ହଜିବ ଶିରି, ତାତିବ ରାଜଧାନୀ: ବଳି ପଡ଼ିବ ୬୬୦ ଆମ୍ବ ଗଛ, ଏକାମ୍ର କାନନରେ ହେବ ବ୍ୟବସାୟିକ ପ୍ରତିଷ୍ଠାନ

ଉଦ୍ୟାନ ବିଭାଗ ହସ୍ତାନ୍ତର କଲା ୨୦.୧୯୨ ଏକର, ହଜିଯିବ ‘ଅର୍କିଡ ପାର୍କ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀର ଶ୍ରୀବୃଦ୍ଧିି ପାଇଁ ନିଆଯାଉଛି ନୂଆ ନିଷ୍ପତ୍ତି। କେତେବେଳେ ଶ୍ରୀଲିଙ୍ଗରାଜଙ୍କ ଶୋଭା ବର୍ଦ୍ଧନ ପାଇଁ ଚତୁଃପାଶ୍ୱର୍ରୁ ଉଚ୍ଛେଦ କରାଯାଉଛି ତ ଆଉ କେତେବେଳେ ସହରର ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିଲେ ମଧ୍ୟ ରାଜଧାନୀର ଉନ୍ନତିକରଣ କାର୍ୟ୍ୟ ପାଇଁ ଚୁପ୍ ରହୁଛନ୍ତି। ହେଲେ କେତେକ କ୍ଷେତ୍ରରେ ସରକାରଙ୍କ ନିଷ୍ପତ୍ତି ସଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ଦୀର୍ଘଦିନ ଧରି କଳ୍ପନାଛକସ୍ଥିତ ଗାଲେରିଆ ମଲ୍‌ ସରକାରୀ ଜମି ଓ ରାସ୍ତା ନିଜ ଅକ୍ତିଆରରେ ରଖିଥିବାବେଳେ ତାହା ଏପର୍ୟ୍ୟନ୍ତ ଉଚ୍ଛେଦ ହୋଇପାରିନାହିଁ।

ଏତିକିବେଳେ ଅନ୍ୟତମ ଆକର୍ଷଣ ଏକାମ୍ର କାନନକୁ ସରକାର ନିଜ ହାତକୁ ନେଇ ସେଠାରେ ବ୍ୟାବସାୟିକ ପ୍ରତିଷ୍ଠାନ ଓ କୋଠାବାଡ଼ି ନିର୍ମାଣ କରିବାକୁ ବସିଛନ୍ତି। ସେଠାରେ ଥିବା ପ୍ରାୟ ୨୬ ଏକର ଜମି ମଧ୍ୟରୁ ପ୍ରଶାସନିକ ଓ ଅନ୍ୟାନ୍ୟ କୋଠାବାଡ଼ି ଥିବା ପ୍ରାୟ ୫ଏକର ଜମିକୁ ବାଦ୍ ଦେଇ ଅବଶିଷ୍ଟ ଜମିକୁ ସାଧାରଣ ପ୍ରଶାସନ ବିଭାଗ ହାତକୁ ଉଦ୍ୟାନ ବିଭାଗ ଟେକି ଦେଇଛି। ଯଦି ବାସ୍ତବରେ ଏଠାରେ ଉଦ୍ଭିଦ ଗବେଷଣା କେନ୍ଦ୍ରକୁ ଖିନଭିନ୍ କରି ପ୍ରାସାଦ ନିର୍ମାଣ କରାଯାଏ ତେବେ ରାଜଧାନୀର ତାପମାତ୍ରା ଗ୍ରୀଷ୍ମଦିନେ ବଢ଼ିବା ସାଙ୍ଗକୁ ‘ଶ୍ରୀ’ ହଜିଯିବ ବୋଲି ପରିବେଶବିତ ମତ ଦେଇଛନ୍ତି।

ସୂଚନା ଅନୁଯାୟୀ ଉଦ୍ୟାନବିଭାଗ ନିର୍ଦେଶକ ନିକଟରେ ଏକାମ୍ରକାନନରେ ଥିବା ପ୍ରାୟ ୨୬ଏକର ଜମି ମଧ୍ୟରୁ ୨୦.୧୯୨ଏକର ଉଦ୍ଭିଦ ପାର୍କକୁ ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ ନିର୍ଦେଶକଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଛି ଯେ ଏଠାରେ ବାସଗୃହ ଯୋଜନା କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ କରାଯିବ। ଏଥିପାଇଁ ଉଦ୍ୟାନ ବିଭାଗ ଏହି ଜମିକୁ ସରକାରଙ୍କୁ ହସ୍ତାନ୍ତର କରିଛି। ସବୁଠାରୁ ବଡ଼କଥା ହେଲା ଏହି ଏକାମ୍ରକାନନରେ ରହିଛି ୬୬୦ ଆମ୍ବଗଛ ସାଙ୍ଗକୁ ୭୬ଟି ସ​‌େ​‌ପଟା ଗଛ, ୪୫ଟି କାଜୁ, ୪୫ଟି ନଡ଼ିଆଗଛ, ଶତାଧିକ କଦଳୀଗଛ। ଏହାବାଦ୍ ୧୯.୬୦ ଏକର ପରିମିତ ଅର୍କିଡ ଉଦ୍ୟାନ ସାଙ୍ଗକୁ ଲିଚି, କେ. ଲାଇମ୍ ଓ ହଜାର ହଜାର ସପୁରୀ ଗଛ। ଯଦି ସରକାର ଏଥିରେ ବାସଗୃହ ନିର୍ମାଣ କରିବେ ତେବେ ଏହି ବୃକ୍ଷରାଜି ସବୁ ବଳିପଡ଼ିବା ସହିତ କଂକ୍ରିଟ ଜଙ୍ଗଲରେ ପରିଣତ ହେବ।

ପରିବେଶବିତ୍ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ସରକାର ରାଜଧାନୀବାସୀଙ୍କ ସ୍ୱାର୍ଥକୁ ଦେଖି କାର୍ୟ୍ୟ କରୁନାହାନ୍ତି। ଚଳିତ ଜୁନ୍‌ରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶମନ୍ତ୍ରୀ ପ୍ରକାଶ ଜାଭଡେକର ନଗରବନର ପରିକଳ୍ପନା କରିଛନ୍ତି। ଏଥିରେ ଦେଶର ୨୦୦ଟି ସହରରେ ଜଙ୍ଗଲ ସୃଷ୍ଟି ଲକ୍ଷ୍ୟ ରହିଛି। ସେଥିମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସହର ରହିଛି। ଏଠାରେ ଅଧିକ ଜଙ୍ଗଲ କିପରି ସୃଷ୍ଟି କରାଯିବ ତାହା ହିଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ହେଲେ ରାଜ୍ୟ ସରକାର ଉଦ୍ଭିଦ ବଂଶ ରକ୍ଷଣାବେକ୍ଷଣ ଓ ଗବେଷଣା ଲାଗି ଥିବା ଏକାମ୍ରକାନନକୁ ନେଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ପରିକଳ୍ପନା କରିଛନ୍ତି, ଏହା ଆଦୌ ଶୁଭଙ୍କର ନୁହେଁ। ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରିବା ଜରୁରୀ ବୋଲି ସେ କହିଛନ୍ତି।

ଆଇନଜୀବୀ ଶଙ୍କରପ୍ରସାଦ ପାଣି କହିଛନ୍ତି, ଏଠାରେ ଛୋଟ ଜଙ୍ଗଲ କିସମ ଜମି ରହିଛି। କିଭଳି ସରକାର ତା’ର କିସମ ପରିବର୍ତ୍ତନ କରି ବ୍ୟାବସାୟିକ ପ୍ରତିଷ୍ଠାନ କରିବେ ତାହା ବୁଝାପଡୁନାହିଁ। ଗ୍ରୀଷ୍ମଦିନେ ରାଜଧାନୀବାସୀ ଛଟପଟ ହେବା ସାର ହେବ ବୋଲି ସେ କହିଛନ୍ତି।

Comments are closed.