ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଭିସୁଟ ଛାତ୍ରଛାତ୍ରୀଙ୍କ ଉପଗ୍ରହ ନିର୍ମାଣ

ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିସୁଟ୍‍ର ଛାତ୍ରଛାତ୍ରୀମାନେ ଭିଏସଏଲ୍‍ଭି ରକେଟ୍‍ ନିର୍ମାଣ ଏବଂ ଉତକ୍ଷେପଣ ହାସଲ କରିଥିବା ସଫଳ ଅଭିଜ୍ଞତାକୁ ତରୁଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବର୍ଣ୍ଣନା କରିଛନ୍ତି। ଗତକାଲି ଟାଟାଷ୍ଟିଲ ପକ୍ଷରୁ ପଠାଣି ସାମନ୍ତ ପ୍ଲାନିଟୋରିୟମ୍‍ ସହିତ ଆୟୋଜିତ ୟଙ୍ଗ୍‍ ଅଷ୍ଟ୍ରନୋମସ୍‍ ଟେଲେ ସାର୍ଚ୍ଚ କାର୍ଯ୍ୟକ୍ରମରେ ଭିସୁଟ୍‍ର ଏହି ଛାତ୍ରଛାତ୍ରୀମାନେ ବିଜ୍ଞାନ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ମହାକାଶ ଯୋଗାଯୋଗ ଏବଂ ରକେଟ୍‍ ତଥା ସେଟ୍‍ଲାଇଟ୍‍ ସମ୍ପର୍କରେ ଆଲୋଚନା କରିଥିଲେ। ଟିମ୍‍ର ସଦସ୍ୟମାନେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଦ୍ୱାରା ଭିସୁଟ୍‍ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୟାଟ୍‍ଲାଇଟ୍‍ ଇସ୍ରୋ ଦ୍ୱାରା ମଧ୍ୟ ପ୍ରଶଂସିତ ହୋଇଛି ବୋଲି କହିଥିଲେ।

ଅନ୍‍ଲାଇନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟାଟା ଷ୍ଟିଲ୍‍ର ସିଇଓ ଟିଭି ନରେନ୍ଦ୍ରନ୍‍, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଚିବ ମନୋଜ କୁମାର ମିଶ୍ର, ପ୍ଲାନେଟୋରିୟମ୍‍ର ନିର୍ଦ୍ଦେଶକ ଲକ୍ଷ୍ମୀଧର ଦାଶ ଯୋଗ ଦେଇଥିଲେ। ଭିସୁଟ୍‍ ପକ୍ଷରୁ ଟିମ୍‍ର ସଦସ୍ୟ ପ୍ରସନ୍ନ୍‍ଜିତ୍‍ ଘୋଷ, ପୂଣ୍ୟଶ୍ଲୋକ ସ୍ୱାଇଁ, ରିଷଭ ନନ୍ଦ ଏବଂ ଶୁଭମ ବେହେରା ଅଂଶଗ୍ରହଣ କରିଥିଲେ।

Comments are closed.