ଉପନିର୍ବାଚନ ପାଇଁ ସମୀକ୍ଷା

ଭୁବନେଶ୍ବର : ଆସନ୍ତା ୩୧ରେ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହାର ଚୂଡାନ୍ତ ପ୍ରସ୍ତୁତି ସମ୍ପର୍କରେ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଆଭାସି ମାଧ୍ୟମରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ଉପନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ ସ୍ଥାପନ ବିଷୟରେ ଆଲୋଚନା ହୋଇଥିବା ବେଳେ ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଭୋଟ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ କେନ୍ଦ୍ରରେ କର୍ମଚାରୀଙ୍କ ପାଇଁ ଟେଣ୍ଟ ଓ ପାନୀୟ ଜଳର ବ୍ୟବସ୍ଥା ଓ କର୍ମଚାରୀମାନଙ୍କୁ ସୁବିଧାରେ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ବ୍ୟବସ୍ଥା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି।
ସୁରକ୍ଷା କର୍ମୀ ନିଯୁକ୍ତ, ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ମଡେଲ ଓ ପିଙ୍କ ବୁଥ, ଭୋଟ ଗ୍ରହଣ ପୂର୍ବରୁ ଜିଲାରେ ସ୍ବତନ୍ତ୍ର ମଦ ଦୋକାନ ବନ୍ଦ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି।
ଏହି ବୈଠକରେ ଝାରସୁଗୁଡା ଜିଲାପାଳ ସରୋଜ କୁମାର ସାମଲ, ରିଟର୍ଣ୍ଣିଂ ଅଧିକାରୀ ଦୟାମୟ ପାଢୀ, ଅତିରିକ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.