ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ, ପୁଲିସ ଲଗାଇ ଧମକ ଦେଉଛି କର୍ତ୍ତୃପକ୍ଷ

ବୁର୍ଲା: କେତେବେଳେ ଅକ୍ସିଜେନ ଅଭାବରୁ ରୋଗି ମୃତ୍ୟୁ ଅଭିଯୋଗ ତ ଆଉ କେତେବେଳେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ହେଉଛି। ବୁର୍ଲା କୋଭିଡ ହସପିଟାଲରେ ଏଭଳି ଅଭିଯୋଗ ନିତିଦିନିଆଁ ଦେଖିବାକୁ ମିଳୁଛି। ହେଲେ ନିଜ ସମ୍ପର୍କିୟଙ୍କ ମୃତ୍ୟୁ ପରେ ଅଭିଯୋଗ ଶୁଣିବାକୁ କେହିନାହାନ୍ତି। ମେଡିକାଲ ପରିସରରେ କ୍ଷୋଭ ପ୍ରକାଶ କଲେ ମେଡିକାଲ କର୍ତ୍ତୃପକ୍ଷ ପୁଲିସ ଲଗାଇ ରୋଗି ସମ୍ପର୍କିୟଙ୍କ ମୁହଁ ବନ୍ଦ କରୁଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଏଭଳି ଏକ ଘଟଣା ପୁଣି ବୁର୍ଲା କୋଭିଡ ହସପିଟାଲରେ ଘଟିଥିବା ଦେଖିବାକୁ ମିଳିଛି।

ଜଣେ କୋଭିଡ ଆକ୍ରାନ୍ତ ବୃଦ୍ଧାଙ୍କ ଚିକିତ୍ସା ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ମେଡିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ପୁଲିସ ଆସି ପରିବାର ଲୋକଙ୍କ ମୁହଁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ବର୍ଗ। ମିଳିଥିବା ସୂଚନା ମତେ ଜଗତସିଂହପୁର ଅଂଚଳର ଜଣେ ୭୨ ବର୍ଷିୟ ବୃଦ୍ଧ ସମ୍ବଲପୁରରେ ତାଙ୍କ ପୁଅ ବିନାୟକ ଦାସ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବେଳେ ସେ ପୁଅ ଘରେ ଆସି ରହୁଥିଲେ। ତେବେ ବୃଦ୍ଧଙ୍କ ପୂର୍ବରୁ ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ଥିଲେ। ତେବେ ଗତ ୧୦ ତାରିଖ ଦିନ ବୃଦ୍ଧ ବାପା ହଠାତ୍‍ ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ତାଙ୍କର କୋଭିଡ ପରିକ୍ଷା କରିଥିଲେ। ଏହାପରେ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ସମ୍ବଲପୁରରୁ ବୁର୍ଲା ମେଡିକାଲକୁ ସେହିଦିନ ରାତିରେ ସ୍ଥାନାନ୍ତର କରିଥିଲେ। ଏହାପରେ ବୁର୍ଲା ପୁରୁଷ ମେଡିସିନ ୱାର୍ଡରେ ଭତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ଡାକ୍ତର।

ଏହାପରେ ୧୧ ତାରିଖ ଦିନ ତାଙ୍କର ପୁଣି ଆର୍ଟିପିସିଆର୍‍ ପରିକ୍ଷା ପାଇଁ ନମୁନା ପଠାଯାଇଥିଲା। ଯାହାକି ୧୨ ତାରିଖ ଦିନ ଆର୍ଟିପିସିଆର୍‍ ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିଥିଲା। ଏହାପରେ ମେଡିସିନ ୱାର୍ଡରୁ କୋଭିଡ ହସ୍ପିଟାଲ ୱାନକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୨ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ତାଙ୍କୁ କୋଭିଡ ହସ୍ପିଟାଲରେ ରଖାଯାଇଥିଲା। ଏହାରି ମଧ୍ୟରେ ବୃଦ୍ଧଙ୍କ ପୁଅ ବିନାୟକ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ କୋଭିଡ ହସ୍ପିଟାଲକୁ ଫୋନରେ ଯୋଗାଯୋଗ କରୁଥିଲେ। ତେବେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‍ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିବା ବିନାୟକ କହିଛନ୍ତି। ତେବେ ଆଜି ବିନାୟକ ବାପାଙ୍କୁ କୋଭିଡ ହସ୍ପିଟାଲରୁ ନିଜ ଇଚ୍ଛା ଅନୁସାରେ ଘରକୁ ନେବାପାଇଁ ମଧ୍ୟହ୍ନ ୨ଟା ସମୟରେ ଲିଖିତ ଭାବେ ଆବେଦନ କରିଥିଲେ। କିନ୍ତୁ କୋଭିଡ ହସ୍ପିଟାଲ ଅଧିକାରୀ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲ ଆସିନଥିବାରୁ ୫ଟାରେ ତାଙ୍କ ଆବେଦନକୁ ସ୍ୱିକୃତି ମିଳିଥିଲା। ଏହାପରେ ବିନାୟକ ବାପାଙ୍କୁ ଅନ୍ୟତ୍ର ନେବାପାଇଁ ଅମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରିଥିଲେ। ତେବେ ସଂନ୍ଧ୍ୟା ୫ଟାରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ କୋଭିଡ ହସ୍ପିଟାଲରୁ ବାହାର କରିଥିଲେ। ତେବେ ହସ୍ପିଟାଲ ବାହାରକୁ ଆସିବା ପରେ ହଠାତ୍‍ ବୃଦ୍ଧ ଗୁରୁତର ହୋଇ ପଡିଥିଲେ। ଏହାପରେ ବିନାୟକ ବାପାଙ୍କ ଅବସ୍ଥା ଦେଖି ସେଠାରେ ଥିବା ଡାକ୍ତର ଏବଂ କର୍ମଚାରୀଙ୍କୁ ଡାକିଥିଲେ ମଧ୍ୟ କେହି ସୁଣିନଥିବା ଅଭିଯୋଗ କରିଛନ୍ତି। ଏହାର କିଛି ସମୟ ପରେ ସେହି କୋଭିଡ ହସ୍ପିଟାଲ ସମ୍ମୁଖରେ ହିଁ ବୃଦ୍ଧ ଜଣକ ଅଖିବୁଜି ଦେଇଥିଲେ। ସବୁଠାରୁ ବଡ କଥା ହେଲା ପୁଅ ବିନାୟକଙ୍କ ଅଭିଯୋଗ କ୍ରମେ ଯେଉଁ ଅବସ୍ଥାରେ ବା ଯେଉଁ ପୋଷାକ ପିନ୍ଧାଇ ୭ଦିନ ପୂର୍ବରୁ କୋଭିଡ ହସ୍ପିଟାଲରେ ତାଙ୍କ ବାପାଙ୍କୁ ଭର୍ତି କରିଥିଲେ ୭ ଦିନ ପରେ ବି ସେହି ପୋଷାକ ପିନ୍ଧିଛନ୍ତି।

ପୋଷାକ ବଦଳାଇବା ପାଇଁ ବିନାୟକ ମେଡିକାଲ କର୍ମଚାରୀଙ୍କୁ ଭର୍ତି କରିବା ଦିନ କିଛି ପୋଷାକ ମଧ୍ୟ ଦେଇଥିଲେ। କିନ୍ତୁ ତାହା ପରିବର୍ତନ କରିନଥିଲେ ମେଡିକାଲ କର୍ମଚାରୀ। ଫଳରେ ବୃଦ୍ଧ ଜଣକ ପିନ୍ଧିଥିବା ବସ୍ତ୍ରରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖି ମୃତ ବୃଦ୍ଧଙ୍କ ପୁଅ ବିନାୟକ ଅସନ୍ତୋଷ ବ୍ୟକ୍ତ କରିବା ସହିତ କୋଭିଡ ହସ୍ପିଟାଲରେ କିଭଳି ଭାବରେ ଚିକିତ୍ସା କରାଯାଉଛି ମୋଁ ବାପା ଙ୍କ ପୋଷାକ ପରିବର୍ତ୍ତନ କରାଯାଇ ନ ଥିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି ବୋଲି କହିଛନ୍ତି। ଏପରିକି କୋଭିଡ ହସ୍ପିଟାଲ ଭିତରେ ରୋଗୀଙ୍କୁ ଭର୍ତି କରୁଥିବା ବେଳେ ହସ୍ପିଟାଲ ମଧ୍ୟରେ ଠିକ୍‍ ଭାବରେ ଚିକିତ୍ସା କରୁ ନ ଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡିକାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକଙ୍କୁ ପଚାରିବାରୁ ପୋଷାକ ପରିବର୍ତନ କରା ନ ଯିବା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ତୁରନ୍ତ ଏନେଇ ସେଠାରେ ଥିବା ଅଟେଣ୍ଡାଣ୍ଟମାନଙ୍କୁ ଡାକି ପଚରାଯାଉଥିବା ପ୍ରକାଶ କରିିଛନ୍ତି।

Comments are closed.