ଚିକିତ୍ସାରେ ବିଳମ୍ବ, ସମ୍ବଲେଶ୍ୱରୀ ନର୍ସିଂ ହୋମ୍‌ କର୍ମଚାରୀଙ୍କୁ ଆକ୍ରମଣ

ବୁର୍ଲା: ବୁର୍ଲା ସମଲେଶ୍ୱରୀ ଘରୋଇ ନର୍ସିଂ ହୋମରେ ଆଜି ଏକ ଅଭାବନିୟ ଘଟଣା ଘଟିଯାଇଛି। ବିଷପାନ କରି ଗୁରୁତର ହୋଇପଡ଼ିଥିବା ଜଣେ ରୋଗୀଙ୍କୁ ଚିକିତ୍ସା ପାଇଁ ତାଙ୍କ ସମ୍ପର୍କୀୟ ସମ୍ବଲେଶ୍ବରୀ ନର୍ସିଂ ହୋମ୍‌କୁ ଆଣିଥିଲେ। ନର୍ସିଂହୋମ ପକ୍ଷରୁ ରୋଗୀଙ୍କୁ ଚିକିତ୍ସା ପାଇଁ କିଛି ବିଳମ୍ବ ଘଟିଥିଲା। ଏହା ସହିତ ରୋଗୀ ଚିକିତ୍ସା ବ୍ୟବସ୍ଥା ବିଷୟରେ କାଉନସେଲିଂ କରାଯାଇଥିଲା। ଏହାରି ଭିତରେ ରୋଗୀ ସମ୍ପର୍କିୟ ଉତକ୍ଷିପ୍ତ ହୋଇ ନର୍ସିଂ ହୋମରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ନର୍ସିଂହୋମର ରିସେପସନ କାଉଣ୍ଟରରେ ଲାଗିଥିବା କାଚ ଭାଙ୍ଗିଥିଲେ। ରୋଗି ସମ୍ପର୍କିୟ ଏବଂ ନର୍ସିଂହୋମ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ନର୍ସିଂହୋମ୍‌ ପକ୍ଷରୁ ବୁର୍ଲା ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରି ଦିଆ ଯାଇଥିଲା। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଗୁରୁତର ରୋଗୀଙ୍କୁ ସମ୍ପର୍କିୟ ନେଇ ଆସି ବୁର୍ଲା ଭିମସାରରେ ଭର୍ତ୍ତି କରିସାରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ରୋଗୀଙ୍କ ଦୁଇଜଣ ସମ୍ପର୍କିୟଙ୍କୁ ଥାନାରେ ଅଟକ ରଖାଯାଇଛି। ବୁର୍ଲା ଥାନା ତରଫରୁ ଘଟଣାର ତଦନ୍ତ ଚାଲିଥିବା ଏବଂ କାହାକୁ ଗିରଫ୍ କରାଯାଇ ନ ଥିବା ସୂଚନା ଦିଆଯାଇଛି।
ସୂଚନା ମୁତାବକ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ପଡିଆବାହାଲ ଗ୍ରାମର ଦେବୀଦତ୍ତ ମାଝି(୨୯) ବିଷପାନ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲାର ସମ୍ବଲେଶ୍ୱରୀ ଘରୋଇ ନର୍ସିଂ ହୋମକୁ ଚିକିତ୍ସା ଲାଗି ଆଣିଥିଲେ। ସେତେବେଳକୁ ଦେବୀଦତ୍ତଙ୍କ ଅବସ୍ଥା ଅତିଗୁରୁତର ହେବାରେ ଲାଗିଥିଲା। ତେବେ ଦେବୀଦତ୍ତଙ୍କୁ ଚିକିତ୍ସା କରାଯିବାରେ ବିଳମ୍ବ ଅଭିଯୋଗକରି ରୋଗୀଙ୍କ ସମ୍ପର୍କୀୟମାନେ ନର୍ସିଂ ହୋମ୍‌ର କାଚ ଭାଙ୍ଗିବା ଠାରୁ ଆରମ୍ଭ କରି କର୍ମଚାରୀଙ୍କୁ ମାରପିଟ୍‌ କରିଥିଲେ। ପ୍ରାୟ ଚାରିଜଣରୁ ଅଧିକ ରୋଗୀଙ୍କ ସମ୍ପର୍କୀୟ ଏହି ଘଟଣା ଭିଆଇଥିବା ବେଳେ ନର୍ସିଂହୋମର କର୍ମଚାରୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଫଳରେ ରୋଗୀଙ୍କ ସମ୍ପର୍କୀୟ ଓ ନର୍ସିଂ ହୋମ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ନର୍ସିଂ ହୋମର କିଛି କର୍ମଚାରୀ ଆହତ ହୋଇଛନ୍ତି।

Comments are closed.