ଫାଟିଲା ଗ୍ୟାସ ଟାଙ୍କି: ନିଆଁରେ ପୋଡ଼ିଗଲା ୨୭ ବଖରା, ୧୯ ପରିବାର ବାସହରା

କେନ୍ଦ୍ରାପଡ଼ା/ମହାକାଳପଡ଼ା : କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତର ନିଆମତପୁର ଗ୍ରାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ୧୯ ପରିବାରର ୨୭ ବଖରା ଜଳି ପାଉଁଶ ହୋଇଯାଇଛି। ନଗଦ ଟଙ୍କା ଓ ସୁନାଗହଣା ସହ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଫଳରେ ୧୯ ପରିବାର ଏବେ ବାସହରା ହୋଇ ପଡ଼ିଛନ୍ତି। ରନ୍ଧନ ଗ୍ୟାସ ଟାଙ୍କି ଫାଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ସୋମବାର ଅପରାହ୍ଣ ସାଢେ ୧ଟା ବେଳେ ଗ୍ରାମର ବୈଷ୍ଣବ ବାରିକଙ୍କ ଘରେ ରୋଷେଇ ହେଉଥିଲା। ଗ୍ୟାସ ଚୁଲାର ପାଇପରେ ନିଆଁ ଜଳିବାରୁ ପରିବାର ସଦସ୍ୟମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ଗ୍ୟାସ ଟାଙ୍କି ଫାଟିବାରୁ ଘରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ନିମିଷକ ମଧ୍ୟରେ ନିଆଁ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ପଡ଼ୋଶୀଙ୍କ ଘରେ ସେହି ସମୟରେ ମଧ୍ୟ ରୋଷେଇ ଚାଲିଥିଲା । ତାଙ୍କ ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ଅଣାୟତ୍ତ ହୋଇଯାଇଥିଲା। ନିଅଁାର ତେଜ ଏବେ ଭୟଙ୍କର ଥିଲା ଯେ ଲୋକେ ନିଆଁ ଲିଭାଇବାକୁ ଭୟ କରିଥିଲେ । ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ଗ୍ରାସ କରି ଚାଲିଥିଲା ା ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମହାକାଳପଡ଼ାରୁ ଦୁଇଟି ଅଗ୍ନିଶମ ଗାଡି ଏକ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ୨୭ ବଖରାକୁ ଗ୍ରାସ କରିସାରିଥିଲା । ବିଳମ୍ବରେ ଦମକଳ ଗାଡ଼ି ଆସିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ଦମକଳ ଗାଡିରେ ଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଘଟଣା ସମ୍ପର୍କରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଜଣାଇବାରୁ ସେ କେନ୍ଦ୍ରାପଡ଼ାରୁ ଆଉ ଦୁଇଟି ଦମକଳ ଗାଡି ପଠାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀମାନେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ।
ଖବର ପାଇ ତହସିଲଦାର ସୌଭାଗ୍ୟରଞ୍ଜନ ପଣ୍ଡା, ବିଡିଓ ଦେବାଶିଷ ରାଉତ, ସରପଞ୍ଚ ପଦ୍ମନାଭ ପ୍ରତିହାରୀ, ସୁପରଭାଇଜର ଜୟନ୍ତ ପରିଡ଼ା, ଜିଲା ପରିଷଦ ସଭ୍ୟା ନଳିନୀପ୍ରଭା ଚୌଧୁରୀ, ସମିତି ସଭ୍ୟ ପ୍ରଭାତ ରାଉତ, ସମାଜସେବୀ ଅଶୋକକୁମାର ମହାପାତ୍ର ଓ ମନୋଜ ଦାସ ପ୍ରମୁଖ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଛନ୍ତି। ତହସିଲ ପକ୍ଷରୁ ବିପନ୍ନଙ୍କୁ ଜରିପାଲ ଓ ଖାଦ୍ୟ ଯୋଗାଇ ଦିଆଯାଇଛି। ତହସିଲଦାର କ୍ଷୟକ୍ଷତି ଆକଳନ କରିଛନ୍ତି। ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିବେଦନ କରାଯିବ ବୋଲି ତହସିଲଦାର କହିଥିଲେ। କରୋନା ସଙ୍କଟ ସମୟରେ ଏହି ଅଗ୍ନିକାଣ୍ଡ ଆମକୁ ଅଧିକ ବିପଦରେ ପକାଇଲା ବୋଲି ବିପନ୍ନମାନେ କହିଛନ୍ତି।
ଅଗ୍ନିବିପନ୍ନମାନେ ହେଲେ କାଙ୍ଗାଳି ବାରିକ, ବୈଷ୍ଣବ ବାରିକ, ବିଚିତ୍ର ବାରିକ, ସୁନାକର ବାରିକ, ରଞ୍ଜନ ବାରିକ, ଅଞ୍ଜନ ବାରିକ, ସଞ୍ଜୟ ବାରିକ, ସରୋଜ ବାରିକ, ରାଜକିଶୋର ବାରିକ, ରମେଶ ବାରିକ, ଉତ୍ତମ ବାରିକ, ଗୌତମ ବାରିକ, କଳ୍ପତରୁ ବାରିକ, ଅନନ୍ତ ବାରିକ, ରାଧାଶ୍ୟାମ ମଳିକ, ଅଶୋକ ମଳିକ, ନିଧିରାମ ମଳିକ, ବିଦ୍ୟାଧର ମଳିକ ଓ ସୁକାନ୍ତି ମଳିକ ପ୍ରମୁଖ। ବୈଷ୍ଣବ ପରିଡ଼ା ପୋଡି ଯାଇଥିବା ୩୦ ହଜାର ଟଙ୍କା ଉଦ୍ଧାର କରିଥିବା ବେଳେ ଅନ୍ୟମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ପୋଡି ଯାଇଛି। ଅଗ୍ନିକାଣ୍ଡ ଖବର ପାଇ ମହାକାଳପଡ଼ା ବିଧାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ନିଜେ ଆସିପାରି ନ ଥିଲେ ମଧ୍ୟ ତାଙ୍କ ପ୍ରତିନିଧିଙ୍କ ଜରିଆରେ ବିପନ୍ନଙ୍କ ପାଇଁ ଖାଦ୍ୟ ଓ ବସ୍ତ୍ର ପଠାଇଛନ୍ତି। ଏହାସହ ନିଜେ ଖୁବଶୀଘ୍ର ବିପନ୍ନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି ଫୋନ ଯୋଗେ ବିପନ୍ନ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି।