ଦୁଃଖଦ ଘଟଣା ବୁର୍ଲା ଭିମସାରର ହାଉସ ସର୍ଜନ ଡ଼ାକ୍ତରଙ୍କ ଅକାଳ ବିୟୋଗ

ବୁର୍ଲା : ବୁର୍ଲା ଭିମସାରରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିଯାଇଛି। ମୃତକ ଛାତ୍ର ଜଣକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଞ୍ଚଳର ଡ଼ ଦେବାଶିଷ ରଣା (୨୬) ବୋଲି ଭିମସାର ସୁତ୍ରରୁ ଜଣାପଡିଛି।
ଦେବାଶିଷ ରଷିଆର ୟୁକ୍ରେନର ଏକ ମେଡିକାଲ କଲେଜର ଛାତ୍ର ହୋଇଥିବା ବେଳେ ସେ ବୁର୍ଲା ଭିମସାର ହସପିଟାଲରେ ହାଉସ ସର୍ଜନ ଭାବରେ କାର୍ଯ୍ୟ କରୁଥିବା ଭିମସାର ନିର୍ଦ୍ଦେଶକ ପ୍ରଫେସର ଡ଼ ଲଳିତ ମେହେର ସୂଚନା ଦେଇଛନ୍ତି। ତାଙ୍କ ପରିବାର ଆସିବା ପରେ ଦେବାଶିଷଙ୍କ ଶବବ୍ୟବଚ୍ଛେଦ ଭିମସାରରେ କରାଯିବା ପରେ ପରିବାର ଲୋକଙ୍କୁ ଡ଼ାକ୍ତରୀ ଛାତ୍ରଙ୍କ ମରଶରୀର ହସ୍ତାନ୍ତର କରାଯିବ ବୋଲି ଭିମସାର ପକ୍ଷରୁ ସୂଚନା ହସ୍ତଗତ ହୋଇଛି।
ସୂଚନା ଅନୁସାରେ ଡ଼ ଦେବାଶିଷ ଗତ ଏକ ମାସ ପୂର୍ବରୁ ମହାମାରୀ କୋଭିଡ-୧୯ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ସେ ବୁର୍ଲା ଭିମସାରର ପିଜି ଛାତ୍ରାବାସରେ ରହୁଥିଲେ। ଗତ ପ୍ରାୟ ଦୁଇଦିନ ହେବ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହୋଇଥିଲା ।  ଦେବାଶିଷ ନିଜେ ଭିମସାରର କାର୍ଡିଓଲୋଜୀ ବିଭାଗକୁ ଯାଇ ନିଜ ସ୍ୱାସ୍ଥ୍ୟ ବସ୍ଥା ବରିଷ୍ଠ ଡାକ୍ତରଙ୍କୁ ଦେଖାଇବା ପାଇଁ ଯାଇଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ହଠାତ ଗୁରୁତର ହେବାରୁ ସେଠାରେ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଡାକ୍ତର ମାନେ ତାଙ୍କୁ ଆଶୁଚିକିତ୍ସା ବିଭାଗକୁ ଚିକିତ୍ସା ପାଇଁ ଅଣିଥିଲେ। ତେବେ ଆଶୁଚିକିତ୍ସା ବିଭାଗରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କର ମରଶରୀରକୁ ବ୍ୟବଚ୍ଛେଦ କରାଯାଇ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ନିର୍ଦ୍ଦେଶକ ପ୍ରଫେସର ମେହେର ସୁଚନା ଦେଇଛନ୍ତି। ତେବେ ଡ଼ ଦେବାଶିଷ ରଣାଙ୍କ ଦୁଃଖଦ ପରଲୋକ ଖବର ପ୍ରଚାରିତ ହେବା ପରେ ଭିମସାରରେ ଆଜି ଶୋକାକୁଳ ପରିବେଶ ସୃଷ୍ଟି ହେବା ସହିତ ଅନେକ ତାଙ୍କର ସହକର୍ମୀ ତଥା ଡ଼ାକ୍ତରୀ ଛାତ୍ରଛାତ୍ରୀ ସେଠାକୁ ଧାଇଁ ଆସିଥିଲେ। ଆଶୁଚିକିତ୍ସା ବିଭାଗରେ ଭିମସାରର ନିର୍ଦ୍ଦେଶକ ପ୍ରଫେସର ମେହେରଙ୍କ ସମେତ ଭିମସାରର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ଦୋରା, ହସପିଟାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଡାକ୍ତରୀ ଛାତ୍ର ମାନେ ଉପସ୍ଥିତ ରହି ଡ଼ାକ୍ତରୀ ଛାତ୍ରଙ୍କ ଶେଷ ଦର୍ଶନ କରିବା ସହିତ ଦୁଃଖପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା।

Comments are closed.