ବଢ଼ିଲା ଉପନିର୍ବାଚନ ତାତି: ନବୀନ କରିବେ ଭର୍ଚ୍ୟୁଆଲ ପ୍ରଚାର, ମଇଦାନକୁ ଯିବେ ଧର୍ମେନ୍ଦ୍ର

ଭୁବନେଶ୍ଵର: ପୂଜା ପରେ ବଢ଼ିଛି ଉପନିର୍ବାଚନ ତାତି । ଉଭୟ ତିର୍ତ୍ତୋଲ ଓ ବାଲେଶ୍ଵର ସଦର ଉପନିର୍ବାଚନ ଲାଗି ମଇଦାନରେ ଡ଼େରା ପକାଇଛନ୍ତି ନେତା । ବାଲେଶ୍ଵରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ବିଜେଡ଼ିର ବହୁ ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରଚାର ମଙ୍ଗ ଧରିଛନ୍ତି । ତିର୍ତ୍ତୋଲରେ ମଧ୍ୟ ଅନୁରୂପ ପ୍ରଚାର ଚାଲିଛି । କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳର କିଛି ବିଧାୟକ ଉଭୟ ନିର୍ବାଚନମଣ୍ଡଳୀରେ ପ୍ରଚାର ଦାୟିତ୍ଵ ତୁଲାଉଛନ୍ତି । କେବଳ ନେତା ନୁହନ୍ତି ଅଭିନେତାମାନେ ମଧ୍ୟ ପ୍ରଚାର ପାଇଁ ଉଭୟ ଅଞ୍ଚଳରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟ ନିର୍ବାଚନମଣ୍ଡଳୀରେ ପ୍ରାରମ୍ଭିକ ଓ ଭର୍ଚ୍ୟୁଆଲ ପ୍ରଚାର କରିଥିବା ଦେଖାଯାଇଛି । ତେବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଉପନିର୍ବାଚନରେ ପ୍ରତ୍ୟକ୍ଷ ପ୍ରଚାର କରିବେ ନାହିଁ । ବୁଧବାର ଓ ଗୁରୁବାର ଭର୍ଚ୍ୟୁଆଲ ପ୍ରଚାର କରିବେ ବୋଲି ସୂଚନା ମିଳିଛି । ନବୀନ ନିବାସରୁ ସେ ଭିଡ଼ିଓ କନଫରେନ୍ସ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର କରିବେ । ୨୮ ତାରିଖରେ ତିର୍ତ୍ତୋଲରରେ ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସ, ବାଲେଶ୍ଵରର ପ୍ରାର୍ଥୀ ସ୍ବରୂପ ଦାସଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ସୂଚନା ମିଳିଛି  । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭର୍ଚ୍ୟୁଆଲ ପ୍ରଚାର କରିଥିବାବେଳେ ପୁନର୍ବାର ଆସନ୍ତାକାଲି ଓ ଗୁରୁବାର ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

Comments are closed.