ତପ୍ତପାଣି ଘାଟିରେ ବସ୍‌ ଓଲଟିବା ଘଟଣା: ୨ ମୃତକଙ୍କ ପରିଚୟ ମିଳିଲା

ଗଞ୍ଜାମ: ଗଞ୍ଜାମ ଜିଲାର ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ବ୍ରିଜ ତଳକୁ ବସ୍‌ ଓଲଟି ପଡ଼ିବା ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ରାୟଗଡ଼ାର ବିଦ୍ୟୁତ ନାୟକ ଏବଂ ପୁତାବଗଡ଼ର ଝୁନୁ ବେହେରା। ଅନ୍ୟ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲ ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା କରାଯାଉଛି। ତେବେ ଚିକିତ୍ସାକୁ ନେଇ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚିକିତ୍ସାରେ ବିଳମ୍ବ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏମକେସିଜି ଅଧୀକ୍ଷକ ସନ୍ତୋଷ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଏମକେସିଜିରେ ୧୪ ଯାତ୍ରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପର୍ଯ୍ୟାପ୍ତ ଔଷଧ ଥିବାରୁ ଚିକିତ୍ସାରେ ଅସୁବିଧା ହେବନାହିଁ। ବିଭାଗୀୟ ଡାକ୍ତରମାନେ ଗୁରୁତର ଆହତମାନଙ୍କୁ ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି। ସେହିପରି ଦିଗପହଣ୍ଡି ମେଡିକାଲରେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଛି।

 

ଗଣମାଧ୍ୟମକୁ ଦକ୍ଷିଣାଞ୍ଚଳ ଡିଆଇଜି କହିଛନ୍ତି, ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବିତ କରାଯାଇଛି। ଏସପି ଏବଂ ଏସଡିପିଓ ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରିବା ଲାଗି ପାଟପୁର ପୁଲିସ, ମୋହନା ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ କରିଛନ୍ତି। ଦୁର୍ଘଟଣାସ୍ଥଳରେ ପାଣି ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ବସ୍‌ ତଳେ ଆହୁରି କେତେଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

Comments are closed.