ରୋକି ହେଉନାହିଁ ଧଳାଜହର କାରବାର : ଦୁଇ ମାସରେ ସାଢ଼େ ୪କିଲୋ ଜବତ

ଭୁବନେଶ୍ବର : ଅପରାଧ ଓ ନିଶା କାରବାର ପରିପୂରକ। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ ପଛରେ ନିଶା କାରବାର ବୃଦ୍ଧି ଏକ ପ୍ରମୁଖ କାରଣ ବୋଲି ବରିଷ୍ଠ ପୁଲିସ ଅଧିକାରୀ କହୁଛନ୍ତି। ଗତ କିଛିବର୍ଷ ହେବ ରାଜ୍ୟରେ ବ୍ରାଉନ୍‌ସୁଗର ଭଳି ଧଳାଜହର କାରବାର ଏତେ ପରିମାଣରେ ବଢ଼ିଛି ତାହାର ଥଳକୂଳ ମିଳୁନାହିଁ। ନିଶା କାରବାର ଚୋର ଏତେ ମଜଭୁତ ହୋଇଗଲାଣି ତାକୁ ରୋକିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି। ଗତବର୍ଷ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସତ୍ତ୍ବେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବିଭିନ୍ନ ସ୍ଥାନରୁ ପ୍ରାୟ ୨୪ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା। ଯାହା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଥିଲା। ଚଳିତ ବର୍ଷ ୨ ମାସ ମଧ୍ୟରେ ଏସ୍‌ଟିଏଫ୍ ସ୍ବତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ୪.୫୦୬ କିଲୋଗ୍ରାମ ବ୍ରାଉନ୍‌ ସୁଗର ଜବତ କରିସାରିଲାଣି। ରାଜ୍ୟରେ ମାଡ଼ି ଚାଲିଥିବା ଏହି ମାରାତ୍ମକ ନିଶା କାରବାରର ଚେର୍‌ ଖୋଜିବା ଓଡ଼ିଶା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ବେଆଇନ୍‌ ଭାବେ ଚାଲୁଥିବା ଏହି ନିଶାକାର ରାଜ୍ୟର ଯୁବପିଢ଼ିଙ୍କୁ ବିପଥଗାମୀ କରିବା ସହିତ ଅପରାଧକୁ ବହୁଗଣିତ କରି ଚାଲିଛି। ରାଜରାସ୍ତାରେ ଲୁଟ୍‌ପାଟ୍‌ ଓ ରାହାଜାନି ଭଳି ଘଟଣାରେ ସମ୍ପୃକ୍ତ ସବୁ ଅପରାଧୀ ଏହି ମାରାତ୍ମକ ନିଶା ସେବନକାରୀ କରିଥାନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ନିଶାସକ୍ତ ଅପରାଧୀ ହିଂସ୍ର ହୋଇ ଲୁଟ୍‌ପାଟ୍‌ କରିଥାନ୍ତି। ରାଜଧାନୀ‌େ‌ର ଏଭଳି ଅନେକ ଘଟଣା ନଜରକୁ ଆସିଛି। ଏହି ନିଶାଦ୍ରବ୍ୟ କେଉଁଠୁ ଆସୁଛି ତାହା ଜଣାଥିଲେ ସୁଦ୍ଧା ଏହାକୁ କେମିତି ରୋକାଯିବ ତାହାର କୌଣସି ବାଟ ମିଳୁନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଗତ ସୋମବାର ଏସ୍‌ଟିଏଫ୍ ପଶ୍ଚିମବଙ୍ଗର ଲକ୍ଷ୍ମଣାନାଥ ଚେକ୍‌ ଗେଟ୍‌ ନିକଟରୁ ଏସ୍‌ଟିଏଫ୍ ଚଢଉ କରି ଜଳେଶ୍ବର ଥାନା ଅଞ୍ଚଳର ସେକ୍‌ ମୁନାଫ୍‌ ହୁସେନ୍‌ ନାମକ ଯୁବକଠାରୁ ୧କିଲୋ ୫୩୦ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଥିଲା। ସେହିପରି ଚଳିତବର୍ଷ ଖୋର୍ଦ୍ଧା ବାଇପାସ୍‌ ନିକଟରୁ ସେକ୍‌ ଅନୱର ଓରଫ୍‌ ପିଣ୍ଟୁ ନାମକ ଜଣେ ଯୁବକଠାରୁ ୧.୨୯୦ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ କରାଯାଇଥିଲା। ଜାନୁଆରୀ ୨୫ରେ ବାଲେଶ୍ବରର ଚାନ୍ଦବାଲି ନିକଟରେ ଏସ୍‌ଟିଏଫ୍‌ ମିର୍‌ ମିଆଜ୍‌ କାଦି ଓ ୱାସିମ୍‌ ଅଖତାର ଖାନ୍ ନାମକ ଯୁବକଙ୍କଠାରୁ ୧.୪୭୦ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ କରିଥିଲା।
ଚଳିତ ବର୍ଷ ଏସ୍‌ଟିଏଫ୍ ୭ଟି ଏନ୍‌ଡିପିଏସ୍‌ ଆଇନ୍‌ରେ ମାମଲା ରୁଜୁ ୭ ଜଣଙ୍କୁ ଗିରଫ କରିଛି। ବ୍ରାଉନ୍‌ସୁଗର କାରବାରରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ ସଂଖାଲଘୁ ସମ୍ପ୍ରଦାୟର ବୋଲି ଜଣେ ପୁଲିସ ଏସ୍‌ଟିଏଫ୍‌ ସୂତ୍ରରୁ ଜଣାପଡିଛି। ରାଜ୍ୟକୁ ପଶ୍ଚିମବଙ୍ଗର ମାଲ୍‌ଦା ଓ ମୁର୍ସିଦାବାଦ ଅଞ୍ଚଳରୁ ବ୍ରାଉନ୍‌ସୁଗର (ହେରୋଇନ୍‌) ଆଦି ନିଶାଦ୍ରବ୍ୟ ବିଭିନ୍ନ ମାର୍ଗରେ ବାଲେଶ୍ବର ଓ ଜ‌େ‌ଳଶ୍ବରକୁ ଆସୁଛି। ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି। ୨୦୧୮ରେ ରାଜ୍ୟରେ ମାତ୍ର ୧ କିଲୋଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଥିବା ବେଳେ ୨୦୧୯ରେ ୩ କିଲୋଗ୍ରାମ ଏବଂ ୨୦୨୦ରେ କରୋନା କଟକଣା ସତ୍ତ୍ବେ ଏସ୍‌ଟିଏଫ୍ ୨୩.୫ କିଲୋଗ୍ରାମ ବ୍ରାଉନ୍‌ ସୁଗର ଜବତ କରିଥିଲା। ଏସ୍‌ଟିଏଫ୍ ଏହି ନିଶା କାରବାର ଡ୍ରାଇଭ୍‌ ଅବ୍ୟାହତ ରଖିଛି। ଚଳିତ ବର୍ଷ ମାତ୍ର ୨ ମାସରେ ଏସ୍‌ଟିଏଫ୍‌ ସାଢ଼େ ୪ କିଲୋଗ୍ରାମ୍‌ ଜବତ କରିସାରିଲାଣି ବୋଲି କହିଛନ୍ତି ଏସ୍‌ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ। ଚଳିତ ବର୍ଷ ଏସ୍‌ଟିଏଫ୍ ପୂର୍ବବର୍ଷ ତୁଳନାରେ ଅଧିକ ବ୍ରାଉନ୍‌ସୁଗର ଜବତ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

Comments are closed.