ବୃତ୍ତି ଶିକ୍ଷାଦାନ, ରୁଚି କୃଷି

ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାକୁ ସରକାର ଖାଦ୍ୟ ନିରାପତ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଆମର ଚାଷଜମି ପରିମାଣ ସ୍ଥିର ଓ ସୀମିତ ରହିଥିବାବେଳେ ଜନସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ଖାଦ୍ୟ ଯୋଗାଇବା ତଥା ନିଜେ ଅଧିକ ଉପାର୍ଜନ କରିବା ଲକ୍ଷ୍ୟରେ ସଂପ୍ରତି ଆମ ଚାଷୀମାନେ ପ୍ରୟାସ ଜାରି ରଖିଛନ୍ତି । ଏ ଦିଗରେ ସେମାନଙ୍କୁ ସହାୟକ ହୋଇଛି କୃଷି କ୍ଷ୍ରେତରେ ନୂତନ ବୈଜ୍ଞାନିକ ଉଦ୍ଭାବନ ଏବଂ ଆଧୁନିକ କୃଷି ପରିଚାଳନା ପଦ୍ଧତି । ଏହାକୁ ଉପଯୋଗ କରି ସେମାନେ କମ୍‍ ଜମିରୁ ଅଧିକ ଅମଳ କରିବା ସହିତ ଆଶାନୁରୂପ ଆୟ ମଧ୍ୟ କରୁଛନ୍ତି ।
ଏହିଭଳି ଜଣେ ସଫଳ ଚାଷୀ ହେଉଛନ୍ତି ଶିବଶଙ୍କର ଗଡନାୟକ । ଦେବଗଡ ଜିଲା ରିଆମାଳ ବ୍ଲକ୍‍ ଖିଲେଇ ଗ୍ରାମର ବାସିନ୍ଦା ଶିବଶଙ୍କ ବୟସ ୪୭ ବର୍ଷ । ସେ ଯୁକ୍ତ ୩ରେ ଶିକ୍ଷା ହାସଲ କରିଛନ୍ତି । ଶିକ୍ଷା ହାସଲ ପରେ ସେ ଏକ ପ୍ରାଥମିକ ବିଦ୍ୟାଳୟରେ ଜଣେ ଗଣ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ଚାକିରିରୁ ଯେତିକି ଆୟ ହୁଏ ସେଥିରେ ତାଙ୍କ ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ । ସେଥିପାଇଁ ଶିବଶଙ୍କର ତାଙ୍କର ଥିବା ୧.୫ ଏକର ଜମିରେ କିଛି ଚାଷ କରି ପରିବାର ପାଇଁ ଖାଦ୍ୟ ଯୋଗାଡ କରିବା ଏବଂ ସେଥିରୁ କିଛି ଉପାର୍ଜନ କରିବାକୁ ଚାହିଁଥିଲେ । ତାହାସହିତ ତାଙ୍କର ଅଧ ଏକର ଜମିରେ ଏକ ପୋଖରୀ ମଧ୍ୟ ରହିଛି । କିନ୍ତୁ ପୂର୍ବରୁ ତାଙ୍କର ଚାଷବାସରେ କୌଣସି ଅଭିଜ୍ଞତା ନଥିଲା । ଦୁଇବର୍ଷ ତଳେ ରିଲାଏନ୍ସ ଫାଉଣ୍ଡେସନର ଜିଲାସ୍ତରୀୟ କ୍ଷେତ୍ର ପ୍ରତିନିଧିଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା । ସେମାନଙ୍କ ନିକଟରୁ ସେ ଚାଷୀଙ୍କ ପାଇଁ ରହିଥିବା ବିବିଧ ସହାୟକ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରଠାରୁ ସେ ବିଭିନ୍ନ ଅଡିଓ କନଫରେନ୍ସ, ହ୍ୱାଟ୍‍ସ ଆପ ଭର୍ଚୁଆଲ ଶିବିରରେ ଅଂଶଗ୍ରହଣ କରି ରୋଗ ପୋକ ସମ୍ପର୍କିତ ସମସ୍ୟାଗୁଡିକ ସମ୍ପର୍କରେ ଆବଶ୍ୟକ ପ୍ରଶ୍ନ ପଚାରି ତାହାର ପ୍ରତିଷେଧକ ବ୍ୟବସ୍ଥା କରିପାରିଛନ୍ତି । କୃଷି ସଂପ୍ରତି ତାଙ୍କର ରୁଚିରେ ପରିଣତ ହୋଇଛି ।
ଚଳିତ ବର୍ଷ ଶିବଶଙ୍କର ବାଇଗଣ, ଫୁଲକୋବି ଓ ଲଙ୍କା ଗଛ ଲଗାଇଛନ୍ତି । ପୂର୍ବରୁ ସେ ପ୍ରତିବର୍ଷ ବାଇଗଣ ଚାଷ କରୁଥିଲେ । କିନ୍ତୁ ବାଇଗଣ ଗଛରେ ରୋଗ ପୋକ ନିୟନ୍ତ୍ରଣ କରିପାରୁନଥିଲେ । ଫଳରେ ସେ ୫ରୁ ୬ କୁଇଣ୍ଟାଲ ବାଇଗଣ ଅମଳ କରି ତାହାକୁ ବିକି ୯ରୁ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଚଳିତ ବର୍ଷ କିନ୍ତୁ ସେ ବାଇଗଣ ରୋଗ ପୋକ ନିୟନ୍ତ୍ରଣ ପାଇଁ ଆବଶ୍ୟକ ଔଷଧ ପ୍ରୟୋଗ କରିଛନ୍ତି । ବାଇଗଣରୁ ଭଲ ଅମଳ ମିଳୁଛି ଏବଂ ବର୍ତ୍ତମାନ ସୁଦ୍ଧା କିଲୋ ପିଛା ୧୦ ଟଙ୍କା ଦରରେ ୧୦ କୁଇଣ୍ଟାଲ ଏବଂ କିଲୋ ପ୍ରତି ୨୦ ଟଙ୍କା ଦରରେ ୧ କୁଇଣ୍ଟାଲ ବିକ୍ରିକରି ୧୨ ହଜାର ଟଙ୍କା ପାଇସାରିଲେଣି । ଆଗକୁ ଆଉ ୧୦ କୁଇଣ୍ଟାଲ ବାଇଗଣ ଅମଳ ଆଶା ରଖିଛନ୍ତି ଶିବଶଙ୍କର । ତାହାସହିତ ଚଳିତ ବର୍ଷ ଅଧିକ ୨ରୁ ୩ କୁଇଣ୍ଟାଲ ଧାନ ଅମଳ କରିବା ଲକ୍ଷ୍ୟ ରଖିଛନ୍ତି । ଅଧ ଏକର ପୋଖରୀରେ ମାଛ ଚାଷ କରି ଚଳିତ ଥର ସେ ୧୦ ହଜାର ଟଙ୍କା ଉପାର୍ଜନ ଆଶା ରଖିଛନ୍ତି । ସ୍କୁଲରେ ଶିକ୍ଷାଦାନ ପୂର୍ବରୁ ସକାଳ ୯ଟା ପର୍ଯ୍ୟନ୍ତ ଏବଂ ଶିକ୍ଷା ଦାନ ଶେଷ କରିବା ପରେ ପ୍ରତିଦିନ ସେ ଅପରାହ୍ଣ ୪ଟାରେ ନିଜେ ଚାଷ କାମରେ ଲାଗନ୍ତି । ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ଏଥିରେ ସହଯୋଗ କରନ୍ତି । ଫାଉଣ୍ଡେସନର ସହଯୋଗ ଓ ମାର୍ଗଦର୍ଶନ ପାଇଁ ଆଜି ସେ ନିଜର ସୀମିତ ଜମିରୁ ଅଧିକ ଅମଳ ସହିତ ଉପାର୍ଜନ କରିପାରୁଛନ୍ତି ।

Comments are closed.