ଭିମସାରରେ ଚରମ ଅବ୍ୟବସ୍ଥା: ୧୨ ଘଣ୍ଟା ଅଟକାଇ ରଖିଲେ ଅଣକୋଭିଡ଼ ରୋଗୀଙ୍କ ମୃତଦେହ

ବୁର୍ଲା: ବୁର୍ଲା ଭିମସାର କୋଭିଡ ହସ୍ପିଟାଲ ପୁଣି ଜଣେ ଅଣକୋଭିଡ଼ ରୋଗୀଙ୍କ ଶବକୁ ଅଟକାଇ ରଖାଯିବାକୁ ନେଇ ଚର୍ଚ୍ଚାର ପରିସର ଭୁକ୍ତ ହୋଇଛି। ପୂର୍ବରୁ ବୁର୍ଲା ଭିମସାରର ଉଭୟ କୋଭିଡ ହସ୍ପିଟାଲରେ ସହସ୍ରାଧିକ ରୋଗୀଙ୍କୁ ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ହୋଇଥିବା ମାମଲା ଉଚ୍ଚ ନ୍ୟାୟାଳୟରେ ଗଡ଼ୁଛି। ପୁଣି ବୁର୍ଲା ଭିମସାର କୋଭିଡ ହସ୍ପିଟାଲରେ ଗୁରୁବାର ରାତି ପ୍ରାୟ ୯ ଟାରେ ଜଣେ ଅଣ କୋଭିଡ ରୋଗୀଙ୍କ ମୃତ୍ୟୁପରାନ୍ତ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ୧୨ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡିଛି ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ। ତେବେ ଆଇସିୟୁରେ ଥିବା ଜଣେ କର୍ମଚାରୀଙ୍କ ଗାଡି ଭଡା ନେବା ପାଇଁ କହିଥିବା ତେବେ ପରିବାର ଲୋକେ ନିଜ ଗାଡିରେ ଶବକୁ ନେବୁ ବୋଲି କହିବା ପରେ ଶବ ସକାଳେ ନେବ ବୋଲି କହି କର୍ମଚାରୀ ଆଉ ଧରାଛୁଆଁ ଦେଇ ନ ଥିଲେ ବୋଲି ମୃତକଙ୍କ ଆତ୍ମୀୟ ସ୍ୱଜନ ଅଭିଯୋଗ ଆଣିଛନ୍ତି।

ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ପଚାରିବାରୁ ଏଭଳି ଘଟଣା ଘଟିବା କଥା ନୁହେଁ ଯେଉଁମାନେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ହଇରାଣ ହରକତ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ ଭିମସାରରେ ଢ଼ିଲାମେଲା ପରିଚାଳନା ବ୍ୟବସ୍ତା ଯୋଗୁଁ ରୋଗୀଙ୍କ ପ୍ରିୟଜନମାନେ ବିଭିନ୍ନ ପ୍ରକାର ହଟହଟାର ସମ୍ମୁଖୀନ ହୋଇ ଚାଲିଛନ୍ତି।

ସୂଚନା ମତେ ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ମେଘନାଥ ଗ୍ରାମର ୪୫ ବର୍ଷିୟ ଲକ୍ଷ୍ମିନ୍ଦ୍ର କର୍ମୀ ତାଙ୍କ ସ୍ୱାସ୍ଥ୍ୟାବସ୍ତା ଖରାପ ହେବା ଫଳରେ ତାଙ୍କୁ ବୁର୍ଲା ଭିମସାରକୁ ଆଣି ଭର୍ତି କରାଯାଇଥିଲା। ତେବେ ତାଙ୍କୁ କୋଭିଡ଼ ସନ୍ଦେହ କରାଯାଇ ଦ୍ୱିତୀୟ କୋଭିଡ ହସପିଟାଲରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ପରେ ତାଙ୍କୁ କୋଭିଡ ହସପିଟାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ବର୍ଗ ଶବଦେବା ପାଇଁ କହିଥିଲେ। ମାତ୍ର ସେଠାରେ ଥିବା ଜଣେ କର୍ମଚାରୀ ଶବ ପାଇଁ ଗାଡି ବ୍ୟବସ୍ତା କରିବା ପାଇଁ କହିଥିଲେ ଏବଂ ୩୫ ଶହ ଟଙ୍କା ଭଡ଼ା ବାବଦରେ ଲାଗିବ ବୋଲି କହିଥିଲେ। ପରିବାରବର୍ଗ ନିଜ ଗାଡିରେ ନେବୁ ବୋଲି କହିଥିଲେ। ମାତ୍ର ଏହା ଶୁଣିବା ପରେ ସମ୍ପୃକ୍ତ କର୍ମଚାରୀ ଜଣକ ସକାଳୁ ଶବ ନେବ ବୋଲି କହି ଚାଲିଯାଇଥିଲେ। ଆଉ କର୍ମଚାରୀଙ୍କ ଦେଖା ମିଳି ପାରି ନ ଥିଲା।

ଶେଷରେ ସକାଳ ପର୍ଯ୍ୟନ୍ତ ଶବକୁ ପାଇବା ଅପେକ୍ଷା ପରିବାରବର୍ଗ ରହିଥିଲେ। ସକାଳ ୯ ଟାରେ ଶବ ପରିବାର ବର୍ଗଙ୍କୁ ଦିଆଯାଇଥିଲା। ପ୍ରାୟ ୧୨ ଘଣ୍ଟା ଧରି ଶବକୁ ଦିଆ ନ ଯାଇ ଅଟକାଇ ରଖା ଯାଇଥିଲା। ଏହାକୁ ନେଇ ବିବାଦ ଘନେଇବା ସହିତ ସ୍ଥାନୀୟ ମହଲରେ ଏହାକୁ ସମାଲୋଚନା କରାଯାଇ ଥିଲା। ଅନ୍ୟପଟେ କୁଆଡେ କୋଭିଡ ହସପିଟାଲରେ ମୃତ୍ୟୁପରାନ୍ତ ରାତିରେ ଶବ ପରିବାର ବର୍ଗଙ୍କୁ ଦିଆଯାଉ ନ ଥିବା ନେଇ ନିୟମ ରହିଥିବା ଭିମସାର ହସପିଟାଲ ଅଧିକ୍ଷକ ପ୍ରଫେସର ନାୟକ କହିଛନ୍ତି। ତେବେ ଏତାଦୃଶ କର୍ମଚାରୀଙ୍କ ଗାଡ଼ିକୁ ଭଡ଼ାରେ ନ ନେବା ଫଳରେ ଶବକୁ ମେଡ଼ିକାଲରେ ରାତିସାରା ଅଟକାଇ ରଖାଯାଇଥିବା ପ୍ରସଙ୍ଗକୁ ସ୍ତାନିୟ ମହଲରେ ସମାଲୋଚନା କରାଯାଉଛି। ଏହା ସହିତ ଯେପରି ଭାବରେ ଜଣେ ମୃତକଙ୍କ ସମ୍ପର୍କୀୟଙ୍କୁ ହଇରାଣ ହରକତ କରା ନ ଯିବ ଏହା ଉପରେ ଧ୍ୟାନ ଦେବା ଉପରେ ଦାବୀ ଉପସ୍ଥାପିତ ହେଉଛି।

Comments are closed.