ବିଡବ୍ଲ୍ୟୁଏଫ୍‌ ଖେଳସୂଚୀରେ ଓଡ଼ିଶା ଓପନ୍‌ ବ୍ୟାଡ୍‌ମିଣ୍ଟନ

କଟକ : ଭାରତୀୟ କ୍ରୀଡ଼ାର ପେଣ୍ଠସ୍ଥଳୀ ଭାବେ ପରିଚିତ ଓଡ଼ିଶାରେ ଆୟୋଜିତ ହେବ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା। ବ୍ୟାଡମିଣ୍ଟନ ବିଶ୍ବ ମହାସଂଘ (ବିଡବ୍ଲ୍ୟୁଏଫ୍‌) ବାର୍ଷିକ ଅନ୍ତର୍ଜାତୀୟ ଖେଳସୂଚୀରେ ସ୍ଥାନପାଇଛି ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଓଡ଼ିଶା ନାମରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା। ଓଡ଼ିଶା ଓପନ ସୁପର-୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା କଟକରେ ୨୦୨୨ ଜାନୁଆରୀ ୨୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ଏହା ବ୍ୟାଡମିଣ୍ଟନ ବିଶ୍ବ ମହାସଂଘ (ବିଡବ୍ଲ୍ୟୁଏଫ୍‌) ଅନୁମୋଦିତ ପ୍ରତିଯୋଗିତା।


୨୦୨୨ ବିଡବ୍ଲ୍ୟୁଏଫ୍‌ ବାର୍ଷିକ ଖେଳସୂଚୀରେ ଭାରତରେ ୩ଟି ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ସ୍ଥାନମିଳିଛି। ଏଥିରେ ଓଡ଼ିଶା ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତା କଟକରେ ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି। ପୂର୍ବରୁ ହାଇଦରାବାଦ୍‌ ମାଷ୍ଟର୍ସ ସୁପର-୧୦୦ ୨୦୧୮ ଓ ୨୦୧୯ରେ ଆୟୋଜିତ ହୋଇଥିଲା। ୨୦୨୦ରେ କୋଭିଡ-୧୯ ପାଇଁ ଉକ୍ତ ପ୍ରତିଯୋଗିତା ଆୟୋଜିତ ହୋଇପାରିନଥିଲା। ବିଡବ୍ଲ୍ୟୁଏଫ୍‌ ପରିଚାଳନା ପରିଷଦ ହାଇଦରାବାଦ ମାଷ୍ଟର୍ସ ବଦଳରେ ଓଡ଼ିଶା ଓପନ ସୁପର-୧୦୦ ପ୍ରତିଯୋଗିତା ଆୟୋଜନ କରିବାକୁ ସ୍ଥିରକରିଛି। ଗତ କିଛିବର୍ଷ ହେବ ଭାରତରେ ବିଡବ୍ଲ୍ୟୁଏଫ୍‌ ବାର୍ଷିକ ୨ଟି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରୁଥିଲା। ୨୦୨୨ରେ ୩ଟି ବିଡବ୍ଲ୍ୟୁଏଫ୍‌ ପ୍ରତିଯୋଗିତା ଆୟୋଜନ ହେବ। ଦିଲ୍ଲୀରେ ଇଣ୍ଡିଆନ ଓପନ ସୁପର-୫୦୦ ଜାନୁଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଏବଂ ସୟଦ ମୋଦି ଆନ୍ତର୍ଜାତିକ ସୁପର-୩୦୦ ଲ‌େ‌କ୍ଷ୍ନୗରେ ଜାନୁଆରୀ ୧୮ରୁ ୨୩ ପର୍ଯ୍ୟନ୍ତ ଆୟୋଜନ ହେବ। ଏହାପରେ କଟକର ଜବାହାରଲାଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଓଡ଼ିଶା ଓପନ ସୁପର-୧୦୦ ପ୍ରତିଯୋଗିତା ଖେଳାଯିବ। ପୁଣି ଭାରତ ୨୦୨୬ରେ ବିଶ୍ବ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବ।

ଓଡ଼ିଶା ଓପନ୍‌ ପଛରେ ଗୋପୀଚାନ୍ଦ; ୧ ଲକ୍ଷ ଡଲାର ପୁରସ୍କାର ରାଶି
 ଓଡ଼ିଶା ଓପନ ସୁପର-୧୦୦ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ନେଇ ଭାରତୀୟ ବ୍ୟାଡମିଣ୍ଟନ ଦଳର ମୁଖ୍ୟ ପ୍ରଶିକ୍ଷକ ପୁଲୈଲା ଗୋପୀଚାନ୍ଦ ବିଡବ୍ଲ୍ୟୁଏଫ୍‌କୁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସହମତି କ୍ରମେ ଓଡ଼ିଶା ଓପନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ନେଇ ଗୋପୀଚାନ୍ଦ ବିଡବ୍ଲ୍ୟୁଏଫ୍‌କୁ ପ୍ରସ୍ତାବ ଦେଇଥିଲେ। ହାଇଦରାବାଦ୍‌ ଓପନ ଅନ୍ତର୍ଜାତୀୟ ପ୍ରତିଯୋଗିତା ବଦଳରେ ଓଡ଼ିଶା ଓପନ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବାକୁ ଗୋପୀଚାନ୍ଦ ପ୍ରସ୍ତାବ ରଖିଥିଲେ। ବିଡବ୍ଲ୍ୟୁଏଫ୍‌ ୨୦୨୨ ବାର୍ଷିକ ଅନ୍ତର୍ଜାତୀୟ ଖେଳସୂଚୀରେ ଓଡ଼ିଶା ଓପନ ସୁପର-୧୦୦ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାକୁ ସ୍ଥାନଦେବା ପଛରେ ଗୋପୀଚାନ୍ଦ ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁତ ବଡ଼ ଅବଦାନ ରହିଛି ବୋଲି ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏସନ ସାଧାରଣ ସମ୍ପାଦକ ନିଲିନ୍‌ କୁମାର କହିଛନ୍ତି। କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ପୁଲୈଲା ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଉତ୍କର୍ଷ କେନ୍ଦ୍ର ନିର୍ମାଣ କାର୍ୟ୍ୟ ଶେଷ ହେବା ପରେ ୨୦୨୩ରୁ ଭୁବନେଶ୍ବରରେ ଉକ୍ତ ପ୍ରତିଯୋଗିତା ଖେଳାଯିବ। ପୁରସ୍କାର ୧ ଲକ୍ଷ ଡଲାର ରଖାଯାଇଛି। ନଭେମ୍ବର ପ୍ରଥମ ସପ୍ତାହରେ ଗୋପୀଚାନ୍ଦ ଓଡ଼ିଶା ଆସି​‌ବା ସହିତ କଟକର ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡ଼ି୍ୟମ ପରିଦର୍ଶନ କରିବ​‌ା ସହିତ ପ୍ରତିଯୋଗିତା ଆୟୋଜନ ନେଇ ରାଜ୍ୟ କ୍ରୀଡ଼ା ବିଭାଗ ସହ ଆଲୋଚନା କରିବେ ବୋଲି ସମ୍ପାଦକ ନିଲିନ୍‌ କୁମାର କହିଛନ୍ତି।

Comments are closed.