ଖୁବ୍ ଶୀଘ୍ର ଅନ୍ୟ ରାଜ୍ୟକୁ ଗଡ଼ିବ ବସ୍; ଯେତିକି ସିଟ୍, ସେତିକି ଯାତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବ । ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ଏବଂ ରାଜ୍ୟ ରିଲିଫ୍ କମିଶନର ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ଅନ୍ୟ ରାଜ୍ୟକୁ ମଧ୍ୟ ବସ୍ ଚଳାଚଳ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପରିବହନ ମନ୍ତ୍ରୀ କହିଛନ୍ତି, ସିଟ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ  ବସ ମାଲିକଙ୍କ କିଛି କ୍ଷତି ହେବନାହିଁ । ଟିକସ ଛାଡ଼ ସମ୍ପର୍କରେ ବସ୍ ମାଲିକମାନେ ଯେଉଁ ଦାବି ଉଠାଇଛନ୍ତି ସେ ସମ୍ପର୍କରେ ଆଲୋଚନା କରାଯିବ । ଲକ୍ଡ଼ାଉନ ପୂର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ ବସ ଚଳାଚଳ ହେଉଥିଲା । ଲକଡ଼ାଉନ ଯୋଗୁଁ ତାହାକୁ ବନ୍ଦ ରଖାଯାଇଛି । ଏବେ ତାହାକୁ ପୁନଃ ଚଳାଚଳ ନେଇ ବସ୍ ସଂଘ ସହିତ ଆଲୋଚନା କରାଯିବ । ତେବେ ସବୁ କ୍ଷେତ୍ରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖାଯିବ । ସଂକ୍ରମିତ ବ୍ୟକ୍ତିଙ୍କୁ ଗାଡ଼ିରେ ଯିବାକୁ ଅନୁମତି ନାହିଁ । ସେହିପରି  ଗାଇଡ଼ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ୍ ସାନିଟାଇଜ କରାଯିବ । ଏନେଇ ବସ୍ ମାଲିକଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

Comments are closed.