ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ, ହାତ ଟେକିଦେଲେଣି ମାଲିକ; ବସ୍‌ ୧୪ହଜାର, ରାସ୍ତାରେ ଗଡ଼ୁଛି ୧୦ %

ଭୁବନେଶ୍ୱର : କୋଭିଡ୍‌ ମହାମାରୀ ପ୍ରଭାବରେ ପରିବହନ ବିଭାଗ ବିଶେଷ କରି ଯାତ୍ରୀ ପରିବହନ ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭର କରୁଥିବା ଲକ୍ଷାଧିକ ଲୋକଙ୍କ ଜୀବନ ଜିବୀକା ବିପନ୍ନ ହୋଇପଡ଼ିଛି। ଆର୍ଥିକ ଅନଟନ ଭିତରେ କାଳ କାଟୁଥିବା ଲୋକଙ୍କ ଜୀବିକା ପୂର୍ବାବସ୍ଥାକୁ ଆଣିବା ଓ ଅର୍ଥନୀତିକୁ ଚଳଚଞ୍ଚଳ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ପରିବହନ କ୍ଷେତ୍ରକୁ ସୁଧାରିବା ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ନିମନ୍ତେ ଓଡ଼ିଶା ଘରୋଇ ବସ ମାଲିକ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି।
କୋଭିଡ୍‌ ସଂକ୍ରମଣ ବ୍ୟାପିବା ସହିତ ରାଜ୍ୟରେ ଯାତ୍ରୀ ପରିବହନ ସମ୍ପୂର୍ଣ୍ଣ ଭାବେ ପବିପର୍ଯ୍ୟସ୍ତ ହୋଇପଡ଼ିଛି। ଲକଡାଉନ ଓ ସଟଡାଉନ କଟକଣା ଉଠିବା ପରେ ଅନଲକ ସମୟରେ ବସ ଚଳାଚଳ ସ୍ୱାଭାବିକ କରିବାକୁ କୁହାଯାଇଛି। ମାତ୍ର ସଂକ୍ରମଣ ଭୟରେ ଯାତ୍ରୀ ପରିବହନ ସ୍ୱାଭାବିକ ହୋଇପାରୁନି। କୋଭିଡ଼ କେବେ ହଟିବ ସେଥିନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏବେ ରାଜ୍ୟରେ ମାତ୍ର ୧୦ ପ୍ରତିଶତ ବସ ଚାଲିଛି। ମାତ୍ର ହାତଗଣତି ବସ ଦ୍ୱାରା ଗ୍ରାମାଞ୍ଚଳ-ସହରାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇଛି। ତଥାପି ରାଜ୍ୟର ଅଞ୍ଚଳକୁ ବସ ସେବା ସ୍ୱାଭାବିକ ହୋଇପାରିନି।
ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଦର୍ଶାଇଛନ୍ତି ଯେ ଯାତ୍ରୀ ଆସୁ ନଥିବାରୁ ବସ ପରିବହନ ବାଧାପ୍ରାପ୍ତ ହୋଇଛି। ଘରୋଇ ବସ ମାଲିକମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି। ବସ ଚଳାଇଲେ ଲାଭ ଅପେକ୍ଷା କ୍ଷତି ଅଧିକ ହେଉଛି। ଏଭଳି ସଙ୍କଟ ସ୍ଥିତିରେ ବି ମାଲିକଙ୍କୁ ମୋଟରଯାନ ଟିକସ, ବୀମା ପ୍ରିମିୟମ, ବ୍ୟାଙ୍କ କିସ୍ତି, ସୁଧ ପ୍ରଦାନ ସହିତ ବର୍ଦ୍ଧିତ ମୂଲ୍ୟରେ ଡ଼ିଜେଲ କିଣି ବସ ଚଳାଇବା ମୁସ୍କିଲ ହେଲାଣି। କ୍ଷତି ସହିବା ସହିତ ବସ ମାଲିକ ମାନେ ଋଣଯନ୍ତା ଭିତରେ ପଡ଼ିଲେଣି। ଘୋର ଆର୍ଥିକ ସଙ୍କଟ ଭିତରେ ଥିବା ବସ ମାଲିକମାନେ ଏବେ ନିଜର ଜୀବିକା ବଞ୍ଚାଇବା ପାଇଁ ପ୍ରମାଦ ଗଣିଲେଣି। ଅନେକ ବିକଳ୍ପ ପନ୍ଥା ଖୋଜିଲେଣି। ସଙ୍କଟ ଅବସ୍ଥାରୁ ସେମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାର ପଦକ୍ଷେପ ନନେଲେ ସେମାନେ ମଧ୍ୟ ଅଭାବୀ ଅସହାୟ ଋଣଗ୍ରସ୍ତ ଚାଷୀଙ୍କ ଭଳି ଚରମ ପନ୍ଥା ଆପଣାଇବାକୁ ବାଧ୍ୟ ହେବେ।
ଓଡ଼ିଶାରେ ଘରୋଇ ବସ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଧାରିବା ନିମନ୍ତେ ଜରୁରୀ ସହାୟତା ନଯୋଗାଇଲେ ଏ କ୍ଷେତ୍ରଟି ସମ୍ପୂର୍ଣ୍ଣ ଉଜୁଡ଼ିଯିବାର ଆଶଙ୍କା ରହିଛି। ପରିବହନ ଅବସ୍ଥା ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନୀତି ଆପଣାଯାଇ ନଥିବାରୁ ସାରା ରାଜ୍ୟରେ ଘରୋଇ ବସ ସେବା ସମ୍ପୂର୍ଣ୍ଣ ଭାବେ ପିପର୍ଯ୍ୟସ୍ତ ହୋଇପଡ଼ିଛି।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ଘରୋଇ ବସ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୪ଦଫା ଦାବି ରଖିଛି। ୨୦୨୦ ଅକ୍ଟୋବରରୁ ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ମୋଟରଯାନ ଓ ଅତିରିକ୍ତ ଟିକସ ସମ୍ପୂର୍ଣ୍ଣ ଭାବେ ଛାଡ଼ କରିବା, ବସ ଚଳାଚଳ ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ବୀମା ପ୍ରିମିୟମ ରାଶି ଆଦାୟ ବନ୍ଦ ରଖିବାକୁ ବୀମା କମ୍ପାନୀକୁ ନିର୍ଦେଶ ଦେବା, ବୈଷୟିକ କମିଟି ରିପୋର୍ଟ ଆଧାରରେ ତେଲ ଦର ବଢ଼ିଲେ ସ୍ୱୟଂ କ୍ରିୟ ପଦ୍ଧତିରେ ବସଭଡ଼ା ବୃଦ୍ଧି ପାଇଁ ଥିବା ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବା ଏବଂ ବସ ବ୍ୟବସାୟର ପୁନରୁଦ୍ଧାର ନିମନ୍ତେ ବସ ମାଲିକମାନଙ୍କୁ ଏଭଳି ସଙ୍କଟ ସମୟରେ ଆର୍ଥିକ ସହାୟତା ଯୋଗାଇବା ଲାଗି ଦାବି କରାଯାଇଛି। ଦୀର୍ଘଦିନ ଧରି ବସ ଚଳାଚଳ ବନ୍ଦ ଯୋଗୁଁ ଅଧିକାଂଶ ବସ ଯନ୍ତ୍ରାଂଶ କଳଙ୍କି ଧରି ଅଚଳ ହୋଇପଡ଼ିଲାଣି। ବସର ଟାୟାର ଟ୍ୟୁବ ମଧ୍ୟ ନଷ୍ଟ ହେଲାଣି। ଏଭଳି ସ୍ଥିତିରେ ବସ ସେବା ସ୍ୱାଭାବିକ କରିବା ମୁସ୍କିଲ ହୋଇପଡ଼ିଛି। ନିଜ ସ୍ଥିତି ସୁଧାରିବା ପାଇଁ ବି ବସ ମାଲିକଙ୍କ ପାଖରେ ଅର୍ଥ ନାହିଁ। ମୋଟାମୋଟି ଭାବେ ବସ ବ୍ୟବସାୟକୁ ଚଳାଇ ରଖିବା ନିମନ୍ତେ ବହୁ ଅର୍ଥର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା ବିଷୟରେ ସରକାର ବିଚାର କରିବା ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ମର୍ମରେ ପରିବହନ ମନ୍ତ୍ରୀ, ପ୍ରମୁଖ ସଚିବ ଓ ପରିବହନ କମିଶନରଙ୍କୁ ମଧ୍ୟ ସଂଘ ଦାବିପତ୍ର ପଠାଇଛି।

Comments are closed.