇଥାନ୍ତି। ଛାତିରେ ଭୟଙ୍କର ଯନ୍ତ୍ରଣା ହେବା ସହ ଗରମ ଲାଗି ପ୍ରବଳ ଝାଳ ବାହାରେ। କେତେକ କ୍ଷେତ୍ରରେ ଏହା ପ୍ରାଣହାନିର କାରଣ ହୋଇଥାଏ। ଧମନୀର ଏହି ବ୍ଲକେଜ୍‍ ଆଞ୍ଜିଓଗ୍ରାଫି ଦ୍ୱାରା ନିରୂପଣ କରାଯିବା ପରେ ରକ୍ତନଳୀର ଅବସ୍ଥା, ବ୍ଲକେଜ୍‍ ସଂଖ୍ୟା, ସ୍ଥିତି ଓ ରୋଗୀଙ୍କ ଅନ୍ୟାନ୍ୟ ଅବସ୍ଥା ଆଖିରେ ରଖି ଚିକିତ୍ସା ପ୍ରଣାଳୀ ସ୍ଥିର କରାଯାଏ।

ଆଞ୍ଜିଓପ୍ଲାଷ୍ଟି ବା ବେଲୁନିଂ (ଷ୍ଟେଣ୍ଟିଂ) ଏକ ଅଣଶଲ୍ୟ ଚିକିତ୍ସା ଯାହା ଜରୁରୀକାଳୀନ ସ୍ଥିତିରେ ହୃଦ୍‍ଘାତର ୧ଘଣ୍ଟା ମଧ୍ୟରେ କରାଯାଏ ଏବଂ ଗୋଟିଏ ବା ଦୁଇଟି ବ୍ଲକେଜ୍‍ ଥିଲେ ବିଶେଷ ଫଳପ୍ରଦ ହୋଇଥାଏ। ବାଇପାସ୍‍ ସର୍ଜରୀ ଏକ ଶଲ୍ୟ ଚିକିତ୍ସା ଯାହା ବିଫଳ ଆଞ୍ଜିଓପ୍ଲାଷ୍ଟି, ଦୁଇରୁ ଅଧିକ ବ୍ଲକେଜ୍‍ ଥିବା, ହୃଦ୍‍ଯନ୍ତ୍ରର ମୁଖ୍ୟ ରକ୍ତନଳୀର ରୋଗ, ମଧୁମେହ ରୋଗୀ ଏବଂ ୨୦ବର୍ଷରୁ ଅଧିକ ସମୟ ବଞ୍ଚିବାର ଆଶା ଥିବା ରୋଗୀଙ୍କଠାରେ କରାଯାଏ। ଏହା ନିମ୍ନ ଆୟବର୍ଗର ରୋଗୀଙ୍କ ପାଇଁ ବିଶେଷ ପ୍ରଯୁଜ୍ୟ। ଏଥିରେ ରୋଗୀ ଦେହରୁ କିଛି ରକ୍ତନଳୀ ନେଇ ହୃତ୍‍ପିଣ୍ଡରେ ଆକ୍ରାନ୍ତ ରକ୍ତନଳୀରେ ଯୋଡି ରକ୍ତ ପ୍ରବାହ ସ୍ୱାଭାବିକ କରାଯାଏ। ଏହାଦ୍ୱାରା ହୃଦ୍‍ଘାତର ଆଶଙ୍କା କମାଇବା ସହିତ ରୋଗୀଙ୍କ ବ୍ଲକେଜଜନିତ ଯନ୍ତ୍ରଣା ଉପଶମ ହୁଏ ଏବଂ ହୃଦୟର କାର୍ୟ୍ୟକ୍ଷମତା ବଜାୟ ରହେ। ଏଥିରେ ରୋଗୀଙ୍କ ନିଜ ରକ୍ତନଳୀ ବ୍ୟବହାର ହେଉଥିବାରୁ କୌଣସି ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା କମ୍‍। ଏହା ଦୀର୍ଘସ୍ଥାୟୀ ଚିକିତ୍ସା ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଔଷଧର ଆବଶ୍ୟକତା ମଧ୍ୟ ଷ୍ଟେଣ୍ଟିଂ ତୁଳନାରେ ଯଥେଷ୍ଟ କମ୍‍। ପ୍ରଣାଳୀ ସରଳ ହେବା ସହିତ ଅନେକ କ୍ଷେତ୍ରରେ ଚଳନ୍ତି ହୃଦୟ ଅସ୍ତ୍ରୋପଚାର (ବିଟିଂ ହାର୍ଟ ସର୍ଜରୀ) ମଧ୍ୟ କରାଯାଇପାରେ। ଏହା ଆପେଣ୍ଡିକ୍ସ ବା ହାର୍ଣ୍ଣିଆ ସର୍ଜରୀ ପରି ନିରାପଦ। ଦ୍ୱିତୀୟରୁ ତୃତୀୟ ଦିନବେଳକୁ ରୋଗୀ ଚଳପ୍ରଚଳ କରିପାରନ୍ତି ଏବଂ ୩ସପ୍ତାହ ବିଶ୍ରାମ ପରେ ପୂର୍ବପରି କାର୍ୟ୍ୟକ୍ଷମ ହୋଇପାରନ୍ତି। ଅସ୍ତ୍ରୋପଚାର ପରେ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ନିୟମିତ ଚିକିତ୍ସା, ଡାକ୍ତରଙ୍କ ପରାମର୍ଶ ସହ ସୁଷମ ଖାଦ୍ୟ ଗ୍ରହଣ ଓ ମାଦକ ଦ୍ରବ୍ୟ ପରିହାର ଆବଶ୍ୟକ।
ବରିଷ୍ଠ ହୃଦ୍‍ରୋଗ ବିଶେଷଜ୍ଞ (ସର୍ଜରୀ), ଆପୋଲୋ ହସ୍‍ପିଟାଲ, ଭୁବନେଶ୍ୱର

Leave A Reply