ମେ’ ମାସରେ ବାଣିଜ୍ୟ ନିଅଣ୍ଟ ୨୪.୨୯ ବିଲିଅନ ଡଲାର

ନୂଆଦିଲ୍ଲୀ: ଚଳିତ ବର୍ଷ ମେ ମାସରେ ଦେଶରୁ ରପ୍ତାନି କାରବାର ୨୦.୫୫% ବୃଦ୍ଧିପାଇ ୩୮.୯୪ ବିଲିଅନ ଡଲାରରେ ପହଞ୍ଚିଛି। ଏଥିସହିତ ସେହି ମାସରେ ବାଣିଜ୍ୟ ନିଅଣ୍ଟ ରେକର୍ଡ ପରିମାଣ ୨୪.୨୯ ବିଲିଅନ ଡଲାରକୁ ବୃଦ୍ଧିପାଇଛି। ବୁଧବାର ପ୍ରକାଶିତ ସରକାରୀ ତଥ୍ୟରେ କୁହାଯାଇଛି ଯେ ଚଳିତ ବର୍ଷ ମେ ମାସରେ ଆମଦାନୀ ୬୨.୮୩% ବୃଦ୍ଧିପାଇ ୬୩.୨୨ ବିଲିଅନ ଡଲାର ହୋଇଛି। ଗତବର୍ଷ ମେ ମାସରେ ଦେଶର ବାଣିଜ୍ୟ ନିଅଣ୍ଟ ୬.୫୩ ବିଲିଅନ ଡଲାର ରହିଥିଲା। ଚଳିତ ବର୍ଷ ଏପ୍ରିଲ ଓ ମେ ଦୁଇମାସରେ ମୋଟ ରପ୍ତାନି ପ୍ରାୟ ୨୫% ବୃଦ୍ଧିପାଇ ୭୮.୭୨ ବିଲିଅନ ଡଲାର ହୋଇଥିବାବେଳେ ଆମଦାନୀ ୪୫.୫୨% ବୃଦ୍ଧିପାଇ ୧୨୩.୪୧ ବିଲିଅନ ଡଲାର ହୋଇଛି। ଏହି ଦୁଇ ମାସରେ ଦେଶର ବାଣିଜ୍ୟ ନିଅଣ୍ଟ ୪୪.୬୯ ବିଲିଅନ ଡଲାରକୁ ବୃଦ୍ଧିପାଇଛି, ଯାହା ଗତବର୍ଷ ଏହି ସମୟରେ ୨୧.୮୨ ବିଲିଅନ ଡଲାର ଥିଲା। ଚଳିତ ବର୍ଷ ମେ ମାସରେ ପେଟ୍ରୋଲିୟମ ଏବଂ ଅଶୋଧିତ ତୈଳ ଆମଦାନୀ ୧୦୨.୭୨% ବୃଦ୍ଧିପାଇ ୧୯.୨ ବିଲିଅନ ଡଲାର ହୋଇଛି। ସେହିଭଳି ସୁନା ଆମଦାନୀ ୬ ବିଲିଅନ ଡଲାରକୁ ବୃଦ୍ଧିପାଇଛି, ଯାହା ୨୦୨୧ ମେ ମାସରେ ୬୭୭ ନିୟୁତ ଡଲାର ରହିଥିଲା।

Comments are closed.